ଭବାନୀପାଟଣା/ଧର୍ମଗଡ଼,୩୧/୦୫:କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ଶନିବାର ବିଳମ୍ବିତ ରାତିରେ ଟ୍ରଲର ଓ ପିକଅପ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ସମ୍ପୂର୍ଣ ପୋଡ଼ି ଯାଇଥିବା ବେଳେ ଟ୍ରଲର ରେ ଥିବା ଜେସିବି ମଧ୍ୟ ଜଳିଯାଇଛି। ଏଥିସହିତ ପିକଅପ୍ ରେ ଥିବା ଅସଂଖ୍ୟ କୁକୁଡ଼ା ମଧ୍ୟ ଜଳି ଯାଇଛନ୍ତି। ସୌଭାଗ୍ୟକୁ ଦୁର୍ଘଟଣାରେ ୨ ଟି ଯାକ ଗାଡ଼ିର ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଛନ୍ତି। କୁକୁଡ଼ା ବୋଝେଇ ପିକଅପ ଟି କୋକସରା ପଟୁ ନବରଙ୍ଗପୁର ଯାଉଥିବା ବେଳେ ଏବଂ ଟ୍ରଲର ଟି ନବରଙ୍ଗପୁର ରୁ କଳାହାଣ୍ଡି ପଟକୁ ଆସୁଥିଲା। ଆମପାଣି ଘାଟିର ବିରୀମୁହାଣ ଛକ ରେ ଉଭୟ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।ଖବର ପାଇ ଆମପାଣି ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ପିକଅପ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି। ଆମପାଣି ଥାନା ପୋଲିସ ଘଟଣାର ତଦନ୍ତ କରୁଛି।