ପୋଲସରା,୨୩/୦୩ (ପିପିଟି): ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ କୁ ବିକଶିତ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ କରକମଳରେ ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ମାର୍ଚ୍ଚ ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ପରିସରରେ ବିକଶିତ ଗାଁ ବିକଶିତ ଓଡିଶା ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତରେ ୧୩୪ ଟି ପ୍ରକଳ୍ପ, ଅନୁଦାନ ଅନ୍ତର୍ଗତ ୬୦ ଟି ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ପାଣ୍ଠି ଅନ୍ତର୍ଗତ ୧୩ ଟି ପ୍ରକଳ୍ପ ଏବଂ ବିଧାୟକ ପାଣ୍ଠି ଅନ୍ତର୍ଗତ ୨୪ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସମସ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାସହିତ ଜଳ ସେବା ଶିବିର ଓ ପଞ୍ଚାୟତ ସମିତି ଅଧିନସ୍ଥ ଭିଡିଓ କନଫରେନ୍ସ ହଲର ଶୁଭ ଉଦ୍ଘାଟନ କରିଥିଲେ। ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ ଓ ଝୁନୁ ଦାସ, ସାଂସଦ ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ, ବିଜେପି ଯୁବନେତା ପ୍ରଭାକର ପଣ୍ଡା ଯୋଗଦେଇଥିଲେ। ୨୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା