ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସହାୟତା ବଣ୍ଟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ ।

0 0

ଛତ୍ରପୁର,୧୨/୧୧(ପିପିଟି): ଗଞ୍ଜାମ ଜିଲ୍ଲାରେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ସହାୟତା ବଣ୍ଟନ ପ୍ରକ୍ରିୟାର ସମୀକ୍ଷା ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ସରକାରଙ୍କ ନୀତିନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ପରିବାରମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ସହାୟତା ବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ୱ ଦେବାକୁ ସେ କହିଥିଲେ । ସାଧାରଣତଃ ଗୋଟିଏ ଘରକୁ ଗୋଟିଏ ପରିବାର ଭାବେ ବିଚାର କରାଯିବ । ତେବେ ଗୋଟିଏ ଘରେ ଏକାଧିକ ପରିବାର ପୃଥକ୍ ଭାବେ ବସବାସ କରୁଥିବା ଦାବି ହେଲେ,ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ। ଯାଞ୍ଚ ପରେ ଯୋଗ୍ୟତା ଅନୁଯାୟୀ ସମ୍ପୃକ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରାଯିବ ।

ଘରକୁ ଘର ବୁଲି କ୍ଷେତ୍ରସ୍ତରୀୟ ସର୍ଭେ ଯଥାଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ କହିଥିଲେ। ସମସ୍ତ ରାସନ କାର୍ଡଧାରୀ ଯୋଗ୍ୟ ପରିବାରଙ୍କୁ ସହାୟତା ମିଳିବା ସହ ରାସନ କାର୍ଡ ନଥିବା ପରିବାରଙ୍କ ଦାବିକୁ ମଧ୍ୟ ନୀତିନିୟମ ଓ ଦସ୍ତାବିଜ୍ ଆଧାରରେ ଉପଯୁକ୍ତ ଭାବେ ଯାଞ୍ଚ କରିବାକୁ ସେ କହିଥିଲେ । ଖୁବ ଶୀଘ୍ର ବ୍ରହ୍ମପୁର ସହରରେ ମଧ୍ୟ ଘରକୁ ଘର ସର୍ଭେ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ବିଭିନ୍ନ ବ୍ଲକ୍‌ରୁ ଦିଆଯାଇଥିବା କ୍ଷୟକ୍ଷତି, ଜନସଂଖ୍ୟା ଓ ପ୍ରଭାବିତ ଅଞ୍ଚଳ ସମ୍ପର୍କିତ ତଥ୍ୟକୁ ଜିଲ୍ଲାପାଳ ବ୍ଲକ୍‌ୱାରୀ ସମୀକ୍ଷା କରିଥିଲେ। ସହାୟତା ବଣ୍ଟନର ପରିମାଣ ଓ ପ୍ରଭାବିତ ଜନସଂଖ୍ୟା ମଧ୍ୟରେ ସମନ୍ୱୟ ରହିଛି କି ନାହିଁ, ତାହା ଯାଞ୍ଚ କରିବା ସହ ପ୍ରଦତ୍ତ ତଥ୍ୟର ସଠିକତା ଉପରେ ଗୁରୁତ୍ୱ ଦେଇଥିଲେ। କୌଣସି ଅନିୟମିତତା ନଜରକୁ ଆସିଲେ ସମ୍ପୃକ୍ତ ଅଧିକାରୀ / କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଘରଭଙ୍ଗା କ୍ଷତିପୂରଣ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡ଼ିକର ମରାମତି ଓ ପୁନଃନିର୍ମାଣ କାର୍ଯ୍ୟର ସ୍ଥିତି ଆସନ୍ତାକାଲିଠାରୁ ସେ ନିଜେ ସମୀକ୍ଷା କରିବେ । ପ୍ରତ୍ୟେକ ବିଡିଓ ନିଜ ବ୍ଲକ୍‌ର ବିଦ୍ୟାଳୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟକୁ ଦେଖିବେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସଚ୍ଚିଦାନନ୍ଦ ନାୟକ, ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ଜିଲ୍ଲାରୁ ଆସିଥିବା ବରିଷ୍ଠ ଅଧିକାରୀ,ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.