ଓକିଲ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲା ଭଞ୍ଜନଗର ଓକିଲ ସଂଘ  ।

0 184

ଭଞ୍ଜନଗର, ୨୮/୦୪(ପିପିଟି ):ଭଞ୍ଜନଗର ବାର ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଆଇନଜୀବୀ ଦିବସ ଏବଂ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଶା ହାଇକୋର୍ଟର ବିଚାରପତି ମୁରାହରି ଶ୍ରୀ ରମଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର ଓ ବେଞ୍ଚ ମଧ୍ୟରେ ସମନ୍ବୟ ରହିଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ବୋଲି କହିଥିଲେ। ଯୁବ ଏବଂ ନବାଗତ ଆଇନଜୀବୀମାନେ ଡିଜିଟାଲ ଯୁଗରେ ଏଆଇ ସହ ନିଜର ମସ୍ତିଷ୍କକୁ ମଧ୍ୟ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ଡେପୁଟି ସୋଲିସିଟର ଜେନେରାଲ ପ୍ରସନ୍ନ କୁମାର ପାରି ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଯୁବ ଆଇନଜୀବୀମାନେ ଯଦି ନିଜର ସାଧନା ଜାରି ରଖିବେ ଏବଂ ଲୋକଙ୍କ ସହ ଉତ୍ତମ ଭାବେ ମାମଲା ଗୁଡିକରେ ଯୋଡ଼ି ହେବେ ତେବେ ନିଶ୍ଚିତ ଭାବରେ ଭଲ ପରମ୍ପରା ସୃଷ୍ଟି ସହ ତାହା ପରବର୍ତ୍ତୀ ପିଢିମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାରି କହିଥିଲେ। ଏଥିସହ ସେ କହିଥିଲେ ଆମେ ପରସ୍ପରକୁ ସମ୍ମାନ ଦେବା। ନ୍ୟାୟପାଳିକାକୁ ମଧ୍ୟ ଉପଯୁକ୍ତ ସମ୍ମାନ ଦେବାକୁ ପଡିବ। ଯୁବ ଆଇନଜୀବୀ ଏବଂ ନବାଗତ ଆଇନଜୀବୀମାନେ ସର୍ବଦା ପ୍ରସ୍ତୁତ ହୋଇ ମାମଲା ଗୁଡିକର ଉପସ୍ଥାପନା କରିବାକୁ ଶ୍ରୀ ପାରି ଆହ୍ବାନ କରିଥିଲେ। ପୁରୀ ଶ୍ରୀମନ୍ଦିର ସଂସ୍କୃତିକୁ ଲୋପ କରିବା ପାଇଁ ବ୍ରିଟିଶ ଶାସକ ଚେଷ୍ଟା କରିଥିଲେ। ଫଳରେ ରାଜ ପରିବାର ପକ୍ଷରୁ ଏନେଇ ଆଇନର ଆଶ୍ରୟ ନିଆଯାଇଥିଲା। ମଧୁବାବୁ ଉକ୍ତ ମାମଲା ପରିଚାଳନା କରି ଓଡ଼ିଆଙ୍କ ସମ୍ମାନ ରକ୍ଷା କରିଥିଲେ ବୋଲି ମଧ୍ୟ ସେ କହିଥିଲେ। ବାର ଆସୋସିଏଶନ ସଭାପତି ସନ୍ତୋଷ କୁମାର ନାୟକ ଉତ୍ସବରେ ଅଧ୍ୟକ୍ଷତା କରି ଆଇନଜୀବୀମାନଙ୍କ ବିଭିନ୍ନ ସମସ୍ୟା ଓ ତାର ନିରାକରଣ ଉପରେ କହିଥିଲେ। ପୂର୍ବତନ ସମ୍ପାଦକ ହରେକୃଷ୍ଠ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ବିମ୍ବାଧର ଷଡ଼ଙ୍ଗୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ଭଞ୍ଜନଗର ବାର ଆସୋସିଏଶନର ବରିଷ୍ଠ ଆଇନଜୀବୀ ଜ୍ୟୋତି ରାଜ ପତି, ପ୍ରମୋଦ କୁମାର ପ୍ରଧାନ, ଛବି ଲାଲ ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ଧୀରେନ କୁମାର ସ୍ବାଇଁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଏଡିଜେ ମହମ୍ମଦ କଏସ, ସବ ଜଜ ଦେବାଶିଷ ବିଷୋୟୀ, ବରିଷ୍ଠ ଆଇନଜିବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ ତିଆଡି, ରବି ଦାସ, ଗୋପାଳ ପ୍ରଧାନ, ଡ ନିରଞ୍ଜନ ସ୍ବାଇଁ, ଗୋପାଳ କୃଷ୍ଣ ନାୟକ,ଦିବାକର ନାୟକ, ବୀଷ୍ଟୁ ପ୍ରସାଦ ପ୍ରଧାନ, ଅଳକା ମଞ୍ଜରୀ ପଟ୍ଟନାୟକଙ୍କ ସହ ସମ୍ପାଦିକା ସ୍ନିଗ୍ଧା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ଓକିଲ ବସନ୍ତ କୁମାର ଦାସ,ଧବଳେଶ୍ବର ମାଝୀ, ମନୋଜ ପଟ୍ଟନାୟକ, ଜ୍ଞାନେନ୍ଦ୍ର ନାୟକ, ପ୍ରଭାକର ପାତ୍ର, ଉପସଭାପତି ରଜତ କୁମାର ଦାସ, କୋଷାଧ୍ୟକ୍ଷ ମଧୁସୂଦନ ପଣ୍ଡା, ରବିନ୍ଦ୍ର ନାଥ ବେହେରା, ଗିରିଜା ଶଙ୍କର ଭୂୟାଁ, ସଞ୍ଜୀବ କୁମାର ପାତ୍ର , ପୀତବାସ ବିଷୋୟୀ ପ୍ରମୁଖ କାର୍‌ୟଯକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଆଜି ସକାଳେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବାର ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ସେ ଭଞ୍ଜନଗର ଓକିଲ ସଙ୍ଘର ପାଣ୍ଠିକୁ ବୃଦ୍ଧି କରିବା ପାଇଁ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଏହି ବାରକୁ ପ୍ରଦାନ କରାଯାଉଛି ବୋଲି ବିଧାୟକ ନାୟକ କହିଥିଲେ।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.