ପୋଲସରା ,୨୨/୧୧ (ପିପିଟି): ପୋଲସରା ବ୍ଲକ୍ ହାତୀଓଟ ଗ୍ରାମ ପଞ୍ଚାୟତ ସ୍ଥିତ ହାତୀଓଟ ନୋଡାଲ ହାଇସ୍କୁଲ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତଥା ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଉଦଘାଟନ କରିବାସହ ପ୍ରତିଯୋଗୀ ଛାତ୍ର ଓ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକଳ୍ପ ବିଷୟରେ ପଚାରି ବୁଝି ଉପଯୁକ୍ତ ପରାମର୍ଶ ଦେବାସହ ସେମାନଙ୍କ ସଫଳତା କାମନା କରିଥିଲେ। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ମୋଟ୍ ୩୫ ଗୋଟି ବିଭିନ୍ନ ବିଜ୍ଞାନ ବିଷୟ ଉପରେ ନେଇ ପ୍ରକଳ୍ପ ପ୍ରଦର୍ଶନୀ କରିବାର ସୁଯୋଗ ପାଇଥିଲେ। ପରେ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ଆସନ୍ତା ୨୪ ତାରିଖ ସୋମବାର ଦିନ ପୋଲସରା ସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ହାଇସ୍କୁଲ ଠାରେ ହେବାକୁ ଥିବା ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳାରେ ଯୋଗଦେବା ପାଇଁ ଦଶମ କ୍ଲାସର୍ ଛାତ୍ରୀ ରୋଜାଲିନୀ ମହାପାତ୍ର ଓ ଛାତ୍ର ରୋହନ ସାହୁ, ନବମ କ୍ଲାସର ଆଶୁତୋଷ ପ୍ରଧାନ ଓ ଆଦିତ୍ୟ କୁମାର ପଣ୍ଡା ଛାତ୍ର ଦୁଇ ଜଣଙ୍କୁ ଭାଗ ନେବାପାଇଁ ମନୋନୀତ କରିଥିଲେ। ଏହି ମେଳାରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ନିରାନନ୍ଦ ସାହୁ,ବିଜ୍ଞାନ ତଥା ଗଣିତ ଶିକ୍ଷକ ଶଙ୍କର ପ୍ରଧାନଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ କର୍ମଚାରିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା