ରେଶମ ସହର ମହୋତ୍ସବର ଷଷ୍ଠ ସନ୍ଧ୍ୟା;ଗଞ୍ଜାମ ଜିଲ୍ଲାରେ ପ୍ରଗତି ପରମ୍ପରାରେ ପରିଣତ ହୋଇଛି: କନ୍ଧମାଳ ସାଂସଦ ଶ୍ରୀ ପାଣିଗ୍ରାହୀ ।

0 146

ବ୍ରହ୍ମପୁର,୧୧/୦୪(ପିପିଟି):ରେଶମ ସହର ମହୋତ୍ସବ ତା ସହିତ ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳାର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ ଓ୍ବି. କୀର୍ତ୍ତି ଓ୍ବାସନ୍, ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣା ବିବେକ ଏମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଆକବରମ ସସ୍ଯ ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ସ୍ବେଦେଶୀ ଜାଗରଣ ମଞ୍ଚର ଆବାହକ ଅନ୍ନଦା ଶଙ୍କର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।

ମାତୃଭୂମି ଓ ମାତୃଭାଷାର ବନ୍ଦନା ସହିତ ରେଶମ ସହର ମହୋତ୍ସବ ଓ ଆତ୍ମନିର୍ଭର ଭାରତ ସ୍ବେଦେଶୀ ମେଳା ବ୍ରହ୍ମପୁର ଓ ଗଞ୍ଜାମର ସାମଗ୍ରିକ ପ୍ରଗତିର ଜୟଯାତ୍ରାକୁ ସଫଳତାର ସହ ବୟାନ କରୁଛି ବୋଲି ମୁଖ୍ୟଅତିଥି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ।

ଦେଶକୁ ନିଜସ୍ୱ ଜ୍ଞାନକୌଶଳ ଓ ସାମଗ୍ରୀରେ ସମ୍ପନ୍ନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁରଦୃଷ୍ଟି ଯୋଗୁଁ ସାମରିକ, ବୈମାନିକ କ୍ଷେତ୍ରରୁ ସ୍ୱାସ୍ଥ୍ୟ, କୃଷି କ୍ଷେତ୍ର ଯାଏଁ ସବୁ କ୍ଷେତ୍ରରେ ଦେଶ ଅଗ୍ରଗତି କରୁଛି। ଗଞ୍ଜାମ ଜିଲ୍ଲାରେ ପ୍ରଗତି ପରମ୍ପରାରେ ପରିଣତ ହୋଇଛି ବୋଲି ସେ ପ୍ରକାଶ କରିଥିଲେ।

ପୌରାଣିକ ମତରେ ବ୍ରହ୍ମାଙ୍କ ପୁର ହେଉଛି ବ୍ରହ୍ମପୁର। ଦକ୍ଷିଣ ଓଡ଼ିଶାର ଆଧ୍ୟାତ୍ମିକ,ସାଂସ୍କୃତିକ ତାସହିତ ବ୍ୟବସାୟିକ ପ୍ରାଣକେନ୍ଦ୍ର ହେଉଛି ବ୍ରହ୍ମପୁର। ଏଠିକାର ଶିଶୁ ମାନଙ୍କ ମଧ୍ୟରେ ବୌଦ୍ଧିକ ତାସହିତ ବ୍ୟବସାୟିକ ଦୃଷ୍ଟିଭଙ୍ଗୀକୁ ଛୋଟବେଳୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ପାତ୍ର ପ୍ରକାଶ କରିଥିଲେ।

ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ପାଟକୁ ବିଶ୍ୱବିଦିତ କରିବା ଓ ଗଞ୍ଜାମ ଜିଲ୍ଲାକୁ ଦେଶର ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ପରାଧୀନ ଭାରତରେ ସ୍ବେଦେଶୀ ମେଳା ଆୟୋଜନର ଉଦ୍ଦେଶ୍ୟ ଥିଲା ସ୍ୱକୀୟ ସ୍ୱତନ୍ତ୍ରତାର ପରିପ୍ରକାଶ। କିନ୍ତୁ ସ୍ୱାଧୀନ ଭାରତରେ ସ୍ୱତନ୍ତ୍ରତାରୁ ସମୃଦ୍ଧତା ଦିଗକୁ ଦେଶକୁ ଅଗ୍ରସର କରାଇବା ସ୍ବେଦେଶୀ ମେଳା ଆୟୋଜନର ଲକ୍ଷ୍ୟ। ସ୍ୱକୀୟ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ସହିତ ସ୍ବେଦେଶର ସାମଗ୍ରୀକୁ ସଦାସର୍ବଦା ବ୍ୟବହାର କରିବା ପାଇଁ ଶ୍ରୀ ଅନ୍ନଦା ପାଣିଗ୍ରାହୀ ଆହ୍ୱାନ କରିଥିଲେ।

ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅର୍ଥରାଶି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

କୁଲଦୀପ ପଟ୍ଟନାୟକ ଏବଂ ସହଯୋଗୀଙ୍କ ସଙ୍ଗୀତ ସାଂସ୍କୃତିକ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ଏହା ସହିତ ପ୍ରସନ୍ନାକ୍ଷୀ ବ୍ରହ୍ମପୁର,ପ୍ରଜ୍ଞା ସଙ୍ଗୀତ ଏବଂ ନୃତ୍ୟାୟନ କେନ୍ଦ୍ର, ଭଞ୍ଜନଗର,ଓଡ଼ିଶୀ ସାଧନା ପୀଠ, ବ୍ରହ୍ମପୁର, ସୃଜନୀ ଇଶଙ୍କା ଫ୍ୟାଶନ୍‌ ଏକାଡେମୀ, ବ୍ରହ୍ମପୁର, ୱାଓ ଡ୍ୟାନ୍ସ ଷ୍ଟୁଡିଓ, ବ୍ରହ୍ମପୁର, କିଲର୍‌ ବିଟ୍‌ ଡ୍ୟାନ୍ସ ଏକାଡେମୀ,ବ୍ରହ୍ମପୁର ସ୍କେଟିଂ ଏକାଡେମୀ,ସମ୍ବଲପୁରୀ ନୃତ୍ୟ-ସଙ୍ଗୀତ ସାଧନା,ବଲାଙ୍ଗିରର ପାରମ୍ପରିକ, ଆଧୁନିକ ନୃତ୍ୟ, ସ୍କେଟିଙ୍ଗ ପ୍ରଦର୍ଶନ ଓ ଫ୍ୟାସନ ଶୋ ଦର୍ଶକଙ୍କୁ ବିମୋହିତ କରିଥିଲା।

ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜେନା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଉପଜିଲ୍ଲାପାଳ ଶ୍ରୀ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.