ଦୀର୍ଘ ସମୟ ମେଡିକାଲରେ ପଡିରହିଲା ଶବ; ଅନ୍ତିମ ସତ୍କାର କଲେ ବିପଦର ବନ୍ଧୁ ।

0 247

ଭଞ୍ଜନଗର, ୧୧/୦୨(ପିପିଟି):ଆଜିର ବିଜ୍ଞାନ ଯୁଗରେ ମଧ୍ୟ ସମାଜରେ ଛୁଆଁ ଅଛୁଆଁ, ଜାତିପ୍ରଥା ଓ ଭେଦଭାବ ଲାଗି ରହିଛି।ଯାହା ଫଳରେ ମାନବିକତା ଆଜି ହଜିବାକୁ ବସିଲାଣି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା।ସାମାଜିକ ବାସନ୍ଦ ପାଇଁ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି ତାର ପରିବାର ଲୋକ।ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମେଡ଼ିକାଲରେ ପଡ଼ି ରହିଲା ଶବ।ଶେଷରେ ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ, ଭଞ୍ଜନଗର ଶାଖା ପକ୍ଷରୁ ଶବ ସତ୍କାର କରାଗଲା।
ଗତ ସୋମବାର ଦିନ ଏହି ବ୍ଲକ କୁଲାଡ଼ ଗ୍ରାମର କାହ୍ନୁ ଡାକୁଆଙ୍କର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।ହେଲେ କାହ୍ନୁ ଅନ୍ୟ ଏକ ଜାତିର ଝିଅକୁ ବିବାହ କରିଥିବା କାରଣରୁ ତାଙ୍କୁ ଜାତିରୁ ବାସନ୍ଦ କରାଯାଇଥିଲା।ତେଣୁ ପରିବାର ଲୋକ କିମ୍ବା ଗ୍ରାମବାସୀ କେହି ମଧ୍ୟ କାହ୍ନୁର ଶବ ନେବାକୁ ମେଡ଼ିକାଲ ଆସିଲେ ନାହିଁ।ତେଣୁ ବହୁ ସମୟ ମୃତ ଦେହ ମେଡିକାଲରେ ପଡିରହିବା ପରେ ମେଡିକାଲ କର୍ତ୍ତୃପକ୍ଷ ଭଞ୍ଜନଗର ଥାନାକୁ ଖବର ଦେଇଥିଲେ।ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଓ ସ୍ବେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ସଦସ୍ୟମାନେ ମେଡିକାଲରେ ପହଁଞ୍ଚି ମହାପ୍ରୟାଣ ଗାଡି ଦ୍ୱାରା ମୃତଦେହକୁ ଭଞ୍ଜନଗର ସ୍ମଶାନ ଘାଟକୁ ନେଇ ହିନ୍ଦୁ ରୀତିନୀତି ଅନୁଯାୟୀ କାହ୍ନୁଙ୍କ ଶବ ସତ୍କାର କରିଥିଲେ।ମୃତ କାହ୍ନୁଙ୍କ ପତ୍ନୀ ବହୁ ଦିନ ହେଲା ସ୍ୱାମୀଙ୍କୁ ଛାଡି ଚାଲିଯାଇଛନ୍ତି।ତାଙ୍କର ଦୁଇପୁଅ ମଧ୍ୟ କେଉଁଠାରେ ଅଛନ୍ତି ସେସମ୍ପର୍କରେ କୌଣସି ଖବର ମିଳିଲା ନାହିଁ।ଘରେ କେବଳ କାହ୍ନୁର ବୃଦ୍ଧା ମାଆ ରହୁଛନ୍ତି।ତେଣୁ ଏଭଳି ସ୍ଥିତିରେ ତାଙ୍କୁ କେହି ମଧ୍ୟ ସହଯୋଗ କରି ନ ଥିଲେ।ଶେଷରେ ବିପଦର ବନ୍ଧୁ ହିଁ ତାଙ୍କୁ ଶବ ସତ୍କାର କାର୍ଯ୍ୟରେ ସହଯୋଗର ହାତ ବଢ଼ାଇ ଏହି ମହତ୍ତ୍ କାର୍ଯ୍ୟକୁ ସମ୍ପାଦନ କରିଥିଲା।ସଙ୍ଗଠନର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.