ଗରିବ ରୋଗୀଙ୍କ ଆହାର ଚୋରୀ, ତାତିଲେ ଉପଜିଲ୍ଲାପାଳ ।

0 0

ଟିଟିଲାଗଡ଼, ୧୯/୦୫:ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଦୀର୍ଘ ବର୍ଷ ଧରି ହଜାର ହଜାର ଗରିବ ରୋଗୀଙ୍କ ଆହାର ଚୋରୀ ହେଉଛି । ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ସାଧାରଣ ଜନତାଙ୍କୁ ତୈଳ ସଙ୍କଟ ସମୟରେ ଯାନବାହାନ ଉପରେ କମ ନିର୍ଭର ବାର୍ତ୍ତା ପାଇଁ ଘରୁ ଚାଲି ଚାଲି ଏକା ବାହାରିଥିବା ବେଳେ ଅଚାନକ ଡାକ୍ତରଖାନାରେ ପ୍ରବେଶ ବେଳେ ଏଭଳି ଅଭିଯୋଗ ନେଇ ତାଜୁବ ହୋଇପଡ଼ିଥିଲେ । ସାଧାରଣ ଲୋକଙ୍କ ବୁଝିବା ବାହାରେ କାନ୍ଥ କୋଣରେ ଇଂରାଜି ଭାଷାରେ ଲେଖାଯାଇଥିବା ଖାଦ୍ୟ ମେନୁ ତାଲିକା ଅନୁଯାୟୀ ବଦଳରେ ଯାହା ତାହା ତଥା ନିମ୍ନମାନର ଖାଦ୍ୟ ପରଷାଯାଉଥିବା ଡାକ୍ତରଖାନାରେ ଭର୍ତ୍ତି ରୋଗୀ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଉପଜିଲ୍ଲାପାଳଙ୍କ ଅଚାନକ ଗସ୍ତ ବିଷୟ ଜାଣି ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ ନାୟକ ସଦଳବଳ ପହଞ୍ଚିଥିବା ବେଳେ ଉପଜିଲ୍ଲାପାଳ ତଥା ରୋଗୀଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇନପାରି ହଡବଡେଇ ଯାଇଥିଲେ । ଜଣେ ରୋଗୀଙ୍କ ପରିଜନ ଅଭିଯୋଗ କରିଥିଲେ ଯେ ଜଣେ ଜଣେ ରୋଗୀଙ୍କୁ ଧାର୍ଯ୍ୟ ତିନି ଓଳି ଖାଦ୍ୟ ତ ଦୂରର କଥା ଗୋଟିଏ ଓଳି ଖାଦ୍ୟ ମଧ୍ୟ ମିଳେ ନାହିଁ । କେହି ଯଦି ଏଭଳି ଅବ୍ୟବସ୍ଥା ନେଇ କିଛି କହିବ ତେବେ ବଲାଙ୍ଗୀର ଡାକ୍ତରଖାନାକୁ ରେଫର କରିଦିଆଯାଇଥାଏ ବୋଲି ସେ କହିଥିଲେ l ଅନ୍ୟପକ୍ଷରେ ଏନେଇ ସ୍ୱାସ୍ଥ୍ୟ ଅଧିକାରୀ ଡା. ନାୟକ ରୋଗୀଙ୍କୁ ଖାଦ୍ୟ ପରଷିବା ଦାୟିତ୍ୱରେ ୭ ବର୍ଷ ହେଲା ଜଣେ ଠିକାଦାର ରହି ମନମାନି କରୁଛି । ତାକୁ ବିଦା କରିଵା ପାଇଁ ଯେତେ ଲେଖିଲେ ମଧ୍ୟ ଉପର ଅଧିକାରୀ ଶୁଣୁନାହାନ୍ତି ବୋଲି ଉପଜିଲ୍ଲାପାଳଙ୍କୁ ସଫେଇ ଦେଇଥିଲେ । ସେହିପରି ରୋଗୀଙ୍କ ବେଡ଼ରେ ବେଡ଼ସିଟ ପକାଇବାକୁ ଠିକା ନେଇଥିବା ସଂସ୍ଥା ନିଜ ଦାୟିତ୍ୱ ଠିକ ଭାବରେ ନିର୍ବାହ କରୁନଥିବା ଉପଜିଲ୍ଲାପାଳଙ୍କ ଦୃଷ୍ଟିରେ ଆସିଥିଲା । ବିଶେଷ କରି ଗରିବ ସାଧାରଣ ପରିବାର ସରକାରୀ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ସେମାନଙ୍କ ମୁହଁରୁ ଆହାର ଚୋରୀ ଏବଂ ଅନ୍ୟାନ୍ୟ ସମସ୍ୟା ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଉପଜିଲ୍ଲାପାଳ ଚାଲି ଚାଲି ଏକ ପେଟ୍ରୋଲ ପମ୍ପକୁ ଅଚାନକ ଗସ୍ତରେ ଯାଇ ତେଲ ପାଇଁ କୌଣସି ଭିଡ଼ ନଥିବା ଦେଖିଥିଲେ ।  ଉକ୍ତ ପେଟ୍ରୋଲ ପମ୍ପ ମାଲିକ ଉପଜିଲ୍ଲାପାଳଙ୍କୁ କମ୍ପ୍ୟୁଟର ପେଟ୍ରୋଲ, ଡିଜେଲର ପରିମାଣ ଦେଖାଇବା ସହ କୌଣସି ଅଭାବ ନଥିବା ଜଣାଇଥିଲେ ।

Leave A Reply

Your email address will not be published.