ନେତା ହେବା ପାଇଁ ପାଠଛାଟ ନାହିଁ
ହୁଅ ପଛେ ଅପରାଧି…..
ସରକାର ଗଢିଲେ ସବୁ ସମ୍ମାନ
ମିଳିଯିବ ନିରବଧି…..!!
ଜନତା ଟିକସେ ଦରମା ନେଇଣ
ବିଳାସରେ ଯିବ ଦିନ….
ନେତା ଠାରୁ ଆଉ ଭଲ ବ୍ୟବସାୟ
ରହିଛି କେଉଁଠି ପୁଣ…..!!
ଜିଲ୍ଲାପାଳ ଠାରୁ ଏସପି ପରିଯନ୍ତେ
ମାନିବେ ନେତାଙ୍କ କଥା….
ସରକାରୀ ବାବୁ ଉଠ ବସ୍ ହୋଇ
ଶୁଣୁଥିବେ ନେତା ବାର୍ତ୍ତା….!!
ବଦଳି ପୋଷ୍ଟଂ ନେତାଙ୍କ କମାଲ
ମାଲ ମିଳିଲେ ହେଲା…..
ସାକ୍ଷାତକାର ଆଉ ପରୀକ୍ଷା ନିରୀକ୍ଷା
ଲୋକ ଦେଖାଣିଆ ଭଲା…..!!
ତୁମର ମେରିଟ୍ ତୁମ ଘରେ ଥାଉ
ଲାଞ୍ଚ ଅଛି ଯଦି ପାଖେ….
ପ୍ରଶ୍ନପତ୍ର ଦେଖ ପ୍ରଘଟ ହୋଇବ
ଜାଣିବ ନ ପାରିବେ ଲୋକେ….!!
ପାଠ ପଢି ଦେଖ ଗରିବ ପିଲାଟା
ନ ପାଏ ଚାକିରୀ କେବେ….
ବଡ ବଡ ଡିଗ୍ରୀ ଧରି କାନ୍ଦୁଥିବ
ଭୋକରେ ମରିବ ତେବେ….!!
ସବୁଠାରୁ ଭଲ ହେବ କୁଜି ନେତା
ହେଲେ ଭଲ ସରପଞ୍ଚ….
ପଞ୍ଚାୟତ ସମିତି ଚେୟାର ମ୍ୟାନ ହେଲେ
ମିଳିବ ଅନେକ ଲାଞ୍ଚ….!!
ପାଠ ପଢି କିଆଁ ଅର୍ଥ ବରବାଦ
ଅଣ୍ଡର ମେଟ୍ରିକ୍ ଭଲ….
ଗଳିପଶି ଯେବେ ହେବ ବିଧାୟକ
ନ ହେବ କେ ସମତୁଲ….!!
ଭାଷଣ ପଛକେ ନ ଆସୁ ମଞ୍ଚରେ
କାଗଜ ନ ଆସୁ ପଢି….
କିଏ ବା ଆଙ୍ଗୁଠି ଦେଖାଇ କହିବ
ଜିଭଟିଏ ଯିବ ଉପାଡ଼ି….!!
ଯେଉଁ ଦଳ ହେବ ସଂଖ୍ୟା ଯେ ଗରିଷ୍ଠ
ଗଢିଦେବ ସରକାର…..
ଭୁଲି ଯିବ ଯେତେ ଥିଲା ପ୍ରତିଶ୍ରୁତି
ସବୁ ତ ପାଣିର ଗାର…..!!
ପାଞ୍ଚ ବରଷରେ ରାଜ କୋଷ ଯେତେ
ଲୁଣ୍ଠନ କରିଲେ ହେଲା…..
ବେକାରୀ ବଢିଲେ କିଏ ଭୋକେ ମଲେ
କାହାର କଣ ଗଲା….?
ପ୍ରେଟ୍ରୋଲ ଜିଡେଲ ହେଲାଣି ସଂକଟ
ରୋଷେଇ ପାଇଁ ଇନ୍ଧନ……
ହାହାକାର ଏବେ ଦେଶର ଜନତା
ନ ମିଳେ ସହଜ ପୁଣ….!!
ସୁନା ଦର ଏବେ ଆକାଶ ଛୁଆଁ ଯେ
ଗରିବ ମୁଣ୍ଡେ ଚଡକ….
ଖାଉଟି ଦରବ ମୂଲ୍ୟ ବୃଦ୍ଧି ପାଇଁ
ଦିନୁ ଦିନୁ ବଢେ ଦୁଃଖ….!!
ଏବେ ଘର ଭଙ୍ଗା ସର୍କାର ଆସିଛି
ବସ୍ତିରେ ଡୋଜର ମାରି….
ଗରିବ ମୁଣ୍ଡରେ ପଡ଼ିଛି ଚଡ଼କ
ନ ଶୁଣେ କିଏ ଗୁହାରୀ…..!!
ଗରିବ କଲ୍ୟାଣ ଯୋଜନା ଟି ନାହିଁ
ଗରିବ ଭୋଟ ପାଇ…..
ଏମିତି ଦୁର୍ଦ୍ଦଶା ଓଡ଼ିଶାରେ ଏବେ
କାହାକୁ କହିବ ଯାଇ….!!
ପ୍ରତି ଦିନ ଦେଖ ହତ୍ୟା ଅପରାଧ
ସଂଘବଦ୍ଧ ଆକ୍ରମଣ….
ପୋଲିସ ଟା ଏବେ ସ୍ଥାଣୁ ପାଲଟିଛି
ସଂକଟ ଧନ ଜୀବନ…..!!
ଗାଁ ଖାଁ ଖାଁ କାମ ଧନ୍ଦା ନାହିଁ
ଭିଟା ମାଟି ଛାଡି ପୁଅ….
ଦାଦନ କଟୁଛି ପର ରାଇଜରେ
ବୁଢି ମା ଆଖିରେ ଲୁହ…..!!
ଏ ଗଣତନ୍ତ୍ରର କିଛି ମୂଲ୍ୟ ନାହିଁ
ଯିଏ ହେଲେ ସରକାର…..
ଗରିବଟା ସଦା ମରୁଛି କଷ୍ଟରେ
ନାହିଁ ତାର ପ୍ରତିକାର….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)