୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ।

0 12

ଭୁବନେଶ୍ୱର ୧୩/୦୪(ପିପିଟି):୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର ) ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଡେପୁଟି ମେୟର ମଞ୍ଜୁଲତା କହଁର, ଭୁବନେଶ୍ୱର-କଟକ ପୁଲିସ କମିଶନର ଏସ୍‌. ଦେବଦତ୍ତ ସିଂହ, ବିଏମ୍‌ସି କମିଶନର  ଚଞ୍ଚଲ ରାଣା, ବିଏମ୍‌ସିର ଅତିରିକ୍ତ କମିଶନର  କୈଳାଶ ଦାସ ଓ  ରତ୍ନାକର ସାହୁ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁଆର, ଆସିୟା ବେଗମ, ଅମରେଶ ଜେନା ଓ ଶ୍ରୀ ରାମଚନ୍ଦ୍ର ରଣସିଂ , ଭୁବନେଶ୍ୱର ଶିକ୍ଷା ଅଧିକାରୀ  ବ୍ରହ୍ମାନନ୍ଦ ରାଉତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ ବେହେରା, କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଦାଶ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି  ପ୍ରଦୋଷ ପଟ୍ଟନାୟକ, ଉପସଭାପତି  ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସନତ ମିଶ୍ର, ଗୌରଚନ୍ଦ୍ର ମହାପାତ୍ର,ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।
ଏହି ଅବସରରେ ଏକ ମଶାଲ ଶୋଭାଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ ବାହାରି ବଢ଼େଇ ବାଙ୍କ ଛକ, ମାଉସୀମା, ଶିଶୁଭବନ ଛକ, ରାଜମହଲ, ମାଷ୍ଟର କ୍ୟାଣ୍ଟିନ ଦେଇ ପିଏମଜି ଠାରେ ପହଞ୍ଚିଥିଲା । ଅଲମ୍ପିୟାନ ଦୂତୀ ଚାନ୍ଦ, ଶୁଭଙ୍କର କୁମାର, ଜିତେନ୍ଦ୍ର ଦାସ, ଅଜୟ ସିଂ ଓ  ମନୋଜ ମହାପାତ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ସୂଚନା ଓ ଲୋକସମ୍ପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ଯୋଗଦେଇଥିବା ମୁଖ୍ୟ ଅତିଥିଙ୍କ ସମେତ ସମ୍ମାନନୀୟ ଅତିଥିମାନେ ବିଧାନ ସୌଧ ସମ୍ମୁଖରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ କରିଥିଲେ । ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି  ପାଢ଼ୀ ପତାକା ଉତ୍ତୋଳନ କରି ବେସାମରିକ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ପ୍ୟାରେଡ୍‌ରେ ମୋଟ ୫୧ଟି ଦଳ ଭାଗ ନେଇଥିଲେ । ଏଥିରେ ମହାବିଦ୍ୟାଳୟ ସ୍ତରୀୟ ପ୍ୟରେଡ୍‌ ପ୍ରତିଯୋଗିତାରେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଥମ, ସୈନିକ ସ୍କୁଲ ଦ୍ୱିତୀୟ ଓ ରାଜଧାନୀ କଲେଜ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ହାଇସ୍କୁଲ ସ୍ତରୀୟ (ଇଂରାଜୀ ମିଡିୟମ୍‌) ଡିଏଭି ୟୁନିଟ୍‌-୮ ପ୍ରଥମ, ଡିଏଭି ପୋଖରୀପୁଟ ଓ ଡିଏଭି ଚନ୍ଦ୍ରଶେଖରପୁର ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ଓଡ଼ିଏମ୍‌ ପବ୍ଲିକ୍‌ ସ୍କୁଲ ଓ ଭେଙ୍କଟେଶ୍ୱର ଇଂରାଜୀ ମିଡ଼ିୟମ୍‌ ସ୍କୁଲ, ଚନ୍ଦ୍ରଶେଖରପୁର ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ହାଇସ୍କୁଲ ସ୍ତରୀୟ (ଓଡ଼ିଆ ମିଡିୟମ୍‌) ସ୍ତରରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆର୍‌ସି ଭିଲେଜ୍‌ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬ ଦ୍ୱିତୀୟ ଓ କ୍ୟାପିଟାଲ୍‌ ହାଇସ୍କୁଲ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆର୍‌ସି ଭିଲେଜ୍‌ର ବାଳିକା ବିଭାଗ ଯୁଗ୍ମ ତୃତୀୟ ସ୍ଥାନ ହାସଲ କରିଛନ୍ତି । କ୍ୟାପିଟାଲ ହାଇସ୍କୁଲର ବାଳିକା ବିଭାଗ, ମହର୍ଷି କଲେଜ ଅଫ ନ୍ୟାଚୁରାଲ ଲ’ ଡେୟାର୍‌ ଡେଭିଲ୍‌ସ୍‌, ଓଡ଼ିଶା ସ୍କେଟିଂ ଏକାଡେମୀକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ସିଆର୍‌ପିଏଫ୍‌ ବ୍ୟାଣ୍ଡ, ୭ମ ବାଟାଲିୟନ୍‌ ଓଏସ୍‌ଏପି ଓ ସୈନିକ ସ୍କୁଲ ବ୍ୟାଣ୍ଡକୁ ମଧ୍ୟ ପୁରସ୍କୃତ କରାଯିବ ।

