ଟିଟିଲାଗଡ଼,୨୯/୧୨: ଏକ ଆଶ୍ଚମ୍ବିତ ଘଟଣା ଭଳି କଟନି ଛଟନିର ଶିକାର ନେଇ ଚାଷୀଙ୍କ ଅସନ୍ତୋଷ ନେଇ ବିଗତ ୫ ଦିନ ହେଲା ବନ୍ଦ ପଡ଼ିଥିବା ବଲାଙ୍ଗୀର ଜିଲାର ଦ୍ଵିତୀୟ ବୃହତ ତଥା ଟିଟିଲାଗଡ଼ ଉପଖଣ୍ଡର ସର୍ବ ବୃହତ ଧାନ ମଣ୍ଡିକୁ ଟିଟିଲାଗଡ଼ ଉପଜିଲ୍ଲାପାଳ କିମ୍ବା ବଲାଙ୍ଗୀର ଜିଲ୍ଲାପାଳ ତ ଦୂରର କଥା ତଳସ୍ତର ଅଧିକାରୀଙ୍କ ପାଦ ମଧ୍ୟ ପଡ଼ିନାହିଁ । ଗତ ୫ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଧାନ ମଣ୍ଡି ଖୋଲିଥିବା ବେଳେ ଅବ୍ୟବସ୍ଥା ଜାରୀ ରହିଛି । କ୍ୱିଣ୍ଟାଲଟିଏ ଧାନକୁ ୫ କିଲୋଗ୍ରାମ କଟନି ଛଟନି ପାଇଁ ପ୍ରଶାସନ ଜିଦ ଧରିଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଆଜି ଉକ୍ତ ମଣ୍ଡି ପରିଦର୍ଶନ ସହ ନିଜେ ଉପସ୍ଥିତ ରହି ଧାନର ମାନ ପରୀକ୍ଷା କରିଥିଲେ । ପରୀକ୍ଷଣରେ ଚାଷୀ ଧ୍ରୁବ ରଣାଙ୍କ ଧାନର ମାନ ସମ୍ପୂର୍ଣ୍ଣ ଏଫଏକ୍ୟୁ ବୋଲି ଚିହ୍ନଟ ହୋଇଥିଲା । ଏନେଇ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଚାଷୀଙ୍କୁ ତାଙ୍କ ଧାନ ଏଫଏକ୍ୟୁ ବୋଲି ପ୍ରମାଣ ପତ୍ର ପ୍ରଦାନ କରଯାଇଛି । ସେହି ପ୍ରମାଣପତ୍ର ପୁଣି ପ୍ରଥମ ଥର ପାଇଁ ଓଡ଼ିଶାରେ ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନ ନିଜ ହସ୍ତରେ ପ୍ରଦାନ କରିଥିଲେ । ଏନେଇ ଚାଷୀ ଧ୍ରୁବଙ୍କ ଧାନ ବିଜେପି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ କ୍ରୟ କରାଯିବ ବୋଲି ମଣ୍ଡି ସମ୍ପାଦକ ବିଘ୍ନେଶ୍ୱର ଭୋଇ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷରେ ସମସ୍ତ ଚାଷୀଙ୍କ ଧାନ ବିନା କଟନିରେ କ୍ରୟ କରିବାକୁ ବିଧାୟକ ବଲାଙ୍ଗୀର ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ୟମରେ କହିଛନ୍ତି । ଚାଷୀଙ୍କ ସ୍ୱାର୍ଥ ନେଇ ସଂଘର୍ଷ କରିଆସିଥିବା ବରିଷ୍ଠ ଚାଷୀ ନେତା ବିକାଶ ପାଣିଗ୍ରାହୀ, ଟିଟିଲାଗଡ଼ ବ୍ଲକ ସରପଞ୍ଚ ସଂଘ ସାଧାରଣ ସମ୍ପାଦକ ହୃଷିକେଶ ବାଗ, ଚାଷୀ ନେତା ସୁବାଶ ମହାନନ୍ଦ, ଅଶୋକ ବଗର୍ତ୍ତୀ ବିଧାୟକଙ୍କ ଗସ୍ତ କାଳରେ ଉପସ୍ଥିତ ରହି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦାବୀ କରିଥିଲେ ।