ବିକଶିତ ଓଡ଼ିଶା @୨୦୩୬’ ପାଇଁ ଗତିଶୀଳ ନଗର ରୋଡମ୍ୟାପ୍ ।

0 0

ଭୁବନେଶ୍ୱର ,୦୬/୦୫(ପିପିଟି):ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଓ ଦୃଷ୍ଟିଭଙ୍ଗୀରେ ଓଡ଼ିଶାର ସହର ଉନ୍ନୟନ ଏବେ ନୂତନ ଗତି ଧାରଣ କରିଛି। ‘ବିକଶିତ ଓଡ଼ିଶା @୨୦୩୬’ ଲକ୍ଷ୍ୟକୁ ସାକାର କରିବା ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଓଡ଼ିଶା ଅର୍ବାନ ଏକାଡେମୀରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏକ ସମୟସୀମାବଦ୍ଧ ଓ ଫଳକେନ୍ଦ୍ରିତ ରୋଡମ୍ୟାପ୍‌ର ସ୍ପଷ୍ଟ ଦିଗନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମୀକ୍ଷା ସମୟରେ ମନ୍ତ୍ରୀ ଡଃ ମହାପାତ୍ର ଜୋର ଦେଇ କହିଥିଲେ ଯେ, “ନଗର ଉନ୍ନୟନର ସଫଳତା କେବଳ ଢାଞ୍ଚାଗତ ବିକାଶରେ ମାପାଯିବ ନାହିଁ; ଲୋକଙ୍କ ଜୀବନମାନ, ଜୀବିକା ଓ ସୁବିଧାରେ ଆସୁଥିବା ପରିବର୍ତ୍ତନ ହିଁ ସରକାରଙ୍କ ପ୍ରକୃତ ସଫଳତାର ପରିଚୟ।” ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୯୮% ବଜେଟ୍ ବ୍ୟୟ ହୋଇଥିବାକୁ ସେ ଦୃଢ଼ ପ୍ରଶାସନିକ କ୍ଷମତାର ପ୍ରତିଫଳ ବୋଲି ଉଲ୍ଲେଖ କରିଥିଲେ।

ମିଡିଆକୁ ସମ୍ବୋଧିତ କରି ମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୩୬ ସୁଦ୍ଧା ସହରାଞ୍ଚଳର ୮୦% ଲୋକଙ୍କୁ ଆବାସ ସୁବିଧା ଯୋଗାଇବାକୁ ‘ସମସ୍ତଙ୍କ ପାଇଁ ଛାତ’ ଅଭିଯାନ ଆରମ୍ଭ ହେଉଛି। ଏଥିରେ ଆର୍ଥିକ ଦୁର୍ବଳ, ସ୍ଵଳ୍ପ ଆୟକାରୀ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଡ଼ା ଆଧାରିତ ଆବାସ ମଡେଲକୁ ଗୁରୁତ୍ୱ ଦିଆଯିବ। ରାଉରକେଲାରୁ ପାଇଲଟ୍ ଆରମ୍ଭ କରାଯାଇ ପର୍ଯ୍ୟାୟକ୍ରମେ ସମସ୍ତ ପ୍ରମୁଖ ସହରକୁ ବିସ୍ତାର କରାଯିବ।

ସହର ବିକାଶରେ ‘ଲ୍ୟାଣ୍ଡ ପୁଲିଂ’ ମଡେଲକୁ ଗେମ୍-ଚେଞ୍ଜର ଭାବେ ଉପସ୍ଥାପନ କରି ମନ୍ତ୍ରୀ କହିଥିଲେ ଯେ, ୪୦% ଜମି ସାର୍ବଜନୀନ ଢାଞ୍ଚା ପାଇଁ ବ୍ୟବହୃତ ହେବା ସହ ୬୦% ବିକଶିତ ଜମି ମାଲିକଙ୍କୁ ଫେରସ୍ତ ମିଳିବ—ଯାହା ଜମି ବିବାଦ କମେଇବା ସହ ଆଧୁନିକ ନଗର ଯୋଜନାକୁ ତ୍ୱରାନ୍ୱିତ କରିବ।

