କର୍ତ୍ତବ୍ୟ ପଥରେ ଅତାବିରା ଅଗ୍ନିଶମ ବାହିନୀ ।

0 39

ରେଙ୍ଗାଲିକ୍ୟାମ୍ପ,୦୭/୦୪: ଗତକାଲି ଅତାବିରା ଅଞ୍ଚଳରେ କାଳବୈଶାଖୀର କରାଳ ତାଣ୍ଡବ ଲୀଳା ରେ ଜନ ଜୀବନ ଯେପରି ସ୍ତବ୍ଧ ହୋଇଯାଇଥିଲା। ପ୍ରବଳ ବେଗରେ ବହିଥିବା ପବନ ଓ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଥିଲା। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଏଭଳି ସ୍ଥିତିରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଜର ନିରନ୍ତର ସେବା ଜାରି ରଖି ପରିବେଶକୁ ସ୍ଵାଭାବିକ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବାବେବୀରା, କୁଲୁଣ୍ଡା, ତଳି ଟାମ୍ପରସରା, ରେଙ୍ଗାଲି ପାଲି ଆଦି ଗ୍ରାମ ମାନଙ୍କରେ ରାସ୍ତା ଉପରେ ପଡ଼ିଥିବା ବିଶାଳକାୟ ଗଛର ଡାଳଗୁଡ଼ିକୁ କାଟି ରାସ୍ତା ସଫା କରିବା ପାଇଁ ଅଗ୍ନିଶମ ବାହିନୀ କାଲି ଠାରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି। ଯାତାୟାତ କୁ ସୁଗମ କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଅତ୍ୟାଧୁନିକ କଟର ମେସିନ ସାହାଯ୍ୟରେ ଗଛଗୁଡ଼ିକୁ ଖଣ୍ଡ ଖଣ୍ଡ କରି ରାସ୍ତା କଡ଼କୁ ହଟାଉଛନ୍ତି। ଆଜି ସକାଳ ଠାରୁ ମଧ୍ୟ ଏହି କାର୍ଯ୍ୟ ଜାରି ରହିଛି।ପ୍ରଖର ଖରା ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଗ୍ନିଶମ ବାହିନୀର ଅଧିକାରୀ ରାଜିନ୍ଦ୍ର ଏକ୍କା, ଆଗ୍ନିକ ଯୋଦ୍ଧା ବିକି ବେହେରା,ମଦନ ମୋହନ ଖମାରୀ,ଚକ୍ରଧର ତାଣ୍ଡିଆ ,ସୌମ୍ୟରଞ୍ଜନ ସାହୁ ଆଦି ପ୍ରତ୍ୟେକ ସଦସ୍ୟ ନିଷ୍ଠାର ସହ କାମ କରିଚାଲିଛନ୍ତି। ଯେପରି ଲୋକଙ୍କୁ ଯାତାୟାତ ରେ କୌଣସି ଅସୁବିଧା ନହୁଏ ଏବଂ ପରିବେଶ ପୁଣି ଥରେ ପୂର୍ବବତ୍ ସ୍ୱାଭାବିକ ହୋଇପାରିବ, ସେଥିପାଇଁ ସେମାନେ ବିରାମହୀନ ଭାବେ ପରିଶ୍ରମ କରୁଛନ୍ତି।
ଅଗ୍ନିଶମ ବାହିନୀର ଏହି ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି। ବିପତ୍ତି ସମୟରେ ଏହି କର୍ମଚାରୀମାନଙ୍କର ତ୍ୟାଗ ଓ କର୍ତ୍ତବ୍ୟପରାୟଣତା ଯୋଗୁଁ ଆଜି ଅନେକ ମୁଖ୍ୟ ମାର୍ଗରେ ଯାନବାହନ ଚଳାଚଳ ତଥା ଯାତାୟାତ ସୁଗମ ହୋଇପାରିଛି।

Leave A Reply

Your email address will not be published.