ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା ।

0 213

ଭଞ୍ଜନଗର, ୨୩/୦୧(ପିପିଟି):ତାଲୁକା ଆଇନ ସେବା କମିଟି, ଭଞ୍ଜନଗର ତରଫରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ୍ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଅଧ୍ୟକ୍ଷ, ତାଲୁକ ଆଇନ ସେବା କମିଟି ସେଖ୍ ମହମ୍ମଦ କଏସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଷ ଆଇନ୍ (କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡନ ନିରୋଧ ଆଇନ୍), ସାମ୍ବିଧାନିକ ଅଧିକାର ଓ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଆଇନ ବିଷୟରେ ସଚେତନତା ଥିଲେ ସମାଜରେ ନ୍ୟାୟ ଓ ସମତା ପ୍ରତିଷ୍ଠା ହୋଇପାରିବ।
ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଭିୟେନା ନାୟକ ତାଙ୍କ ଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଆଇନଗତ ଅଧିକାର ସହ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ। ସେ ମହିଳା ସୁରକ୍ଷା, ସମ୍ମାନ ଓ କାର୍ଯ୍ୟସ୍ଥଳରେ ସୁରକ୍ଷିତ ପରିବେଶ ଉପରେ ଗୁରୁତ୍ୱ ଦେଇଥିଲେ।
ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ଡ଼. ଦୀପକ କୁମାର ମିଶ୍ର ପୋଲିସ ବ୍ୟବସ୍ଥା, ଆଇନ ରକ୍ଷାରେ ନାଗରିକଙ୍କ ଭୂମିକା ଓ ଅପରାଧ ପ୍ରତିରୋଧରେ ସମାଜିକ ସହଯୋଗର ଆବଶ୍ୟକତା ଓ ଆପାତକାଳୀନ ସ୍ଥିତିରେ ପୋଲିସ ସହ କିପରି ସମ୍ପର୍କ ରଖିପାରିବେ ସେ ସମ୍ପର୍କରେ ସଚେତନ କରିଥିଲେ।
ଆଇନ ସହାୟତା ସଦସ୍ୟ ଡ଼. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ମାଗଣା ଆଇନ ସହାୟତା ସେବା, ଲୋକ ଆଦାଲତ ଓ ଆଇନ ସେବା ପ୍ରାପ୍ତି ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ।ସଦସ୍ୟା ଅଲକା ମଞ୍ଜରୀ ପଟ୍ଟନାୟକ ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।
କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାଶ ସମସ୍ତ ଅତିଥିଙ୍କୁ ସ୍ୱାଗତ କରି କଲେଜରେ ଏପରି ଆଇନ ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଉପକାରୀ ବୋଲି ମତ ପ୍ରକାଶ କରିଥିଲେ। କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.