ତୁଳସୀ ପାହାଡ଼ ଅଞ୍ଚଳରେ ବିକାଶ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ ।

0 209

ମାଲକାନଗିରି, ୨୫/୦୩(ପିପିଟି):ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ପାହାଡ଼ିଆ ଅଞ୍ଚଳ ଭାବେ ପରିଚିତ ମାଥିଲି ବ୍ଲକର ତୁଳସୀ ପାହାଡ଼ ଅଞ୍ଚଳରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଗ୍ରାଧିକାର ଦିଆଯାଉଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ନିଜେ ଏହି ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିବା ସହ ବହୁ ପ୍ରତିକ୍ଷିତ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି । ତୁଳସୀ-ମାଟିଗୁଡା-ଗୁଗାପଦର-ଦଲଦଲି ରାସ୍ତା ନିର୍ମାଣ ଏହି ଅଞ୍ଚଳର ଗମନାଗମନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲାପାଳ ଏହି ରାସ୍ତା ନିର୍ମାଣର ଅଗ୍ରଗତି ପରଖିବା ସହ କାର୍ଯ୍ୟରେ ଯେପରି କୌଣସି ଅବହେଳା ନହୁଏ, ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି। ଜଙ୍ଗଲ ଜମି ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ‘ଫରେଷ୍ଟ ଡ଼ାଇଭରସନ’ ପ୍ରସ୍ତାବ ତୁରନ୍ତ ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବେଦବର ପ୍ରଧାନ, ମାଥିଲି ବିଡ଼ିଓ ପ୍ରମୋଦ ବେହେରା, ମାଥିଲି ତହସିଲଦାର ମାନସୀ ଭୋଇ, ବୈପାରୀଗୁଡା ତହସିଲଦାର ସ୍ନିଗ୍ଧା ଚୌଧୁରୀ ଏବଂ ଏ ସି ଏଫ୍ ପ୍ରିୟଙ୍କା ମହୁକା ପ୍ରମୁଖ ସାମିଲ ଥିଲେ। ଏହା ସହ ଗ୍ରାମ୍ୟ ଉନ୍ନୟନ-୧ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଜାତା ଦିଶାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ବୈଷୟିକ ଦିଗ ଉପରେ ଆଲୋଚନା କରିଥିଲେ।
ଜଙ୍ଗଲ ଜମିର ବ୍ୟବହାର ଓ ରାସ୍ତା ନିର୍ମାଣ ପାଇଁ ସମ୍ପୃକ୍ତ ତହସିଲ ଓ ଜଙ୍ଗଲ ବିଭାଗକୁ ଆସନ୍ତା ଏପ୍ରିଲ ୧୫ ତାରିଖ ସୁଦ୍ଧା ମିଳିତ ଅନୁସନ୍ଧାନ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟ ହସ୍ତଗତ ହେବା ପରେ ପରିବେଶ ପୋର୍ଟାଲରେ ‘ଡାଇଭରସନ ରୋଡ୍’ ପାଇଁ ଆନୁଷ୍ଠାନିକ ଭାବେ ସବମିଶନ୍ କରାଯିବ । ଏହି ପଦକ୍ଷେପ ଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଗମନାଗମନ ସମସ୍ୟା ଦୂର ହେବା ସହ ବିକାଶ ଧାରା ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.