ଭଞ୍ଜନଗର,୨୫/୧୦(ପିପିଟି ):ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ ରେଞ୍ଜ ବେଲାଟୁଣି ଗ୍ରାମର ଜଣେ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ସେହି ଗ୍ରାମର ବିକ୍ରମ ନାୟକ ୩୬ ବର୍ଷ। ସୂଚନା ଅନୁସାରେ ଏକ ଚାରି ତିକିଆ ହାତୀପଲ ଗତକାଲି ରାତିରେ ମୂଜାଗଡ ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି କରିଥିଲେ। ଏହାପରେ ବେଲାଟୁଣି ଅଞ୍ଚଳ ଆଡ଼େ ହାତୀପଲ ଯାଇ ଫସଲ ନଷ୍ଟ କରିଥିଲେ। ଗ୍ରାମ ଠାରୁ କିଛି ଦୂରରେ ଥିବା ଦର୍ପଙ୍ଗିଆ ସଂରକ୍ଷିତ ଜଙ୍ଗଲ ନିକଟ ଚାଷ ଜମିରେ ଏକ କୁଡ଼ିଆ ଘରେ ପ୍ରତିଦିନ ଭଳି କାଲି ମଧ୍ୟ ବିକ୍ରମ ଶୋଇଥିଲେ।ଏହି ସମୟରେ ଗୋଟିଏ ହାତୀ ବିକ୍ରମକୁ ସେଠାରୁ ଘୋଷାଡି ଆଣି କିଛି ଦୂରରେ ଥିବା ଜମିରେ ଗୋଡ଼ରେ ଦଳି ମାରି ଦେଇଥିବା ଜଣାପଡିଛି।ସକାଳେ କିଛି ଲୋକ ଏହାଦେଖି ବନବିଭାଗକୁ ଜଣାଇଥିଲେ।ଏସିଏଫ ଓ ରେଞ୍ଜ ଅଫିସର ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ମେଡ଼ିକାଲ ଆଣିଛନ୍ତି। ଖବରପାଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ନିୟମ ଅନୁସାରେ ସହାୟତା ରାଶି ମୋଟ ୧୦ଲକ୍ଷ ଟଙ୍କାର ୧୦ପ୍ରତିଶତ ଅର୍ଥ ଆଜି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଦାନ କରାଯାଇଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।
ରିପୋର୍ଟ୍ -ଜେ.କେ ପଟ୍ଟନାୟକ.