ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ ।

0 13

କଟକ, ୧୮/୧୦(ପିପିଟି): କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଡଃ ସତ୍ୟଜିତ ନାଏକ ରବିବାର ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳ ଅଧୀନ ସମସ୍ତ ଜିଲ୍ଲାର ଏସ୍ପିଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକ କରି ଦୁର୍ଗାପୂଜାର ସୁରକ୍ଷା ବ୍ୟବସ୍ଥା, ପୁଲିସ ଫୋର୍ସ ମୁତୟନ ଓ ଜନସାଧାରଣଙ୍କ ନିରାପତ୍ତା ସମ୍ପର୍କିତ ପଦକ୍ଷେପର ସମୀକ୍ଷା କରିଛନ୍ତି। କେନ୍ଦ୍ରାଞ୍ଚଳ ଅଧୀନ ବିଭିନ୍ନ ଜିଲ୍ଲାର ୧,୨୪୩ଟି ପୂଜା ମଣ୍ଡପରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବାବେଳେ ମା’ ଶାରଳା, ମା’ ଚର୍ଚ୍ଚିକା, ମା’ ଭଟ୍ଟାରିକା ଓ ମା’ ସିର୍ଲୋଙ୍କ ପରି ପ୍ରମୁଖ ଶକ୍ତିପୀଠରେ ମଧ୍ୟ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୩୬ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ହୋମ୍ଗାର୍ଡଙ୍କୁ ମୁତୟନ କରାଯାଇଛି। ବୈଠକରେ ପୂଜା ମଣ୍ଡପ ଓ ରାବଣପୋଡ଼ି ସ୍ଥଳରେ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥର ସଠିକ୍ ପରିଚାଳନା, ଟ୍ରାଫିକ୍ ନିୟନ୍ତ୍ରଣ, ପୂଜା ମଣ୍ଡପ ଓ ଆପ୍ରୋଚ୍ ରାସ୍ତାରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ଏବଂ ପ୍ରମୁଖ ପୂଜା ମଣ୍ଡପରେ ସିସିଟିଭି ନିରୀକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ମୀନା ବଜାର ଓ ରାମ ଦୋଳିରେ ସୁରକ୍ଷା ବ୍ୟବସ୍ଥାକୁ ସ୍ୱତନ୍ତ୍ର ଭାବେ ତଦାରଖ କରିବାକୁ ଆଇଜି ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଜିଲ୍ଲାର ଏସ୍ପିଙ୍କୁ ସତର୍କ ରହିବା ସହ ଅନ୍ୟ ସରକାରୀ ବିଭାଗ ଓ ସମ୍ପୃକ୍ତ ଅଂଶୀଦାରଙ୍କ ସହ ସମନ୍ୱୟ ରକ୍ଷା କରି ସୁରକ୍ଷା ବ୍ୟବସ୍ଥାର ନିୟମିତ ତଦାରଖ କରିବାକୁ କୁହାଯାଇଛି। ମୂର୍ତ୍ତି ବିସର୍ଜନ ଶେଷ ହେବା ପର୍ଯ୍ୟନ୍ତ ପ୍ରତି ଦୁଇ ଘଣ୍ଟାରେ ସ୍ଥିତି ସମ୍ପର୍କିତ ରିପୋର୍ଟ (ଏସ୍ଆଇଟିଆରଇପି) ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସମଗ୍ର କେନ୍ଦ୍ରାଞ୍ଚଳରେ ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

Leave A Reply

Your email address will not be published.