ପୋଲସରା,୦୪/୦୪ (ପିପିଟି): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ “ସଭିଏଁ ସ୍କୁଲ ଯିବା” ସ୍ଲୋଗାନକୁ ସାକାର କରିବା ସକାଶେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ହର୍ଷବାବୁ ଖାଡ଼ଙ୍ଗାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା ରଥ ବାହାର କରାଯିବା ପରେ ସ୍ଥାନୀୟ ପିଏମ୍ ଶ୍ରୀ ଗୋପବନ୍ଧୁ ହାଇସ୍କୁଲ ପରିସର ସ୍ଥିତ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଉଦଘାଟକ ଭାବେ ବିଡିଓ ଶଶିଭୂଷଣ ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ତହସିଲଦାର ଦିପ୍ତିମୟୀ ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିନିଧି ଭାବେ ପୋଲସରା ପୌର ପରିଷଦ କାଉନସିଲର ଯଜ୍ଞ ନାରାୟଣ ସାହୁ ଏ ବିଇଓ ସୁବାସିନୀ ତ୍ରିପାଠୀ, ଉକ୍ତ ପିଏମ୍ ଶ୍ରୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ ଯୋଗଦେଇଥିଲେ । ସୂଚନା ଯୋଗ୍ୟ ଯେ ଯେଉଁ ଅଙ୍ଗନୱାଡ଼ି ଶିକ୍ଷା ସମାପ୍ତ କରି ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ୫ ବର୍ଷ ପୂରଣ କରିବେ, ସେମାନେ ଶିଶୁ ବାଟିକାରେ ନାମ ଲେଖାଇ ପାରିବେ। ସେହିପରି ଛଅ ବର୍ଷ ପୂରଣ କରିଥିବା ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ଭର୍ତ୍ତି ପାଇଁ ଯୋଗ୍ୟ ହେବେ। ପ୍ରାରମ୍ଭରେ ବିଡ଼ିଓ ଏବଂ ତହସିଲଦାର ଉଭୟ ଅତିଥୀ ବୃନ୍ଦ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ ଏବଂ ଏହି ଅବସରରେ ଅତିଥି ଦ୍ୱୟ ଚଳିତ ବର୍ଷ ପ୍ରଥମ କରି ନାମ ଲେଖାଇଥିବା ବାଲବାଟିକା ଏବଂ ପାଞ୍ଚ ବର୍ଷ ପୂର୍ଣ୍ଣ କରି ଛଅ ବର୍ଷ ପଦାର୍ପଣ କରି ପ୍ରଥମ ଶ୍ରେଣୀରେ ଲେଖାଇବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ଖଡି ଓ ସିଲଟ ବ୍ୟବହାର କରାଇ ଓଁ ଲେଖାଇ “ଖଡ଼ିଛୁଆଁ” ଶୁଭାରମ୍ଭ କରିଥିଲେ ଏବଂ ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ଵଳ କାମନା କରିଥିଲେ । ଏହି ସମୟରେ ନିକଟରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଆସନ୍ତା ୦୭ ତାରିଖ ମଙ୍ଗଳବାର ଦିବସ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଆଜି ପ୍ରଥମ ଦିବସରେ ପୋଲସରା ପୌର ପରିଷଦ ସ୍ଥିତ ପ୍ରତିଷ୍ଠିତ ଲିଙ୍ଗରାଜ ବାଳିକା ହାଇସ୍କୁଲ ଓ ବାଲୁଙ୍କେଶ୍ଵର ଉଚ୍ଚ ବିଦ୍ୟାଳୟ ରାଣୀପଡା, ଏକ୍ସବୋର୍ଡ୍ ବାଳକ ଓ ବାଳିକା ବିଦ୍ୟାଳୟ, ବ୍ଲକର ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟ ସମେତ ଅନେକ ସରକାରୀ ବିଦ୍ୟାଳୟ ଗୁଡିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା