ଜୀବନ ବିପନ୍ନ ଏବେ ଘାଣ୍ଟେ ଜରା ବ୍ୟାଧି
ଆୟୁଷ ମୋ ଯାଏ ସରି କାଳ ହୁଏ ବୃଦ୍ଧି ।
ନାହିଁ ଇଛା ଧନ ସଞ୍ଚି କୃପଣ ବୋଲାଇ
ପର ତଣ୍ଟି କାଟି ଅପବାଦକୁ ମୁଣ୍ଡାଇ ।
କି ହେବ ସମ୍ପଦ ମୋର ଥାଉ ଭାବ ସ୍ନେହ
ମଲେ କିଛି ଯିବ ନାହିଁ – ଏ ସୁନ୍ଦର ଦେହ ।
ସବୁ ରହି ଯିବ ଏଠି – ଜମି ଅଟ୍ଟାଳିକା
ସୁବର୍ଣ୍ଣର ଅଳଙ୍କାର – ସୁନ୍ଦରୀ ନାୟିକା ।
କାହା ମନେ ଦେଇ କ୍ଳେଶ କି ଲୋଡିବି ଯଶ
ଦେଲେ ଦେଇ ପାରେ ମୁଖେ କିଞ୍ଚିତ ହରସ ।
ପର ସେବା ପାଇଁ ଚିତ ବ୍ୟାକୁଳ ହୁଅଇ
ଅସହାୟ ଜନତାଙ୍କୁ ଦେବି ଦାନ ଯାଇ ।
କି ହେବ ଧନ ସଂପଦ କ୍ଷୁଧାରେ କେ ମରେ
କୁବେର ସଂପଦ ଥାଇ ନ ଥିବ କାର୍ଯ୍ୟରେ ।
ଧିକ ଧିକ ବିତ୍ତଶାଳୀ ବୋଲାଇ ଜଗତେ
କାହାକୁ ଦେଉନା ଦାନ ଥାଇ ବେନି ହସ୍ତେ ।
ମନ୍ଦିରେ ମନ୍ଦିରେ ବୁଲି ପଥର ପୂଜିଲେ
କୃପଣ ପଣକୁ ସଦା ଜାବୁଡ଼ି ଧରିଲେ ।
ଭିକାରୀକୁ ଦେଖି ନାକ ଫୁଲାଇ କହିବ
ଦୁଆର ମୁହଁରୁ ଶୂନ୍ୟ ହସ୍ତେ ବିଦା ଦେବ ।
ଧନୀ ଧନୀ ବାହାସ୍ଫୋଟ ମାରି ଦିନ କାଳ
କଟୁଥିବ ଆତ୍ମ ଗର୍ବେ ଦେଖି ବିତ୍ତ ବଳ ।
ମଣିଷ ଜନ୍ମ ଲଭିଣ ମାନବ ପଣିଆ
ଅନ୍ତରେ ନଥିଲେ କେଉଁ ପୌରଷରେ ଗଣା ।
ନଦିଅ କାହାକୁ ପଛେ ଖୁଦ କି କଣିକା
ମିଠା କଥା ପଦେ କୁହ ହେଲେ କେହି ଦେଖା ।
କାହାର ଦୁର୍ଦ୍ଦଶା ଦେଖି କର ନାହିଁ ହାସ୍ୟ
ବିପଦ ମାଡି ଆସିବ ଦିନେ ତୁମକୁ ଅବଶ୍ୟ ।
ଛୋଟ ବଡ ବିଚାରଟି ଆଣେ ଅହଂ ଭାବ
ବଦଳାଇ ଦିଅ ଭାଇ ଆପଣ ସ୍ବଭାବ ।
ଏ ଜୀବନ କ୍ଷଣ ସ୍ଥାୟୀ ଶୂନ୍ୟ ଜଳ ବିମ୍ବ
ଫାଟି ଯିବ ମୁହୂର୍ତ୍ତକେ ଭାଙ୍ଗି ଯିବ ଦମ୍ଭ ।
ହସ ହସ ମୁହେଁ ଘୋଟି ଯିବ କଳା ମେଘ
ନେତ୍ରୁ ଅଶ୍ରୁ ବହୁଥିବ ନଥିବ ସୌଭାଗ୍ୟ ।
ଏଣୁ ମୁଁ ସନ୍ୟାସ ବ୍ରତ କରୁଛି ପାଳନ
ସ୍ବାତିକ ମାର୍ଗରେ ସଦା କରୁଛି ଗମନ ।
ନାହିଁ ମଦ ମାଂସ ଲୋଡା ଆବର ସୁନ୍ଦରୀ
ତାମସିକ ଗୁଣ ଧର୍ମ ଦେଇଛି ପାଶୋରି ।
ସମାଜର ହିତ କଥା ନିରବଧି ଚିନ୍ତି
ପ୍ରତି ଦିନ ସେବା କାର୍ଯ୍ୟେ ଦିନ ଯାଏ ବିତି ।
ଆସ ଆସ ଭାଇ ଯଦି ଭଲ କାମ ପାଇଁ
ଜଗତ ମଙ୍ଗଳ ହେବ ଯିବା ସାଥି ହୋଇ ।
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ,, ମାଲକାନଗିରି)