ଆରମ୍ଭ ହେଲା ଭଞ୍ଜନଗର ଠାକୁରାଣୀ ଯାତ୍ରା: ଆଜି ମାଆ’ ଙ୍କ ବିଶ୍ରାମ ଦିବସ  ।

0 205

ଭଞ୍ଜନଗର, ୨୭/୦୪(ପିପିଟି):ଆନନ୍ଦ ଉଲ୍ଲାସରେ ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲା ଭଞ୍ଜ ନଗର ଐତିହାସିକ ଠାକୁରାଣୀ ଯାତ୍ରା।ରବିବାର ସକାଳେ ଆୟୋଜକ ଯାତ୍ରା କମିଟି ଓ ଭକ୍ତମାନେ ଯାଇ କୁଲାଡ଼ରେ ମା’ ବାଗଦେବୀଙ୍କୁ ନିମନ୍ତ୍ରଣ କରି ପୂଜାର୍ଚ୍ଚନା ପରେ ଘଣ୍ଟ ଘଣ୍ଟା, ଢୋଲ ମହୁରୀ ଶବ୍ଦରେ ମା’ଙ୍କ ମଥାରୁ ଆଜ୍ଞାମାଳ ଖସିଥିଲା। ପରମ୍ପରା ଅନୁଯାୟୀ ଏକ ଶଗଡ଼ରେ ବିଜେ ହୋଇ ମା ‘ବାଗଦେବୀ ବାପଘର ଭଞ୍ଜନଗର ଅଭିମୁଖେ ବାହାରିଥିଲେ। ମା’ ଆସିବା ସମୟରେ ରାସ୍ତାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ। ୮କିଲୋମିଟର ରାସ୍ତା ଅତିକ୍ରମ କରି ସନ୍ଧ୍ୟାରେ ମା’ ଭଞ୍ଜନଗର ବ୍ଲକ ଛକ କଁୟା ବାଗଦେବୀଙ୍କ ପୀଠରେ ପହଞ୍ଚି କିଛି ସମୟ ବିଶ୍ରାମ ନେବାପରେ ସନ୍ଧ୍ୟା ଆଳତି ସମ୍ପନ୍ନ ହୋଇଥିଲା । ସେଠାରୁ ମା’ ବାଗଦେବୀ ବିରାଟ ଶୋଭାଯାତ୍ରାରେ ବାଣ ପଟୁଆରରେ ବାହାରି ବିଳମ୍ବିତ ରାତିରେ ଅସ୍ଥାୟୀ ମଣ୍ଡପରେ ପହଁଞ୍ଚି ଥିଲେ । ପରମ୍ପରା ଅନୁଯାୟୀ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପୁରୋଧା ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ସହ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ, ମା’ଙ୍କ ଆଗମନ ଯାତ୍ରାରେ ସାମିଲ ହୋଇଥିଲେ। ତାପରେ ସେଠାରୁ ମା’ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ଆଣିଥିଲେ ଦେଶୀ ବେହେରା ପରିବାର । ପ୍ରଥମ ଦିନରେ ଉଭୟ ମା’ଙ୍କର ଅସ୍ଥାୟୀ ପୀଠରେ ବିଜେ ନୀତି ଶେଷ ହୋଇଥିଲା। ଯାତ୍ରା କମିଟିର କର୍ମକର୍ତ୍ତା,ସମସ୍ତ ସଦସ୍ୟ, ପ୍ରଶାସନ, ପୋଲିସ ବିଭାଗ ଓ ସ୍ବେଛାସେବୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଆଜି ଥିଲା ମା’ଙ୍କ ବିଶ୍ରାମ ଦିବସ। ତେଣୁ ଆଜି ଦିନ ତମାମ ଅସ୍ଥାୟୀ ମଣ୍ଡପରେ ଦର୍ଶନ ନିମନ୍ତେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିରହିଛି। ମଙ୍ଗଳବାର ଠାରୁ ମା’ଙ୍କ ନଗରଭ୍ରମଣ ଯାତ୍ରା ଆରମ୍ଭ ହେବ।

ରିପୋର୍ଟ -ଜେ.କେ ପଟ୍ଟନାୟକ

Leave A Reply

Your email address will not be published.