ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ -୨୦୧୩ ଓ ଦଣ୍ଡ ବିଧାନ କର୍ମଶାଳା ।

0 213

ନବରଙ୍ଗପୁର,୦୫/୦୨(ପିପିଟି): ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଏକ ଜିଲ୍ଲାସ୍ତରୀୟ ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ-୨୦୧୩ ଓ ଦଣ୍ଡ ବିଧାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର କର୍ମଶାଳାର ଉଦେଶ୍ୟ ଉପରେ ସୁଚନା ଦେବା ସହ ଡାହାଣୀ ଓ ଗୁଣିଆଙ୍କ ଅନ୍ଧବିଶ୍ଵାସର ଶିକାର ହୋଇ ସମାଜରେ ବହୁ ଲୋକଙ୍କ ଧନ ଓ ଜୀବନ ନଷ୍ଟ ହେଉଛି। ଏହି ସବୁ ଅନ୍ଧ ବିଶ୍ବାସ ଓ କୁପ୍ରଥା ଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ସମାଜ କଲ୍ଯାଣ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ର ଆୟୋଜନ କରାଯାଇଛି ବୋଲି କହିଥିଲେ । ଉପଜିଲ୍ଲାପାଳ ଏହି ଅନ୍ଧବିଶ୍ବାସ ଯୋଗୁଁ ମହିଳା ମାନଙ୍କ ଉପରେ ହେଉଥିବା ହିଂସା ଓ ନିର୍ଯାତନା କୁ ରୋକିବାକୁ ଓଡିଶା ଡାଆଣୀ ଶିକାର ପ୍ରତିରୋଧ ଅଧିନିୟମ ୨୦୧୩ ଅନୁଯାୟୀ ଡାଆଣୀ ଶିକାର ଏକ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ ବିଷୟରେ ସମସ୍ତ ଗ୍ରାମଗୁଡିକରେ ଅଙ୍ଗନବାଡି କର୍ମୀ ଦ୍ଵାରା ସଚେତନ କରିବା ପାଇଁ ସିଡିପିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୟୁନିସେଫ ଜିଲ୍ଲା ସଂଯୋଜକ ଫକିର ଚରଣ ରାଉତଙ୍କ ସଂଯୋଜନାରେ ହୋଇଥିବା ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ମଲୟ କୁମାର ପ୍ରଧାନ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଅତିରିକ୍ତ ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ପ୍ରମୁଖ ମହିଳାମାନଙ୍କୁ କେଉଁ ଉଦେଶ୍ୟରେ ଆତ୍ମଘୋଷିତ ଗୁଣିଆ ତଥା ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିମାନେ ଡାହାଣୀ ଆଖ୍ୟା ଦେଇ ହିଂସା ଓ ନିର୍ଯାତନା ଦେଇ ଅପରାଧ କରିଥାନ୍ତି ତାହା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ପ୍ରାୟତଃ ଦେଖାଯାଏ ଏକାକୀ ମହିଳା ଯେମିତିକି ବିଧବା,ଅବିବାହିତା ରହି ଯାଇଥିବା କିମ୍ବା ପରିତ୍ୟକ୍ତା ମହିଳା ମାନେ ଏପରି ଡାହାଣୀ ଆଖ୍ୟାୟିତ ହୋଇ ନିର୍ଯାତନା ପାଇଥାନ୍ତି। ଅନେକ କ୍ଷେତ୍ରରେ ଏକାକୀ ମହିଳା ମାନଙ୍କର ସମ୍ପତ୍ତି ହାତେଇବା ଉଦ୍ଦେଶ୍ୟ ରଖି ଏହିପରି ଡାହାଣୀ ଆଖ୍ୟା ଦେଇ ଜୀବନରୁ ମାରିଦେବାର ଉଦାହରଣ ଆମ ସମାଜରେ ରହିଛ । ଜିଲ୍ଲା ସମାଜ କଲ୍ଯାଣ ବିଭାଗର ମହିଳାସୁରକ୍ଷା ଅଧିକାରୀ ରାମା ପଟ୍ଟନାୟକ,ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମ ଅଧିକାରିଣୀ ପୁଷ୍ପାରାଣୀ ପଟ୍ଟନାୟକ,ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ସରୋଜ ପୂର୍ଣ୍ଣମ କିସପଟ୍ଟା ପ୍ରମୁଖ ତାଲିମସାଧନ ବ୍ୟକ୍ତି ଭାବରେ ଯୋଗଦେଇ ଓଡିଶା ଡାଆଣୀ ଶିକାର ପ୍ରତିରୋଧ ଅଧିନିୟମ ୨୦୧୩ ଅନୁଯାୟୀ ଡାଆଣୀ ଶିକାର ଏକ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ ଉପରେ ଆଲୋଚନା କରିବା ସହିତ ଯଦି କିଏ ଡାଆଣୀ ଶିକାର କରେ କିମ୍ବା ଡାଆଣୀ ଶିକାର କରିବା ପାଇଁ ଅନ୍ୟକୁ ପ୍ରବର୍ତ୍ତାଇ ବା ଉତ୍ତେଜିତ କରିଥାଏ, ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ଟ. ୧,୦୦୦ ବା ତତୁର୍ଦ୍ଧ ଜୋରିମାନାରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଥିବାର ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲ୍ୟବିବାହ ନିଷେଧ ଅଧିକାରୀ, ଶସ୍ମିତା ମହାନ୍ତି ,ସଞ୍ଜୁକ୍ତା ରାଣୀବେହେରା,ସୁଦର୍ଶନୀ ରଥ, ଯମୁନା ଭତ୍ରା,ବିରଜା ମୋହିନୀ ପାଙ୍ଗି, ମହିଳା ସଶକ୍ତିକରଣ ହବର ସରିତା ରାଣୀ ପାଣି,ସସ୍ମିତା ପାତ୍ର,ଜିଲ୍ଲା ସମାଜ କଲ୍ଯାଣ ବିଭାଗର ସୁପରଭାଇଜର, ବିଭିନ୍ନ ଜାତି ସମାଜର ମୁଖ୍ୟ ଏବଂ ୱାନଷ୍ଟପ ସଖୀର କର୍ମକର୍ତ୍ତା ପ୍ରମୁଖ ଏହି କର୍ମଶାଳାରେ ଉପସ୍ତିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଡାହାଣି ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ ଉପରେ ନିଜର ମତାମତ ପ୍ରଦାନ କରିଥିଲେ ।

Leave A Reply

Your email address will not be published.