ବାଲିଗୁଡ଼ା, ୦୪/୦୬(ପିପିଟି): ସମଗ୍ର ବାଲିଗୁଡ଼ା ଉପଖଣ୍ଡରେ ଚାଲିଥିବା ଏସଆଇଆର- ୨୦୨୬ (Special Intensive Revision-2026) ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ଲକ୍ଷ୍ୟରେ- ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏଇଇଆରଓ (AERO) ଓ ବିଏଲଓ (BLO) ମାନଙ୍କ ସହ ଗୁରୁବାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ର ଉପାନ୍ତ ଅଞ୍ଚଳ ଦୁର୍ଗାପାଙ୍ଗା, ଲାସେରୀ, ରିନ୍ଦାବାଲି ଓ ସିରାଙ୍ଗ ଗ୍ରାମ ପରିଦର୍ଶନ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଙ୍କ ସହ ଅଧିକାରୀ ମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଆଲୋଚନା କରି ଭୋଟର ତାଲିକାର ସଠିକତା ରକ୍ଷାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ନୂତନ ଭୋଟରଙ୍କ ନାମ ସଂଯୋଜନ, ତଥ୍ୟ ସଂଶୋଧନ ଏବଂ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତି ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଲୋଡ଼ିଥିଲେ।ଉପଜିଲ୍ଲାପାଳ ଲୋକମାନଙ୍କୁ ଗଣତନ୍ତ୍ରରେ ମତଦାନର ଭୂମିକା ଓ ନିର୍ବାଚନୀ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର ହେବାର ଆବଶ୍ୟକତା ବିଷୟରେ ସଚେତନ କରିଥିଲେ। ଏସଆଇଆର-୨୦୨୬ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ଜନସମ୍ପର୍କ ଓ ସଚେତନତା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଉପଜିଲ୍ଲାପାଳ ପ୍ରଣୀତା ଦାସ ସୂଚନା ଦେଇଛନ୍ତି।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