ଯାଜପୁର, ୦୪/୦୬(ପିଟିଟି ):ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆଜି ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ବ୍ଲକୱାରୀ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ’ ବଣ୍ଟନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସୂଚନା ଅନୁଯାୟୀ, ଜିଲ୍ଲାରେ ନୂତନ ଭାବେ ୩ ଲକ୍ଷ କାର୍ଡ ଯୋଡ଼ାଯିବା ପରେ ଜିଲ୍ଲାର ସଫଳତା ହାର ୭୧% ରୁ ହ୍ରାସ ପାଇ ୫୦% ହୋଇଯାଇଛି। ଅପରପକ୍ଷରେ, ଆୟୁଷ୍ମାନ ବୟୋ ବନ୍ଦନା କାର୍ଡର ସ୍ଥିତି ମାତ୍ର ୩୨% ରହିଛି। ଏହାକୁ ନେଇ ଜିଲ୍ଲାପାଳ କମନ୍ ସର୍ଭିସ୍ ସେଣ୍ଟରର ଜିଲ୍ଲା ପରିଚାଳକଙ୍କୁ ଭି.ଏଲ.ଇ ମାନଙ୍କ କାର୍ଯ୍ୟର ଅଗ୍ରଗତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପରିଚାଳକ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ଜିଲ୍ଲାରେ ୭୪୯ ଜଣ ସକ୍ରିୟ ଭି.ଏଲ.ଇ କାର୍ଯ୍ୟ କରୁଛନ୍ତି ଏବଂ ଆସନ୍ତା ୧ ରୁ ୨ ଦିନ ମଧ୍ୟରେ ଆଉ ୨୫୦ ରୁ ୩୦୦ ନୂତନ ଭାବେ ପଞ୍ଜୀକୃତ ହୋଇ ସେବା ଯୋଗାଇବେ।
ଜିଲ୍ଲାପାଳ ଆସନ୍ତା ୧୦ ରୁ ୧୫ ଦିନ ମଧ୍ୟରେ ଅବଶିଷ୍ଟ ପ୍ରାୟ ୫,୭୭,୬୨୯ ଟି କାର୍ଡ ବଣ୍ଟନ କରି ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଭି.ଏଲ.ଇମାନେ ଏହି କାର୍ଯ୍ୟରେ ସହଯୋଗ କରୁନାହାନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନାମ ସୁପାରିଶ କରିବାକୁ ସେ କହିଛନ୍ତି। ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଏବଂ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀମାନେ କାର୍ଡ ବଣ୍ଟନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବେ। ଡି.ପି.ଏମ ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ କାର୍ଡ ବଣ୍ଟନର ଅଗ୍ରଗତି ଏବଂ ବି.ପି.ଏମ. ମାନଙ୍କ ପ୍ରଦର୍ଶନ ବାବଦରେ ରିପୋର୍ଟ ପ୍ରଦାନ କରିବେ। ସେକ୍ଟର ସ୍ତରୀୟ ସୁପରଭାଇଜରମାନେ ଦୈନିକ ଭିତ୍ତିରେ କ୍ଷେତ୍ର ସ୍ତରୀୟ ଅନୁଧ୍ୟାନ କରିବେ ଏବଂ ପ୍ରତିଦିନ ଅତିକମରେ ୫ ରୁ ୬ ଟି କମନ୍ ସର୍ଭିସ୍ ସେଣ୍ଟର ପରିଦର୍ଶନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଦାୟିତ୍ୱ ଆଶା ମ୍ୟାନେଜରଙ୍କୁ ଆଶା କର୍ମୀଙ୍କ କାର୍ଯ୍ୟର ସମୀକ୍ଷା କରିବାକୁ କୁହାଯାଇଛି। ପ୍ରତ୍ୟେକ ଆଶା କର୍ମୀ ଗ୍ରାମାଞ୍ଚଳର ଲୋକମାନଙ୍କୁ ସି.ଏସ.ସି କେନ୍ଦ୍ରକୁ ଆଣିବା ପାଇଁ ସଚେତନ କରିବେ। ଏହା ସହିତ ସିଏଚଓ ଏବଂ ଏଏନଏମ୍ ମାନଙ୍କୁ ଘରକୁ ଘର ବୁଲି ଆୟୁଷ୍ମାନ ବୟୋ ବନ୍ଦନ ଯୋଜନା କାର୍ଯ୍ୟକ୍ରମ ଅଧୀନରେ ବୟସ୍କ ନାଗରିକଙ୍କ କାର୍ଡ ଜେନେରେଟ୍ କରିବା ପାଇଁ ବ୍ୟକ୍ତିଗତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାସହ ବି.ପି.ଏମମାନେ ପଞ୍ଚାୟତ ସ୍ତରୀୟ ମାଇକ୍ରୋପ୍ଲାନ ପ୍ରସ୍ତୁତ କରି ସୁପରଭାଇଜରମାନଙ୍କୁ ପ୍ରଦାନ କରିବେ, ଯଦ୍ଦ୍ୱାରା ଅଧିକ କାର୍ଯ୍ୟଭାର ଥିବା ଏବଂ କମ୍ ପ୍ରଦର୍ଶନ କରୁଥିବା କେନ୍ଦ୍ରଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇପାରିବ। ଆସନ୍ତା ସୋମବାର ଅପରାହ୍ନରେ ଏହି ଅଗ୍ରଗତିର ପୁନଃ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଦ୍ୱାରା କରାଯିବ। ପ୍ରତି ବ୍ଲକ ପାଇଁ ନିୟୋଜିତ ହୋଇଥିବା ବ୍ଲକ ନୋଡାଲ ଅଧିକାରୀମାନଙ୍କ ସହାୟତାରେ ସମଗ୍ର ପ୍ରକ୍ରିୟାର ତଦାରଖ ଓ ଲକ୍ଷ୍ୟ ହାସଲ କରିବା ପାଇଁ ସିଡିଏମଓଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ ବିଜୟ କୁମାର ମିଶ୍ର, ଡି.ପି.ଏମ ଜାତୀୟ ସ୍ୱାସ୍ଥ୍ୟ ମିଶନ, ସହକାରୀ ପରିଚାଳକ କମ୍ୟୁନିଟି ପ୍ରୋସେସ୍, ଏସଏଚଏଏସ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଏବଂ କମନ୍ ସର୍ଭିସ୍ ସେଣ୍ଟରର ଜିଲ୍ଲା ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ।