ବ୍ରହ୍ମପୁର,୧୭/୦୪(ପିପିଟି):ସିଜିମାଳି (ରାୟଗଡ଼ା), ପାଟଣା(କେନ୍ଦୁଝର), ଲାଞ୍ଜିବେର୍ଣ୍ଣା (ସୁନ୍ଦରଗଡ଼) ସମେତ ରାଜ୍ୟରେ ସର୍ବତ୍ର କମ୍ପାନୀ ସ୍ୱାର୍ଥରେ ଜମି ଅଧିଗ୍ରହଣ ଓ ପୋଲିସର ଦମନ ବିରୁଦ୍ଧରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ,ସିପିଆଇ(ଏମଏଲ) , ସିପିଆଇ(ଏମଏଲ) ରେଡଷ୍ଟାର ,ସିପିଆଇ(ଏମଏଲ) ନ୍ୟୁ ଡେମୋକ୍ରେସି ଆଦି ୪ ବାମପନ୍ଥୀ ପାର୍ଟି ତରଫରୁ ଡାକରା ଦିଆଯାଇଥିବା ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳନ ଅବସରରେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହେବା ସହ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ଓଡ଼ିଶାର ମହାମହିମ, ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ବିକ୍ଷୋଭ ସଭାରେ ବକ୍ତାଗଣ କହିଥିଲେ ଯେ ସିଜିମାଳି ଅଂଚଳରେ, ବିଶେଷକରି କଂଟାମାଳ ଗାଁରେ ୬-୭ ଏପ୍ରିଲ୍ ତାରିଖ ମଧ୍ୟରାତ୍ରୀରେ ପୋଲିସ ଗ୍ରାମବାସୀଙ୍କ ଉପରେ ଭୟଙ୍କର ଦମନ ଓ ଅତ୍ୟାଚାର କରିଛି। ପୋଲିସ ଗାଁରେ ଅତର୍କିତ ଚଢ଼ାଉ କରି ଲୋକମାନଙ୍କୁ ଘରୁ ବାହାର କରିବା ସହ ମାଡ ମାରିଛି । ଲୋକଙ୍କ ଉପରେ କାଠିଚାର୍ଜ ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି । ପୋଲିସର ଏହି ଆକ୍ରମଣରେ ଗାଁର ମହିଳା, ବୟସ୍କ ଓ ନାବାଳକ ସ୍କୁଲ ପିଲାଙ୍କ ସମେତ ଅନେକ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ସ୍ଥାନୀୟ ଲୋକ ବିଶେଷ କରି ଆଦିବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ସେମାନେ ପୋଲିସ ଭୟରେ ଗାଁ ବାହାରକୁ ଯିବା ସମ୍ଭବ ହେଉନାହିଁ। ଏପରିକି ସେଦିନ ପୋଲିସ ଆକ୍ରମଣରେ ଆହତ ଲୋକେ ଚିକିତ୍ସା ପାଇଁ ହସ୍ପିଟାଲକୁ ମଧ୍ୟ ଯାଇପାରି ନଥିଲେ । ଏହା ସହିତ ମାର୍ଚ୍ଚ ୧୦ ତାରିଖରେ କଳାହାଣ୍ଡି ଜିଲ୍ଲାର ତଳ ଆମପଦରରେ ମଧ୍ୟ ଏକ ସମାନ ଘଟଣା ଘଟିଥିଲା, ଯେଉଁଠାରେ ଆଦିବାସୀଙ୍କ ଘରଭଙ୍ଗା ଯିବା ସହ ସେମାନଙ୍କୁ ଆକ୍ରମଣ କରାଯାଇଥିଲା । ୧୦ ଜଣ ମହିଳାଙ୍କ ସମେତ ମୋଟ ୨୧ ଜଣ ଆଦିବାସୀଙ୍କୁ ଗିରଫ କରି ଭବାନୀପଟଣା ଜେଲରେ ରଖାଯାଇଛି ।
ଏହା ସହିତ ପାଟଣା(କେନ୍ଦୁଝର), (ଲାଞ୍ଜିବେର୍ଣ୍ଣା ସୁନ୍ଦରଗଡ଼)ରେ କମ୍ପାନୀ ସ୍ୱାର୍ଥରେ ଜମି ଅଧିଗ୍ରହଣ ବିରୁଦ୍ଧରେ ନିଜ ଭିଟାମାଟିର ସୁରକ୍ଷା ପାଇଁ ଆନ୍ଦୋଳନରତ ଜନତାଙ୍କ ଉପରେ ପୋଲିସର ଦମନଲୀଳା ଅତ୍ୟନ୍ତ ନିନ୍ଦନୀୟ।
ତେଣୁ ସିଜିମାଳିରେ ସରକାର ପ୍ରାୟୋଜିତ ହିଂସା ଓ ଗ୍ରାମସଭା ଆୟୋଜନରେ ଜାଲିଆତିର ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ କରିବ, ସିଜିମାଳି, ପାଟଣା ଓ ଲାଞ୍ଜିବେର୍ଣ୍ଣା ସମେତ ଭିଟାମାଟିର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଭାବେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ପୋଲିସ ଦମନ ତୁରନ୍ତ ବନ୍ଦ କରିବା, ସମସ୍ତ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଦାୟର ସମସ୍ତ ମିଥ୍ୟା ମାମଲା ହଟାଯାଇ ଓ ଗିରଫ ଲୋକମାନଙ୍କୁ ଅବିଳମ୍ବେ ମୁକ୍ତ କରିବା, ସିଜିମାଳିରେ ବେଦାନ୍ତର ବକ୍ସାଇଟ୍ ଖଣି ପ୍ରକଳ୍ପକୁ ବାତିଲ କରିବା, ପରିବେଶ ଓ ଲୋକଙ୍କ ଚଳନ୍ତି ଜୀବିକାର ସୁରକ୍ଷାକୁ ନିଶ୍ଚିତ କରିବା ସହ ବିକାଶ ନାଁରେ ବଳପୂର୍ବକ ଜମି ଅଧିଗ୍ରହଣ ବନ୍ଦ କରିବା, ୫ମ ଅନୁସୂଚୀ ଅଂଚଳରେ ଗ୍ରାମସଭାର ପୂର୍ବ, ସଚେତନ ଏବଂ ଘଷ୍ଟ ସମ୍ମତି ବିନା ଅନୁମୋଦିତ ସମସ୍ତ ପ୍ରକଳ୍ପକୁ ବାତିଲ କରିବା, ପାଟଣା (କେନ୍ଦୁଝର) ଓ ଲାଞ୍ଜିବେୟାଁ (ସୁନ୍ଦରଗଡ଼)ରେ ଶିଳ୍ପ ପାଇଁ ଲୋକଙ୍କ ଜମି ଓ ଜଙ୍ଗଲକୁ ବଳପୂର୍ବକ ଅଧିଗ୍ରହଣ ଓ ବିସ୍ଥାପନ ବନ୍ଦ କରିବା, ମାଳି ପର୍ବତ (ସେମିଳିଗୁଡା), ସେରୁବନ୍ଧ (ପଟାଙ୍ଗି), କୁଟୁମାନି (କାଶିପୁର) ଓ ବାଳଦା (ନନ୍ଦପୁର) ଆଦିରେ ସ୍ଥାନୀୟ ଲୋକଙ୍କ ଭିଟାମାଟିକୁ ଧ୍ୱଂସ କରିବାକୁ ଯାଉଥିବା ଖଣି ଖନନ ପ୍ରକଳ୍ପ ଗୁଡିକୁ ବାତିଲ କରିବା,ଉପରୋକ୍ତ ଅଂଚଳରେ ନିଜର ଜମି, ଜଙ୍ଗଲ ଓ ଜୀବିକାର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଭାବେ ସଂଘର୍ଷ କରୁଥିବା ଲୋକଙ୍କ ପୋଲିସ ଦମନ ଓ ଅତ୍ୟାଚାର ବନ୍ଦ କରିବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରି ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଆଜିର କାର୍ଯ୍ୟକ୍ରମରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ତରଫରୁ ସୋମନାଥ ବେହେରା,ନିମାଇଁ ଚରଣ ସାହୁ, ସିପିଆଇ(ଏମଏଲ) ନ୍ୟୁ ଡେମୋକ୍ରେସି ତରଫରୁ ଭାଲ ଚନ୍ଦ୍ର ଷଡ଼ଙ୍ଗୀ,ସଂଗ୍ରାମ ନାୟକ,ସିପିଆଇ (ଏମଏଲ) ତରଫରୁ ଅବନୀ ଗୟା, ଗଗନଚନ୍ଦ୍ର ମଲ୍ଲିକ ସିପିଆଇ(ଏମଏଲ) ରେଡ଼ଷ୍ଟାର ତରଫରୁ ପି. ପାର୍ବତୀଙ୍କ ସମେତ ଲଡୁକିଶୋର ଡାକୁଆ, ନାରାୟଣ ବିଷୋୟୀ,ପ୍ରକାଶ ଚନ୍ଦ୍ର ନାଏକ, ବାଞ୍ଛାନିଧି ନାଏକ,ମନୋଜ ତରାଇ, ପପୁନ ସାହୁ,କିସାନ ସାହୁ,ଶୁଭସ୍ମିତା ପାଣିଗ୍ରାହୀ,କାମରାଜ ସାହୁ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ।