ଦଳିତଙ୍କ ବିବାହ ଶୋଭାଯାତ୍ରା ଉପରେ ଆକ୍ରମଣ; ୧୦ରୁ ଉର୍ଦ୍ଧ୍ବ ଆହାତ।

0 2

ବ୍ରହ୍ମପୁର,୨୭/୦୪(ପିପିଟି): ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ୍ ଅନ୍ତର୍ଗତ ବଡ ବଦାଙ୍ଗୀ ଗ୍ରାମରେ ଦଳିତ ସମ୍ପ୍ରଦାୟର ଲୋକମାନେ ଏକ ବିବାହ ଶୋଭାଯାତ୍ରାରେ ମୁଖ୍ୟରାସ୍ତାରେ ଯାଉଥିବା ବେଳେ ଗାଁର ସବର୍ଣ୍ଣ ଲୋକମାନେ ଜାତିଆଣ ମନୋଭାବ ନେଇ ସଂଘବଦ୍ଧ ଭାବେ ସେମାନଙ୍କୁ ବିରୋଧ କରିବା ସହ ଶୋଭାଯାତ୍ରା ନକରି ଫେରିଯିବାକୁ କହିଥିଲେ । ଶୋଭାଯାତ୍ରାକାରୀମାନେ ସେଥିରେ ରାଜି ନହେବାରୁ ସବର୍ଣ୍ଣ ଲୋକମାନେ ଠେଙ୍ଗାବାଡି ଓ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହି ଅତର୍କିତ ଆକ୍ରମଣ ଫଳରେ ୧୦ରୁ ଉର୍ଦ୍ଧ୍ୱ ଦଳିତ ଲୋକ ଗୁରୁତ୍ତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଆକ୍ରମଣ ଭୟରେ ଗାଁର ଦଳିତ ଲୋକମାନେ ଘରଦ୍ଵାର ଛାଡି ବାହାରକୁ ଚାଲି ଯାଇଛନ୍ତି । ଓଡିଶା ଦଳିତ ମହାସଭା ଓ ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ଏହି ଆକ୍ରମଣର ନିନ୍ଦା କରିବା ସହ ଅପରାଧୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ବଡ ବଦାଙ୍ଗି ଗ୍ରାମରେ ଦଳିତ ଲୋକମାନେ ଲଗାତାର ଭାବେ ଜାତିଆଣ ଭେଦଭାବ ଓ ହିଂସାର ଶିକାର ହୋଇ ଆସୁଛନ୍ତି । ଗାଁର ସର୍ବସାଧାରଣ ପୋଖରୀ,ମନ୍ଦିର ଆଦିରେ ଦଳିତମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଗାଁର ହୋଟେଲରେ ଜାତି ଆଧାରରେ ଦୁଇ ଗ୍ଳାସର ବ୍ୟବସ୍ଥା ସହ ଦୋକାନରୁ ଜିନିଷ ପତ୍ର କିଣିବା ବେଳେ ଦଳିତ ଲୋକଙ୍କୁ ଜିନିଷ ଫୋପାଡ଼ି ଦେଉଛନ୍ତି ।

Leave A Reply

Your email address will not be published.