ଛତ୍ରପୁର,୧୬/୦୩(ପିପିଟି): ଗଞ୍ଜାମ ଜିଲ୍ଲାର କ୍ଷେତ୍ରସ୍ତରର ଜନଗଣନା ପ୍ରଶିକ୍ଷକଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ସୁନୀଲ କୁମାର କେର୍କେଟାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ୬ ଦିନିଆ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା।
ଦୁଇଟି ପର୍ଯ୍ୟାୟରେ, ୧୦ ରୁ ୧୨ ତାରିଖ ଏବଂ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ, ଏହିଭଳି ୬ ଦିନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦୁଇଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ୪ ଜଣ ପ୍ରଶାସନିକ ଅଧିକାରୀ ତଥା ମାଷ୍ଟର ଟ୍ରେନର ରୀନା କୁମାରୀ ନାୟକ, ପାର୍ଥ ସାରଥୀ ହାଁସଦା, ପ୍ରଧାନ ଜୁଲି ଆମ୍ମା ଓ ବିଭୁ ପ୍ରସାଦ ମହାପାତ୍ର ପ୍ରତି ବ୍ୟାଚରେ ୩୬ ଜଣଙ୍କୁ ଏହିପରି ଜିଲ୍ଲାର ସର୍ବମୋଟ ୧୪୪ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେଇଥିଲେ।
ଜନଗଣନା ପ୍ରଶିକ୍ଷଣରେ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟ, ହାଉସ୍ଲିଷ୍ଟିଂ, ବ୍ଲକ୍ ଚିହ୍ନଟ ଓ ଗଠନ ପ୍ରକ୍ରିୟା, ଚାର୍ଜ୍ ରେଜିଷ୍ଟର ପ୍ରସ୍ତୁତି, ସଠିକ୍ ଭାବରେ ଗୃହ ସଂଖ୍ୟାକରଣ ଓ ନ୍ୟାସନାଲ ମ୍ୟାପ୍ ପ୍ରସ୍ତୁତି, ଅନ୍ଲାଇନ୍ ତଥ୍ୟ ସଂଗ୍ରହ, ଫିଲ୍ଡ ଟ୍ରେନରଙ୍କ ନିଯୁକ୍ତି, କାର୍ଯ୍ୟବଣ୍ଟନ ଏବଂ ସେମାନଙ୍କର କାର୍ଯ୍ୟ ଅଗ୍ରଗତି ଟ୍ରାକିଂ, ସେନସସ୍ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀଙ୍କ ଭୂମିକା ଓ ଦାୟିତ୍ୱ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣାତ୍ମକ ତଥ୍ୟ ସଂଗ୍ରହ ପାଇଁ ବିଭାଗୀୟ ସମନ୍ବୟ ଓ ନିରନ୍ତର ନିରୀକ୍ଷଣ ଭଳି ବିଭିନ୍ନ ବିଷୟରେ ଫିଲ୍ଡ ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
ଜନଗଣନାର ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ଭାବେ ବୁଝି, ନିର୍ଭୁଲ ତଥ୍ୟ କିପରି ସଂଗ୍ରହ କରାଯିବ ସେ ବାବଦରେ କ୍ଷେତ୍ରସ୍ତରୀୟ ପ୍ରଶିକ୍ଷକମାନେ, ଏନୁମେରେଟର ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ କେର୍କେଟା ପରାମର୍ଶ ଦେଇଥିଲେ।