ମାଲକାନଗିରି ଜିଲ୍ଲାରେ ଅଗ୍ନିବୀର ନିଯୁକ୍ତି ପାଇଁ ସଚେତନତା ଓ ପଞ୍ଜୀକରଣ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ ।

0 7

ମାଲକାନଗିରି,୨୪/୦୩(ପିପିଟି):ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ମାଲକାନଗିରି ଜିଲ୍ଲାର ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ପଞ୍ଜୀକରଣ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସିଂ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜୟପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ମାଲକାନଗିରି ଉପ-ଜିଲ୍ଲାପାଳ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସରକାରୀ ଆଇଟିଆଇ ଓ ପଲିଟେକନିକର ଅଧ୍ୟକ୍ଷ ଏବଂ ଗୋପାଳପୁର ଏଆରଓ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦ୍ଦେଶକ ଯୋଗ ଦେଇଥିଲେ।ବୈଠକରେ ସୂଚନା ଦିଆଯାଇଛି ଯେ, ଅଗ୍ନିବୀର ପଞ୍ଜୀକରଣ ପ୍ରକ୍ରିୟା ଗତ ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରୁ ମାତ୍ର ୨୫ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଛନ୍ତି, ଯାହା ରାଜ୍ୟରେ ସବୁଠାରୁ କମ୍। ଏହାକୁ ନେଇ ଜିଲ୍ଲାପାଳ ଚିନ୍ତା ପ୍ରକଟ କରିବା ସହ ଅଧିକରୁ ଅଧିକ ଯୁବକଙ୍କୁ ଏଥିରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜରେ ଅଗ୍ନିବୀର ପଞ୍ଜୀକରଣ ପାଇଁ ଜଣେ ସ୍ୱତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତ କରାଯିବ।ଛାତ୍ରଛାତ୍ରୀମାନଙ୍କୁ ପଞ୍ଜୀକରଣରେ ସାହାଯ୍ୟ କରିବା ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯିବ।ଉପ-ଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଦୈନିକ ପଞ୍ଜୀକରଣର ଅଗ୍ରଗତି ସମୀକ୍ଷା କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ।
ଜିଲ୍ଲାର ଯୁବପିଢ଼ି ଯେପରି ଭାରତୀୟ ସେନାରେ ଯୋଗଦେଇ ଦେଶସେବା କରିବାର ସୁଯୋଗ ପାଇପାରିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଶେଷରେ ସମସ୍ତ ଅଧିକାରୀ ଓ ଗୋପାଳପୁର ଏଆରଓ ନିର୍ଦ୍ଦେଶକଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.