‘ଶ୍ରୀ ଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ ।

0 9

ମାଲକାନଗିରି,୧୭/୦୩(ପିପିଟି):ଜିଲ୍ଲାର ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନର ସୁଯୋଗ ଦେବା ପାଇଁ ଆଜି ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରୁ ଚୟନ ହୋଇଥିବା ୭୪ ଜଣ ତୀର୍ଥଯାତ୍ରୀ ଅର୍ଥାତ୍ ୩୧ ପୁରୁଷ ଓ ୪୩ ମହିଳା ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।
ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ବିଧାୟକ ପ୍ରତିନିଧି ନିହାର ରାୟ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଆଞ୍ଚଳିକ ପରିବହନ ଅଧିକାରୀ ତୁଷାର ହେମ୍ବ୍ରମ, ଓଏସଆରଟିସି ଡିଟିଏମ୍ ଗୁରୁଦତ୍ତ ଦୋରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଉପସ୍ଥିତ ଥିଲେ।
ମାଲକାନଗିରି ଭଳି ଏକ ଦୂରବର୍ତ୍ତୀ ଅଞ୍ଚଳରୁ ୭୪ ଜଣ ଶ୍ରଦ୍ଧାଳୁ (୩୧ ପୁରୁଷ ଓ ୪୩ ମହିଳା) ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଛନ୍ତି। ଏହି ଯୋଜନାରେ ବୃଦ୍ଧବୃଦ୍ଧା ଏବଂ ବିଧବା ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଇଛି, ଯାହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାଙ୍ଗୁଲୁ ପ୍ରକାଶ କରିଥିଲେ।ଶ୍ରଦ୍ଧାଳୁମାନଙ୍କ ପାଇଁ ଯାତାୟାତ, ରହିବା ଏବଂ ଖାଦ୍ୟର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଏଥିସହ ପୁରୀରେ ସେମାନଙ୍କୁ ମାଗଣାରେ ମହାପ୍ରସାଦ ମଧ୍ୟ ସେବନ କରିବାର ସୁଯୋଗ ମିଳିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।
ଭକ୍ତମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବସ୍‌ରେ ପାରାମେଡିକ୍ କର୍ମଚାରୀ ଏବଂ ଏସକୋର୍ଟ ଅଧିକାରୀମାନେ ସାମିଲ ଅଛନ୍ତି, ଯାହା ଏହି ଯାତ୍ରାକୁ ଭୟମୁକ୍ତ ଓ ଆରାମଦାୟକ କରୁଛି। ଏହି ଯୋଜନା ମାଧ୍ୟମରେ ଆଗାମୀ ୪ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରୁ ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁଙ୍କୁ ପୁରୀ ଦର୍ଶନ କରାଇବାର ଲକ୍ଷ୍ୟ ରଖାଯାଇଛି ।
ଏହି ଯାତ୍ରା କେବଳ ଏକ ପର୍ଯ୍ୟଟନ ନୁହେଁ, ବରଂ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ଭାବପୂର୍ଣ୍ଣ ଆଧ୍ୟାତ୍ମିକ ଅନୁଭୂତି ହେବାକୁ ଯାଉଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ଓଏସଆରଟିସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.