ଭଞ୍ଜନଗର, ୨୪/୦୩(ପିପିଟି):ଆଗକୁ ଆସୁଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା।ଏହାର ଅବ୍ୟବହିତ ପୂର୍ବରୁ ଶାନ୍ତି ଶୃଙ୍ଖଳାରେ ଯାତ୍ରା କରିବା ପାଇଁ କଣ ରହିବ ନୀତି ନିୟମ ସେସମ୍ପର୍କରେ ଭଞ୍ଜନଗର ପୋଲିସ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି। ଏହି ଯାତ୍ରା ସମୟରେ ପାରମ୍ପରିକ ରୀତିନୀତି ସହ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।ବର୍ତ୍ତମାନ ଆଧୁନିକ ନୃତ୍ୟ ଓ ସଙ୍ଗୀତର ଚାହିଦାକୁ ଦେଖି ସେସବୁରେ ପରିବର୍ତ୍ତନ ଘଟିଛି। କିଛି ସ୍ଥାନରେ ଅଶ୍ଳୀଳତାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହେଉଥିବାରୁ ତାହାକୁ ରୋକିବାକୁ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଚଳିତ ବର୍ଷ ଯେଭଳି ଅଶ୍ଲିଳତାକୁ ବାଦ ଦିଆଯିବ ଏବଂ ଆଇନଶୃଙ୍ଖଳା ପ୍ରତି ସମସ୍ତ ଦଣ୍ଡଯାତ୍ରା କମିଟି ସଚେତନ ରହିବେ ସେନେଇ ଆଜି ଭଞ୍ଜନଗର ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଯାତ୍ରା କମିଟି ଅଧିକାରୀଙ୍କ ଉପସ୍ଥିତିରେ ଅଶ୍ଳିଳତାକୁ ଯେଭଳି ପ୍ରଶ୍ରୟ ଦିଆଯିବ ନାହିଁ ଏବଂ କୌଣସି ଅପ୍ରତିକର ପରିସ୍ଥିତି ଉପୁଜିଲେ ତୁରନ୍ତ ପୋଲିସକୁ ଜଣାଇବା ଏବଂ ଆଇନକୁ ହାତକୁ ନନେବାକୁ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି। ଏଥିରେ ଏସ୍ଆଇ ଜ୍ୟୋତ୍ସାମୟୀ ସାହୁ,ଏଏସ୍ଆଇ ବିଦେଶୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ୨୦ରୁ ଉର୍ଦ୍ଧ୍ବ ଦଣ୍ଡଯାତ୍ରା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)