ଶ୍ରମ କୋଡ଼ ବାତିଲ ଦାବିରେ ଇଫଟୁର ସର୍ବ ଭାରତୀୟ ପ୍ରତିବାଦ।

0 4

ବ୍ରହ୍ମପୁର,୨୩/୦୩(ପିପିଟି): ଶ୍ରମିକ ଶ୍ରେଣୀଙ୍କ ବିରୋଧ ସତ୍ତ୍ୱେ ଦେଶରେ ଆସନ୍ତା ଏପ୍ରେଲ ପହିଲାରୁ କେନ୍ଦ୍ର ସରକାର ୨୯ ଟି ଶ୍ରମ ଆଇନକୁ ସମାପ୍ତ କରି ଅଣାଯାଇଥିବା ଚାରୋଟି ଶ୍ରମ କୋଡ଼କୁ ଲାଗୁ କରିବାକୁ ଯାଉଛନ୍ତି । ସରକାରଙ୍କ ଉପରୋକ୍ତ ଶ୍ରମିକ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ନିଷ୍ପତ୍ତି ବିରୁଦ୍ଧରେ ଆଜି ଦେଶର ମହାନ୍ ଶହୀଦ ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁଙ୍କ ବଳିଦାନ ଦିବସରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଆଇଏଫଟିୟୁ (ଇଫଟୁ) ପକ୍ଷରୁ ସାରାଦେଶରେ ପ୍ରତିବାଦ ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ଶ୍ରମିକ ଓ କର୍ମଚାରୀମାନଙ୍କ ଏକ ମିଳିତ ରାଲି ସ୍ଥାନୀୟ କମାପଲ୍ଲୀ ଛକରୁ ବାହାରି ଆରଡିସିଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ସେଠାରେ ପ୍ରତିବାଦ କରାଯାଇଥିଲା ।

ରାଜ୍ୟରେ ଠିକା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ଭଳି ଅସ୍ଥାୟୀ କର୍ମଚାରୀମାନେ ସ୍ଵଳ୍ପ ଦରମାରେ ତଥା ନାନାଦି ଅସୁବିଧା ମଧ୍ୟରେ ସରକାରୀ ବିଭାଗକୁ ଚଳାଇ ଆସୁଥିବା ବେଳେ ଏହି କୋଡ଼ ଲାଗୁ ହେଲେ ଏହି ଶ୍ରେଣୀ ନିଜର ଦାବୀକୁ ଉଠାଇବା ପାଇଁ ସଙ୍ଘ ପଞ୍ଜିକରଣ କରିବା କିମ୍ଭା କୌଣସି ଆନ୍ଦୋଳନ କରିବା କଷ୍ଟସାଧ୍ୟ ହୋଇଯିବ । ଏପରିକି କର୍ପୋରେଟ ସପକ୍ଷବାଦୀ ଏହି କୋଡ଼ ଜରିଆରେ ସରକାର ଅଗ୍ନିବୀର ପରି ସ୍ଥିର ଅବଧି ନିଯୁକ୍ତି (Fixed Term Employment)ର ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଥିବାରୁ ଆଗାମୀ ଦିନରେ ସ୍ଥାୟୀ ଓ ନିୟମିତ ନିଯୁକ୍ତି ସ୍ଵପ୍ନ ହୋଇଯିବ । କୋଡ଼ରେ ଶ୍ରମ ବିଭାଗର କ୍ଷମତାକୁ ଖର୍ବ କରି ତାକୁ ନିରୀକ୍ଷଣ ଦାୟୀତ୍ଵରୁ ମୁକ୍ତ କରାଯାଇଥିବାରୁ ସେମାନେ ଶ୍ରମିକମାନଙ୍କ ଅଧିକାର ହନନ ହେଲେ ନୀରବ ଦର୍ଶକର ଭୂମିକାରେ ଠିଆ ହେବେ। ଶ୍ରମ କୋଡ଼ ଜରିଆରେ ସରକାର ଦେଶର କୋଟି କୋଟି ଶ୍ରମିକ,କର୍ମଚାରୀଙ୍କୁ ଶ୍ରମ ଅଧିକାରର ପରିସରରୁ ବାହାର କରି ସେମାନଙ୍କୁ ଅଧିକାରହୀନ କରିବା ସହ ନିଯୁକ୍ତିଦାତାଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିଛନ୍ତି । ଏହା ଶ୍ରମିକ ଓ କର୍ମଚାରୀମାନଙ୍କୁ ଶୋଷଣ ଓ ଅନିଶ୍ଚିତତା ମଧ୍ୟକୁ ଠେଲି ଦେବ ।

ଅନ୍ୟାପଟେ ରାଜ୍ୟରେ କାମ କରୁଥିବା ଠିକା,ଆଉଟସୋର୍ସିଙ୍ଗ,ସ୍କିମ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ବଜାର ଦର ଅନୁସାରେ ସର୍ବନିମ୍ନ ମଜୁରୀ ପ୍ରଦାନ କରୁନାହାନ୍ତି କି ପୂର୍ବ ସରକାରଙ୍କ ଦ୍ଵାରା ଘୋଷିତ ସୁବିଧାକୁ ବି ଯୋଗାଇ ଦେଉନାହାନ୍ତି ।ସରକାରଙ୍କ ଦାୟିତ୍ୱ ହୀନତା ଲାଗି ରାଜ୍ୟସାରା କର୍ମଚାରୀମାନେ ଆଉଟସୋରସିଂ ଏଜେନ୍ସିମାନଙ୍କ ମନମାନିର ଶିକାର ହେଉଛନ୍ତି । ୩୦ ଦିନ କାମରେ ଲଗାଇ ୨୬ ଦିନ ଦରମା ଦେବା ଏବଂ ମାସର ସଠିକ ସମୟରେ ଦରମା ଦେବାରେ ମଧ୍ୟ ବିଫଳ ହେଉଥିବା ବେଳେ ବିନା କାରଣରେ ଶହ ଶହ କର୍ମଚାରୀଙ୍କୁ ଛଟେଇ କରିବା ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ସାରା ରାଜ୍ୟରେ କର୍ମଚାରୀମାନେ ଆନ୍ଦୋଳନ ଜାରୀ ରଖିଥିବା ବେଳେ ସରକାର କେବଳ ଭଣ୍ଡାଇବାରେ ଲାଗିଛନ୍ତି । ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଶ୍ରମିକ ବିରୋଧୀ ଭିବି ରାମଜୀ ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ ୨୦୨୫ କୁ ବାତିଲ କରିବାକୁ ଦାବି କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆଇଏଫଟିୟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ , ପୌର କର୍ମଚାରୀ ନେତା ଉତ୍ତମ ନାୟକ,ବିନୋଦ ନାୟକ,ଟୁନା ରଥ, ସ୍ୱାସ୍ଥ୍ୟ କର୍ମଚାରୀ ନେତା ନମିତା ନାୟକ,ହିମାଂଶୁ ପଟ୍ଟନାୟକ,ସୂର୍ଯ୍ୟ ନାରାୟଣ ବେହେରା,ସୁରଜ ନାହାକ, ମଧୁସୂଦନ ରାଓ,ଆଶୁତୋଷ ଘଡାଇ, ଝିଲ୍ଲୀ ରାଣୀ,ବିକ୍ରମ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଶେଷରେ ଏହି ସମ୍ପର୍କିତ ଏକ ସ୍ମାରକ ପତ୍ର ଆରଡିସିଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.