୪୯ ସହରରେ ସ୍ମାର୍ଟ ଇନ୍ଫ୍ରା ପୁଷ୍—ଜଳ, ରାସ୍ତା ଓ ନିଷ୍କାସନରେ ଫୋକସ୍ । “ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି” ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୪୯ଟି ସହରକୁ ଚୟନ କରାଯାଇଛି। ଏହି ସହରଗୁଡ଼ିକରେ ଆଧୁନିକ ସଡ଼କ, ୨୪x୭ ପାନୀୟ ଜଳ ଯୋଗାଣ ଓ ବୈଜ୍ଞାନିକ ନିଷ୍କାସନ ବ୍ୟବସ୍ଥାକୁ ଅଗ୍ରଗତି ଦିଆଯିବ। ସେଥିସହ ‘ଅମୃତ’ ଯୋଜନା ମାଧ୍ୟମରେ ପ୍ରତ୍ୟେକ ସହରୀ ପରିବାରକୁ ନଳ ଯୋଗେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାରେ ସରକାର ପ୍ରତିବଦ୍ଧ।

ଜଳବନ୍ଦୀର ସ୍ଥାୟୀ ସମାଧାନ ସହରୀ ବନ୍ୟା ସମସ୍ୟାର ମୂଳ ସମାଧାନ ପାଇଁ ସମଗ୍ର ‘ଡ୍ରେନେଜ୍ ମାଷ୍ଟର ପ୍ଲାନ’ ପ୍ରସ୍ତୁତ ହୋଇଛି। ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଗାଙ୍ଗୁଆ ନାଳ ଓ ଦୟା ପଶ୍ଚିମ କେନାଲର ପୁନରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ ଓ ଅର୍ଥବିନ୍ୟାସ ହୋଇସାରିଛି। ନଗର ଉନ୍ନୟନ ଓ ଜଳସମ୍ପଦ ବିଭାଗ ମିଳିତ ଭାବେ ଶୀଘ୍ର କାମ ଆରମ୍ଭ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ଭିସନ୍‌ ଅନୁସାରେ ସହରୀ ଜଳବନ୍ଦୀ ସମସ୍ୟାର ସମାଧାନରେ ଏକ ବୃହତ୍ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଥିଲେ।

‘ସୁଯୋଗ ପୋର୍ଟାଲ’ ମାଧ୍ୟମରେ ସମସ୍ତ ଅନୁମୋଦନ ୭ ଦିନ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଳମ୍ବ ହେଲେ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର ଆର୍ଥିକ ଦଣ୍ଡ ଗ୍ରହଣ କରାଯିବ—ଏହା ସରକାରଙ୍କ ଜବାବଦେହିତା ଓ ପାରଦର୍ଶିତା ପ୍ରତି ଦୃଢ଼ ସଙ୍କଳ୍ପକୁ ପ୍ରକାଶ କରେ।

୨୮ଟି ନୂତନ ପୌର ସଂସ୍ଥାକୁ ସମ୍ପୂର୍ଣ୍ଣ ସକ୍ରିୟ କରିବା ସହ ସିସିଟିଭି ସର୍ଭେଲାନ୍ସ ବିସ୍ତାର, ବଜାର କମ୍ପ୍ଲେକ୍ସ, କମ୍ୟୁନିଟି ହଲ୍ ଓ ଶ୍ମଶାନ ଭଳି ମୂଳଭୂତ ସାମୁଦାୟିକ ଢାଞ୍ଚାକୁ ଶକ୍ତିଶାଳୀ କରିବା ଉପରେ ମନ୍ତ୍ରୀ ବିଶେଷ ଫୋକସ୍ ଦେଇଛନ୍ତି।

ଶେଷରେ ମନ୍ତ୍ରୀ ଡଃ ମହାପାତ୍ର ସମସ୍ତ ଅଧିକାରୀଙ୍କୁ ଆହ୍ୱାନ କରି କହିଥିଲେ ଯେ, “୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ଆଧୁନିକ, ସମୃଦ୍ଧ ଓ ନାଗରିକ-କେନ୍ଦ୍ରିତ ରାଜ୍ୟରେ ପରିଣତ କରିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ।”

 

Leave A Reply

Your email address will not be published.