ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧିର ୨୨ତମ କିସ୍ତି ପ୍ରଦାନ ।

0 113

ଛତ୍ରପୁର,୧୩/୦୩(ପିପିଟି): ସାରା ଦେଶର କୃଷକଙ୍କ ପରି ଗଞ୍ଜାମ ଜିଲ୍ଲାର କୃଷକମାନଙ୍କ ପାଇଁ ଆଜି ଥିଲା ଏକ ଆନନ୍ଦର ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ରାଜଧାନୀ ଗୁଆହାଟୀରୁ ଡ଼ିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ୨୨ତମ କିସ୍ତି ଦେଶର ଅନ୍ନଦାତା ଭାଇଭଉଣୀମାନଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ପିଏମ କିଷାନ ଉତ୍ସବ ଦିବସ ପାଳନ କରାଯିବା ସହ ଜାତୀୟ ଓ ରାଜ୍ୟସ୍ତରୀୟ ସମାରୋହ ଓ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନର ସିଧା ପ୍ରସାରଣ କୃଷକ ଭାଇଭଉଣୀମାନଙ୍କ ପାଇଁ ଉପଲବ୍ଧ କରାଯାଇଥିଲା ।

ଚାଷୀଙ୍କୁ ସଶକ୍ତ ଏବଂ କୃଷିକୁ ସମୃଦ୍ଧ କରିବା ଲକ୍ଷ୍ୟ କ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଗଞ୍ଜାମ ଜିଲ୍ଲାର ୧,୬୭,୭୪୬ କୃଷକ ପରିବାରଙ୍କୁ ୩୩,୫୪,୯୨,୦୦୦ ଟଙ୍କାର (ତେତିଶ କୋଟି ଚଉବନ ଲକ୍ଷ ବୟାନବେ ହଜାର) ସହାୟତା ରାଶି ଡ଼ିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି । ବ୍ଲକ ଅନୁଯାୟୀ ହିତାଧିକାରୀଙ୍କ ସଂଖ୍ୟା ହେଲା — ଆସିକା ବ୍ଲକରେ ୮୧୦୨, ବେଗୁନିଆପଡାରେ ୮୪୬୩, ବେଲଗୁଣ୍ଠରେ ୬୬୫୪, ଭଞ୍ଜନଗରରେ ୫୭୮୯, ବୁଗୁଡାରେ ୭୨୦୭, ଛତ୍ରପୁରରେ ୪୨୫୧, ଚିକିଟିରେ ୫୩୦୪, ଧରାକୋଟରେ ୬୨୨୩, ଦିଗପହଣ୍ଡିରେ ୧୪୧୫୩, ଗଞ୍ଜାମ ବ୍ଲକରେ ୫୪୪୬, ହିଞ୍ଜିଳୀକାଟୁରେ ୬୩୭୮,ଜଗନ୍ନାଥପ୍ରସାଦରେ ୮୮୫୨, କବିସୂର୍ଯ୍ୟନଗରରେ ୬୧୨୩, ଖଲ୍ଲିକୋଟରେ ୧୦୦୬୩, କୁକୁଡାଖଣ୍ଡିରେ ୫୪୬୦,ପାତ୍ରପୁରରେ ୭୫୩୦,ପୋଲସରାରେ ୮୬୩୩, ପୁରୁଷୋତ୍ତମପୁରରେ ୮୫୧୧, ରଙ୍ଗେଇଲୁଣ୍ଡାରେ ୫୪୫୪, ସାନଖେମୁଣ୍ଡିରେ ୧୧୧୭୮, ସେରଗଡରେ ୯୮୦୩ ଏବଂ ସୁରଡା ବ୍ଲକରେ ୮୧୬୯ କୃଷି ପରିବାର ଏହି ଯୋଜନାରେ ଲାଭାନ୍ବିତ ହେବେ ।

ଆଜି ପ୍ରଧାନମନ୍ତ୍ରୀ ଦେଶର ୯.୩୨ କୋଟି ଅନ୍ନଦାତାଙ୍କ ଆକାଉଣ୍ଟକୁ ୨୨ ତମ କିସ୍ତି ହସ୍ତାନ୍ତର କରିଛନ୍ତି । ଏହି କ୍ରମରେ ଓଡ଼ିଶାର ୩୪ ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା କୃଷକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଏହା ଅଧୀନରେ ଜମି ଥିବା ଚାଷୀମାନଙ୍କୁ ପ୍ରତିବର୍ଷ ତିନୋଟି କିସ୍ତିରେ ୨୦୦୦ ଟଙ୍କା କରି ସର୍ବମୋଟ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ସହାୟତା ଚାଷୀଭାଇଭଉଣୀମାନଙ୍କୁ ଚାଷ ଋତୁ ପୂର୍ବରୁ ବିହନ,ସାର ଓ ଔଷଧ କ୍ରୟ କରିବାରେ ସାହାଯ୍ୟ କରୁଛି ।

ସୂଚନା ଯୋଗ୍ୟ ଯେ,ପି.ଏମ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପି.ଏମ କିଷାନ ପୋର୍ଟାଲରେ କୃଷକ ଭାଇଭଉଣୀମାନେ ନିଜେ ନିଜର ପଞ୍ଜିକରଣ ଓ ଆବେଦନ କରିପାରିବେ । ସମସ୍ତ ଜମି ସମ୍ପର୍କିତ ସୂଚନା କୃଷକ ଓଡିଶା ପୋର୍ଟାଲରୁ ସଂଗ୍ରହ କରାଯାଇପାରିବ । ଆଧାର ସହିତ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଇ ସେହି ଆକାଉଣ୍ଟରେ ଡ଼ିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନ କରାଯିବ । କୃଷକମାନଙ୍କ ଜମିର ପ୍ରକାର ପରିବର୍ତ୍ତନ କରିବାର ବ୍ୟବସ୍ଥା ମଧ୍ୟ କୃଷକ ଓଡିଶା ପୋର୍ଟାଲରେ କରାଯାଇଛି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଏଗ୍ରି ଷ୍ଟାକ (Agri-stack) କୃଷକ ପଞ୍ଜିକରଣ ବାଧ୍ୟତାମୂଳକ ଅଟେ ।

ଆଜିର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜ଼ିଲ୍ଲାପାଳଙ୍କ ସମେତ ଜ଼ିଲ୍ଲା ପରିଷଦର ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର କର, ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ଼ଃ କନ୍ଧ ଜେନା ଓ ବରିଷ୍ଠ କୃଷି ବୈଜ୍ଞାନିକ ଡଃ ସୁଜିତ କୁମାର ନାଥ ପ୍ରମୁଖଙ୍କ ସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନବ୍ଲକରୁ ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ପିଏମ କିଷାନ ଯୋଜନାର ହିତାଧିକାରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.