ଯାଜପୁର,୧୯/୧୦(ପିପିଟି): କାଳୀ ପୂଜା ଓ ଲକ୍ଷ୍ମନାରାୟଣ ପୂଜା ପାଇଁ ଯାଜପୁର ସହର ଚଳଚଞ୍ଚଳ ହୋଇପଡିଛି । ସମସ୍ତ ମେଢ଼ର କର୍ମକର୍ତ୍ତାମାନେ ପୂଜାକୁ ସରସ ସୁନ୍ଦର ଓ ବିଭିନ୍ନ ପ୍ରକାର ଆକର୍ଷଣୀୟ ତୋରଣ ଓ ଅନ୍ୟାନ୍ୟ ସାଜସଜାରେ ଆଗ୍ରହ ପ୍ରକାଶ କରିଛନ୍ତି। ଯାଜପୁର ସହରରେ କାଳୀପୂଜା ଏକ ଗଣପର୍ବ ହୋଇଥିବାରୁ ଯାଜପୁର ଏବଂ ପଡୋଶୀ ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ଅନେକ ଶ୍ରଦ୍ଧାଳୁ ତଥା ଦର୍ଶକ ପୂଜା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଯାଜପୁରକୁ ଆସିଥାନ୍ତି। ଚଳିତ ବର୍ଷ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଶାନ୍ତି କମିଟି ଓ ପୂଜା କମିଟିର ସଦସ୍ୟ ମାନଙ୍କୁ ନେଇ ୩ ଥର ପ୍ରସ୍ତୁତି ବୈଠକ କରାଯାଇଅଛି। ପ୍ରଶାସନିକ କ୍ଷେତ୍ରରେ ଜିଲ୍ଲାପାଳ ଅମ୍ବର କୁମାର କର ଓ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ ଆଜି ତା ୧୯.୧୦.୨୦୨୫ ରିଖ ସନ୍ଧ୍ୟା ୫ ଘ. ୩୦ ମି. ସମୟରେ ଯାଜପୁର ସହରରେ ଏକ ଫ୍ଲାଗ ମାର୍ଚ୍ଚ ବାହାରି ହାବେଳୀ ବଜାର,ମାର୍କେଟ ଛକ,ହରପାର୍ବତୀ ଛକ,ବଡ଼ ବଜାର, ନାରାୟଣୀ ଛକ,ଗରିଆପୁର ଛକ, କବରସ୍ତାନ,ମେଡିକାଲ ଛକ, ରେଡକ୍ରସ ଛକ,କିଆନାଳୀ ଛକ ଦେଇ ସଂସ୍କୃତି ଭବନ ଠାରେ ପହଞ୍ଚିଥିଲେ। ଜିଲ୍ଲାପାଳ ଅମ୍ବର କୁମାର କର ଏବଂ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ କାଳୀପୂଜା, ଲକ୍ଷ୍ମୀନାରାୟଣ ପୂଜା ଓ ଦୀପାବଳୀ ଅବସରରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଜନସାଧାରଣ ଶାନ୍ତିଶୃଙ୍ଖଳାର ସହିତ ଏହି ମହାନ ପର୍ବ ଓ ଭସାଣୀ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବରେ ସମାପନ କରିବାକୁ ଅନୁରୋଧ କରିଛନ୍ତି। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଫ୍ଲାଗ ମାର୍ଚ୍ଚରେ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୫ ଜଣ ଉପ ଆରକ୍ଷୀ ଅଧିକ୍ଷକ, ୯ ଜଣ ଇନ୍ସପେକ୍ଟର, ୨୩ ପ୍ଲାଟୁନ ଫୋର୍ସ, ୨ ଜଣ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି। ସାରା ସହରରେ ପ୍ରମୁଖ ଛକ ମାନଙ୍କରେ ୩୨ ଗୋଟି ସିସିଟିଭି କ୍ୟାମେରା, ୮ଟା ପୋଲିସ ସହାୟତା କେନ୍ଦ୍ର ଖୋଲାଯାଇଛି।