ବିରଜା ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

0 52

ଯାଜପୁର,୨୩/୦୩(ପିପିଟି): ଆଇନ, ଅବକାରୀ ଓ ନିର୍ମାଣ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯାଜପୁର ଗସ୍ତରେ ଆସି ବିରଜା ପ୍ରକଳ୍ପ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ବୈଠକରେ ମନ୍ତ୍ରୀଙ୍କ ସହ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ, ଜିଲ୍ଲାପାଳ ଅମ୍ବର କୁମାର କର ମଧ୍ୟ ଯୋଗ ଦେଇଥିଲେ। ସର୍କିଟ ହାଉସରେ ପହଞ୍ଚିବା ପରେ ମନ୍ତ୍ରୀ ଏବଂ ବିଧାୟକଗଣ ସର୍କିଟ ହାଉସର ନୂତନ କୋଠାକୁ ଉଦଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିରଜା ପ୍ରକଳ୍ପ କାମର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ। ବିରଜା ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାମ ଆଗେଇ ଚାଲିଛି। ପ୍ରାୟ ୧୧୪ କୋଟି ଟଙ୍କାର ଏହି ପ୍ରକଳ୍ପରେ ମନ୍ଦିର ଭିତର କାମ, ବାହାର ପାର୍ଶ୍ୱରେ ପାର୍କିଂ, ଧର୍ମଶାଳା, ବ୍ରହ୍ମାକୁଣ୍ଡର ଉନ୍ନତିକରଣ, ରଥ ଗୋଦାମ ଇତ୍ୟାଦି କାମ ରହିଛି। ଆସନ୍ତା ଆର୍ଥିକ ବର୍ଷରେ ବ୍ୟାଖ୍ୟାନ କେନ୍ଦ୍ର ଏବଂ ପାରିପାର୍ଶ୍ୱିକ ଉନ୍ନତିକରଣ କାମ ଆରମ୍ଭ ହେବ। ବିରଜା ଧର୍ମଶାଳା ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ନେଇ ମଧ୍ୟ କାମ ଆରମ୍ଭ ହୋଇଛି। ବୈଠକରେ ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ଦିଗକୁ ନେଇ ମନ୍ତ୍ରୀ ଏବଂ ବିଧାୟକଗଣ ଜିଲ୍ଲାପାଳ ଶ୍ରୀ କର, ଅଧିକ୍ଷଣ ଯନ୍ତ୍ରୀ କମଲ କୁମାର ସ୍ୱାଇଁଙ୍କ ସହ ଆଲୋଚନା କରିଥିଲେ। ସମୀକ୍ଷା ବୈଠକ ପରେ ମନ୍ତ୍ରୀ ପ୍ରେସ ବ୍ରିଫିଂ ମଧ୍ୟ କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ,ସମାଜସେବୀ ଗୌତମ ରାୟ, ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.