୧୯୪୮ମସିହା ଏପ୍ରିଲ ୧୩ ତାରିଖ ଦିନ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିଲା ରାଜଧାନୀ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ରାଜଧାନୀ ଫଳକର ଉନ୍ମୋଚନ କରିଥିଲେ । ସେତେବେଳେ ମାତ୍ର ୪୦ ହଜାର ଲୋକଙ୍କ ପାଇଁ ପରିକଳ୍ପନା କରାଯାଇଥିଲା ରାଜଧାନୀ । ମାତ୍ର ଆଜି ତାର କଳେବର ବୃଦ୍ଧି ପାଇଛି । ସଂପ୍ରତି ୧୫ଲକ୍ଷରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି । ଆମ ରାଜଧାନୀ ଭୁବନେଶ୍ୱର ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସବୁ କ୍ଷେତ୍ରରେ ଦେଶର ଯେ କୌଣସି ରାଜଧାନୀଠାରୁ ବହୁ ଉଚ୍ଚରେ ରହିଛି । ଆମ ରାଜଧାନୀର କଳା, ସଂସ୍କୃତି ଐତିହ୍ୟର ସୁରକ୍ଷା କରିବା ସହ ସହରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢିତୋଳିବା ପାଇଁ ମେୟର ଶ୍ରୀମତୀ ସୁଲୋଚନା ଦାସ ଭୁବନେଶ୍ୱରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ରାଜଧାନୀ ହେଉଛି ରାଜ୍ୟର ମୁଖଶାଳା । ଦେଶବିଦେଶରୁ ପର୍ଯ୍ୟଟକମାନେ ଆକାଶ ପଥରେ ହେଉ କିମ୍ବା ରେଳପଥରେ ପ୍ରଥମେ ଆସି ରାଜଧାନୀରେ ପହଞ୍ଚିଥାନ୍ତି । ମହିମାମଣ୍ଡିତ ଆମ ରାଜଧାନୀର କଳା ଓ ଐତିହ୍ୟ ବେଶ ଗୌରବ ମଣ୍ଡିତ । ଏହି ଗୌରବମୟ ରାଜଧାନୀର ଶ୍ରୀବୃଦ୍ଧି କରିବା ପାଇଁ ରାଜଧାନୀବାସୀଙ୍କୁ ବାଚସ୍ପତି ସୁରମା ପାଢୀ ଆହ୍ଵାନ ଦେଇଥିଲେ । ରାଜଧାନୀ ସହ ନିଜର ଶୈଶବ ଠାରୁ ଏପର୍ଯ୍ୟନ୍ତ ଥିବା ଘନିଷ୍ଠ ସମ୍ପର୍କରେ ନିଜର ଅନୁଭୂତି ପ୍ରଦାନ କରିଥିଲେ ।

ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଭୁବନେଶ୍ୱରକୁ ଆହୁରି ଉନ୍ନତି କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ପ୍ରଦୋଷ ପ୍ରଟ୍ଟନାୟକ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ବିଏମସି କମିଶନ ଚଞ୍ଚଳ ରାଣା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ପାଢ଼ୀ ଏହି ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିବା ଅବସରରେ ବାଚସ୍ପତି ଏହି ଫଟୋଚିତ୍ରଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ । ବିଭାଗ ପକ୍ଷରୁ ଏହି ପ୍ରଦର୍ଶନୀରେ ଭୁବନେଶ୍ୱରର ଐତିହ୍ୟ, କଳା, ସ୍ଥାପତ୍ୟ, ରାଜନୈତିକ ପୃଷ୍ଠଭୂମି, ସାମାଜିକ ରୂପାନ୍ତରଣ, ଆଧ୍ୟାତ୍ମିକ ପରିଦୃଶ୍ୟ, ସ୍ମାର୍ଟ ସିଟି ହେବା ପର୍ଯ୍ୟନ୍ତ ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ବିକାଶ ଆଦି ଉପରେ ପର୍ଯ୍ୟବେସିତ ଫଟୋଚିତ୍ର ପ୍ରଦର୍ଶିତ ହେଉଛି । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ  ଅନୁଜ କୁମାର ଦାସ ପଟ୍ଟନାୟକ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର, ଅଶ୍ବିନୀ କୁମାର ଭୋଇ,ସୁଚେତା ପ୍ରିୟଦର୍ଶିନୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା,ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦର୍ଶନୀ ଅଧିକାରୀ  ଦୀପକ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଦୁଇଦିନିଆ ପ୍ରଦର୍ଶନୀ ଆସନ୍ତାକାଲି (ମଙ୍ଗଳବାର) ପର୍ଯ୍ୟନ୍ତ ଦର୍ଶକଙ୍କ ନିମନ୍ତେ ଖୋଲା ରହିବ ।

Leave A Reply

Your email address will not be published.