ମାଲକାନଗିରିରେ ସି.ବି.ଏସ୍.ଇ. ଦଶମ ଶ୍ରେଣୀ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ ।

0 216

ମାଲକାନଗିରି,୧୮/୦୪(ପିପିଟି):ଆଜି ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲାପାଳ, ମାଲକାନଗିରି ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ସି.ବି.ଏସ.ଇ. ଦଶମ ପରୀକ୍ଷାରେ ୯୦% ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୨୮ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିଛନ୍ତି। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗୀରଥି ବେହେରା ଉପସ୍ଥିତ ଥିଲେ। ମାଲକାନଗିରି ଭଳି ଏକ ଆକାଂକ୍ଷୀ ଜିଲ୍ଲାର ପିଲାମାନେ ଜାତୀୟ ସ୍ତରର ପରୀକ୍ଷାରେ ଏଭଳି ଉତ୍କୃଷ୍ଟ ପ୍ରଦର୍ଶନ କରିବା ସମସ୍ତ ଜିଲ୍ଲାବାସୀଙ୍କ ପାଇଁ ଗର୍ବର ବିଷୟ। ଏମାନେ ଅନ୍ୟ ପିଲାମାନଙ୍କ ପାଇଁ ପ୍ରେରଣା। ଶିକ୍ଷା ହିଁ ପରିବର୍ତ୍ତନର ମୂଳ ଚାବି।” ବୋଲି ଜିଲ୍ଲାପାଳ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅଁଳାପଦର ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଲକ୍ଷ୍ମଣ ଦୋରାଙ୍କୁ ୧୭ ବର୍ଷ ବିଭାଗ ଜାତୀୟ ବିଦ୍ୟାଳୟ କ୍ରିକେଟ ପାଇଁ ଚୟନିତ ହୋଇଥିବାରୁ ଅତିଥି ଗଣଙ୍କ ଦ୍ଵାରା ଶୁଭେଛା ଓ ସମ୍ମାନ ପ୍ରଦାନ କରାଗଲା ।
କାର୍ଯ୍ୟକ୍ରମରେ ଜବାହର ନବୋଦୟ ବିଦ୍ୟାଳୟରୁ ୧୧ ଜଣ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ୮ଜଣ, କେନ୍ଦ୍ରୀୟ ବିଦ୍ୟାଳୟରୁ ୩ ଜଣ ଏବଂ ଆଇ.ଏମ୍.ଏସ.ଟି. ବିଦ୍ୟାଳୟରୁ ୬ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନ ଫଳକ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସେମାନଙ୍କ ପିତାମାତା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଯାଇଥିଲା।ପରେ ଜିଲାସ୍ତରୀୟ ଶିକ୍ଷା ବିଭାଗ ସମୀକ୍ଷା ବୈଠକ ପ୍ରସ୍ତୁତି ହେଲା ଯେଉଁଥିରେ ଜିଲ୍ଲା ଶିକ୍ଷା ଅଧିକାରୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ ସହ ବିଭିନ୍ନ ବିଭାଗୀୟ ମୁଖ୍ୟ ନିଜ ନିଜର କାର୍ଯ୍ୟ ନୂତନ ଜିଲ୍ଲାପାଳଙ୍କ ସମ୍ମୁଖରେ ଉପସ୍ଥାପନ କଲେ।ସମସ୍ତ ତଥ୍ୟ ଅବଗତ ପରେ ଜିଲ୍ଲାପାଳ ବିଦ୍ୟାଳୟ ସୁରକ୍ଷା ଓ ବାଳିକାଙ୍କ ସ୍ୱାସ୍ଥ୍ୟକୁ ନିୟମିତ ପରଖିବା, ପାଠ ଛାଡିଥିବା ପିଲାଙ୍କୁ ମୁଖ୍ୟ ସ୍ରୋତକୁ ଫେରେଇ ଆଣିବା, ବିଦ୍ୟାଳୟ ପୋଷାକ ଓ ପୁସ୍ତକ ବଣ୍ଟନକୁ ତ୍ୱରାନ୍ୱିତ କରିବା, ଦଶମ ଶ୍ରେଣୀ ପିଲାଙ୍କ ଭଲ ଫଳାଫଳ ପାଇଁ ଅଭିନବ କାର୍ଯ୍ୟକ୍ରମ ହାତକୁ ନେବା, ପାଠ୍ୟଖସଡା ସଠିକ୍ ସମୟରେ ସାରିବା ଏବଂ ବିଚାର ମଞ୍ଚ କିମ୍ବା ଶିକ୍ଷା ଷ୍ଟୁଡିଓ ମାଧ୍ୟମରେ ଉନ୍ନତ ଶିକ୍ଷା ପ୍ରଣାଳୀ ପ୍ରସ୍ତୁତ କରିବା ଆଦି ବିଷୟକୁ ଅତି ଗୁରୁତ୍ତର ନେବାକୁ ନିର୍ଦ୍ଦେଶ ଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.