ବ୍ରହ୍ମପୁର,୧୧/୦୪(ପିପିଟି):ବିଗତ ୫ ଦିନ ବ୍ୟାପୀ ବ୍ରହ୍ମପୁର ସହରର ରେଶମ ସହର ମହୋତ୍ସବରେ ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଛି। ଏହି ମେଳାର ଷ୍ଟଲ ଗୁଡ଼ିକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କ ଉଦଘାଟନ କରିଥିଲେ ।
ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ,ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀ ଡ଼ଃ ଅଜୟ କୁମାର କର ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମେଳା ଆୟୋଜିତ ହୋଇଥିଲା । ଏହି ମେଳାରେ ୪୦ ଗୋଟି ଷ୍ଟଲ ମାଧ୍ୟମରେ ବିଭିନ୍ନ କୃଷି ଯନ୍ତ୍ରପାତିର ଡିଲର ମାନଙ୍କ ଦ୍ୱାରା ଅନେକ ଅତ୍ୟାଧୁନିକ କ୍ଷୁଦ୍ର ଏବଂ ବୃହତ୍ କୃଷି ଯନ୍ତ୍ରପାତି ଓ ୧୦ ଗୋଟି ଷ୍ଟଲ ରେ କୃଷି ଓ ଆନୁସଙ୍ଗିକ ବିଭାଗ ଦ୍ୱାରା ବିଭାଗୀୟ ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯାଇଥିଲା । ପ୍ରଥମ ଦିନରେ ପାତ୍ରପୁର, ଚିକିଟି, ବୁଗୁଡ଼ା, ଜଗନ୍ନାଥ ପ୍ରସାଦ ଓ ବେଗୁନିଆପଡ଼ା ବ୍ଲକର ୪୦୦ ଚାଷୀ କାର୍ଯକ୍ରମରେ ଯୋଗ ଦେଇଥିଲେ । କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଦେବବ୍ରତ ପାଣିଗ୍ରାହୀ ଓ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୨ ର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ. ସୁଜିତ୍ କୁମାର ନାଥ, କୃଷି ପାଠ୍ୟକ୍ରମ ଆଲୋଚନା ଚକ୍ରରେ ଭାଗ ନେଇ ବିଭିନ୍ନ ବ୍ଲକ୍ ରୁ ଆସିଥିବା ଚାଷୀ ଭାଇ ଓ ଭଉଣୀ ମାନଙ୍କସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ୨ୟ ଦିନରେ ରଙ୍ଗେଇଲୁଣ୍ଡ, ହିଞ୍ଜିଳିକାଟୁ,ଆସ୍କା ଏବଂ ଭଞ୍ଜନଗର ବ୍ଲକରୁ ପ୍ରାୟ ୩୦୦ ଚାଷୀ କାର୍ଯକ୍ରମରେ ଯୋଗଦେଇ ବିଭିନ୍ନ କୃଷି ଯନ୍ତ୍ରପାତି ବୁଲି ଦେଖିବା ସହ କୃଷି ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ମିଶ୍ର ଏବଂ ଅତିରିକ୍ତ କୃଷି ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ମଲ୍ଲିକଙ୍କ ଦ୍ଵାରା କୃଷି ଯନ୍ତ୍ରପାତି ଉପରେ ଆୟୋଜିତ ପାଠ୍ୟଚକ୍ରରେ ଭାଗ ନେଇଥିଲେ। ସେହିଦିନ ଭଦ୍ରକରୁ ଆସିଥିବା ମନ୍ଦିରା ଡାନ୍ସ ଗ୍ରୁପ ଦ୍ୱାରା କୃଷିଗାଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଗ୍ରୁପର କଳାକାର ମାନେ ନୃତ୍ୟ ମାଧ୍ୟମରେ ବିଭିନ୍ନ କୃଷି କାର୍ଯ୍ୟ ଓ ଯୋଜନାକୁ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ୩ୟ ଦିବସରେ ସୋରଡ଼ା, ଛତ୍ରପୁର, ପୁରୁଷୋତ୍ତମପୁର ଓ ଧରାକୋଟ ବ୍ଲକ ରୁ ପ୍ରାୟ ୩୦୦ ଚାଷୀ ଉଦ୍ୟାନ କୃଷି ଓ ପ୍ରାଣୀସମ୍ପଦ ଉପରେ ଆୟୋଜିତ ପାଠ୍ୟଚକ୍ରରେ ଭାଗ ନେଇଥିଲେ । ସେହି ଆଲୋଚନାରେ ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପଣ୍ଡା ଏବଂ ପ୍ରାଣୀ ଚିକିତ୍ସକ, ରଙ୍ଗେଇଲୁଣ୍ଡା ଡ଼ା. ଲିପିଲେଖା ସ୍ୱାଇଁ ଭାଗ ନେଇଥିଲେ।
୪ର୍ଥ ଦିବସରେ ଖଲ୍ଲିକୋଟ,ଗଞ୍ଜାମ, ଦିଗପହଣ୍ଡି ଓ କବିସୂର୍ଯ୍ୟନଗର ବ୍ଲକରୁ ପ୍ରାୟ ୩୦୦ ଚାଷୀ ମେଳା ପରିଦର୍ଶନ କରିବା ସହ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ମୃତ୍ତିକା ଓ କୃଷି ରସାୟନ ବିଭାଗର ମୁଖ୍ୟ ପ୍ରଫେସର ରବୀନ୍ଦ୍ର କୁମାର ନାୟକ ଓ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନର ବୈଜ୍ଞାନିକ ଭବାନୀ ଶଙ୍କର ଶତପଥିଙ୍କ ଦ୍ଵାରା ପରିଚାଳିତ ଆଲୋଚନାଚକ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
୫ମ ତଥା ଉଦଯାପନୀ ଦିବସରେ ସାନଖେମୁଣ୍ଡି,ଶେରଗଡ଼,କୁକୁଡ଼ାଖଣ୍ଡି, ପୋଲସରା ଓ ବେଲଗୁଣ୍ଠା ବ୍ଲକର ୪୦୦ ଚାଷୀ ଅଂଶଗ୍ରହଣ କରିଥିଲେ।
ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ପ୍ରାକୃତିକ ଓ ଜୈବିକ କୃଷି ସହ କୃଷି ଉଦ୍ୟୋଗୀକରଣ ଦ୍ୱାରା କୃଷି ଓ କୃଷକଙ୍କ ଉନ୍ନତି ସମ୍ଭବ ବୋଲି ମତବ୍ୟକ୍ତ କରିବା ସହ କୃଷି ଉତ୍ପାଦନ ବୃଦ୍ଧିରେ କୃଷି ଯାନ୍ତ୍ରିକରଣର ଭୂମିକା ଉପରେ ଆଲୋକପାତ କରିଥିଲେ ।
ବିଭିନ୍ନ ବ୍ଲକର ଅଗ୍ରଣୀ ଚାଷୀ ଭାଇ ଭଉଣୀମାନଙ୍କୁ ମାନପତ୍ର ଓ ସ୍ମାରକୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସହକାରୀ କୃଷି ଯନ୍ତ୍ରୀ ପ୍ରମିତ୍ କୁମାର ସାହୁ ଏବଂ ଶ୍ରେୟାଶ୍ରୀ ପଟ୍ଟନାୟକଙ୍କ ଦ୍ଵାରା ଯାନ୍ତ୍ରିକରଣ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମ ଶେଷରେ ପ୍ରତି ବ୍ଲକର ଜଣେ ଲେଖାଏଁ ଅଗ୍ରଣୀ ଚାଷୀଙ୍କୁ ମାନପତ୍ର, ସ୍ମାରକ ଓ ଆର୍ଥିକ ପ୍ରୋତ୍ସାହନ ଦେଇ ସମ୍ମାନିତ କରାଯାଇଥିଲା । ଏହା ସହ ସମସ୍ତ ସ୍ୱୀକୃତିପ୍ରାପ୍ତ କୃଷି ଯନ୍ତ୍ରପାତି ବିକ୍ରେତା ମାନଙ୍କୁ ଉପଢୌକନ ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ,ଗଞ୍ଜାମ ଡଃ. ଅଜୟ କୁମାର କରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଓ ଆନୁସଙ୍ଗିକ ବିଭାଗର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିବା ସହ ସମସ୍ତ ବ୍ଲକ ର ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ,କୃଷି ଅଧିଦର୍ଶକ,ଗ୍ରାମ୍ୟ କୃଷି କର୍ମଚାରୀ,ବ୍ଲକ ବୈଷୟିକ ପରିଚାଳକ,ସହକାରୀ ବ୍ଲକ ବୈଷୟିକ ପରିଚାଳିକମାନେ ସହଯୋଗ କରିଥିଲେ ।
କୃଷି ଜିଲ୍ଲା ଅଧିକାରୀ, ଦିଗପହଣ୍ଡି ପ୍ରଶାନ୍ତ କୁମାର ନାଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ରହ୍ମପୁର କୃଷି ଜିଲ୍ଲା ଅଧିକାରୀ ହେମନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ କୃଷି ଅଧିକାରୀ ତଥା ମୁଖ୍ୟ କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟର ଯୋଜନା ଅଧିକାରୀ ଜାନକୀ ବଲ୍ଲଭ ପଟ୍ଟନାୟକ,ପ୍ରକଳ୍ପ ନିର୍ଦ୍ଦେଶକ,ଆତ୍ମା, ଗଞ୍ଜାମର ହିସାବ ରକ୍ଷକ ଲକ୍ଷ୍ମୀକାନ୍ତ ସ୍ୱାଇଁ ୫ଦିନ ବ୍ୟାପୀ କାର୍ଯକ୍ରମକୁ ପରିଚାଳନା କରିଥିବା ବେଳେ ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।