ବାଲିଗୁଡା,୨୦/୦୩(ପିପିଟି): ଜଳବାୟୁ ପରିବର୍ତ୍ତନ ସହିତ ଧରାପୃଷ୍ଠରୁ ବହୁ ଜୀବଜନ୍ତୁ ମଧ୍ୟ ଧିରେ ଧିରେ ଲୋପ ପାଇବାରେ ଲାଗିଛି । ଦିନ ଥିଲା ଗାଆଁ ଗହଳରେ ମାଆ ମାନେ ଘର ଚଟିଆକୁ ଦେଖାଇ ନିଜ ଛୁଆର ଅଝଟ ପଣ ଦୂର କରିବା ସହିତ ଘର ଚଟିଆ ସମ୍ପର୍କରେ ନାନା ଗୀତ ଗାଇ ନିଜ ଛୁଆକୁ ଖୁଆଇ ଦେଉଥିଲା । ଅଗଣା ଚାଳରେ ବସା ବାନ୍ଧି ଥିବା ଘର ଚଟିଆ ଗୁଡ଼ିକ ମଧ୍ୟ କିଚିରି ମିଚିରି ଶବ୍ଦ କରି ଘୁରି ବୁଲୁଥିଲେ ଅଗଣା ସାରା । କିନ୍ତୁ ମଣିଷ ଚାଳ ଘର ଭାଙ୍ଗି ନିଜ ପାଇଁ ଛାତ ଘର ତୋଳିବା ପରେ ଘର ଚଟିଆ ମାନେ ବାସ ହରା ହୋଇପଡ଼ିଲେ । କ୍ରମାଗତ ଭାବେ ଲୋପ ପାଇଲା ଘର ଚଟିଆଙ୍କ ବଂଶ । ଏହା ସହିତ ମୋବାଇଲ୍ ଟାୱାର୍ ଗୁଡ଼ିକର ବିକିରଣର କୁପ୍ରଭାବ ମଧ୍ୟ ପଡିଛି ଘର ଚଟିଆଙ୍କ ଜୀବନ ଶୈଳୀ ଉପରେ । ବର୍ତ୍ତମାନ ଗାଆଁ ଗହଳିରେ ଖୁବ୍ କମ୍ ସଂଖ୍ୟାରେ ଦେଖିବାକୁ ମିଳୁଛନ୍ତି ଘର ଚଟିଆ । ବିଶେଷ କରି ବିଭିନ୍ନ ବିଦ୍ୟାଳୟ, କୋଠା ଘରର ଛାତ ତଳେ ବାୟୁ ଚଳାଚଳ ପାଇଁ ଥିବା ରାସ୍ତାରେ ଘର ଚଟିଆ ମାନେ ନିଜର ବସା ବାନ୍ଧି ରହୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଘର ଏବଂ ବିଦ୍ୟାଳୟ ସଫେଇ କରିବା ଆଳରେ ଘର ମାଲିକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଘର ଚଟିଆ ବସା ଗୁଡ଼ିକୁ ବାହାର କରି ଫୋପାଡ଼ି ଦେଉଥିବା ଦେଖିବାକୁ ମିଳିଛି । ସେହିପରି ଘରେ ରହୁଥିବା ଘରା ଚଟିଆ ଗୁଡ଼ିକ ବେଳେ ବେଳେ ବିରାଡି ଦ୍ୱାରା ଶିକାର ହେବା ସହିତ ବହୁ ସମୟରେ ଘରର ପଙ୍ଖା ଏବଂ ଅନ୍ୟାନ୍ୟ ଆସବାବପତ୍ର ସହିତ ଧକ୍କା ହୋଇ ମୃତ୍ୟୁ ବରଣ କରିଥାନ୍ତି । ଅନ୍ୟପକ୍ଷରେ କିଛି ସହୃଦୟ ବ୍ୟକ୍ତି ନିଜ ଘର ଆଗରେ ବାଉଁଶ ଟୋକେଇ, ମାଟି ହାଣ୍ଡିରେ ଘର ଚଟିଆ ବସା ତିଆରି କରି ଘର ଚଟିଆ ଗୁଡ଼ିକୁ ଆଶ୍ରୟ ଦେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ଭଲି ପ୍ରତୀୟମାନ ହେଉଛି । ପ୍ରତିବର୍ଷ ମାର୍ଚ୍ଚ କୋଡିଏ ତାରିଖରେ କାଗଜ ପତ୍ରରେ ପାଳନ କରାଯାଉଛି ଘର ଚଟିଆ ଦିବସ । କିନ୍ତୁ ଘର ଚଟିଆଙ୍କ ସୁରକ୍ଷା ପାଇଁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ । ତେଣୁ ଘରା ଚଟିଆ ସୁରକ୍ଷା ଦିଗରେ ସରକାର ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ବିଶେଷ କରି ଗ୍ରାମାଞ୍ଚଳର ପ୍ରକୃତି ପ୍ରେମୀ ମାନଙ୍କୁ ଘର ଚଟିଆର ସୁରକ୍ଷା ପାଇଁ ସ୍ଵତନ୍ତ୍ର ରୂପେ ତାଲିମ ପ୍ରଦାନ କରାଯିବା ସହିତ ପ୍ରୋତ୍ସାହିତ କରିବା ଉଚିତ୍ । ସେହିପରି ବିଦ୍ୟାଳୟରେ ଥିବା ବଗିଚା ଗୁଡ଼ିକରେ ଘର ଚଟିଆଙ୍କ ପାଇଁ ସ୍ଵତନ୍ତ୍ର ଘର ପ୍ରସ୍ତୁତ କରାଯାଇପାରିଲେ ବିଦ୍ୟାଳୟ ସ୍ତରରୁ ମଧ୍ୟ ଘର ଚଟିଆ ସୁରକ୍ଷା ଅଭିଯାନ ହୋଇପାରନ୍ତା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