ଯାଜପୁର ,୨୭/୦୪(ପିପିଟି): ରାଜ୍ୟ ସହିତ ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ସହିତ ଖଣିଜ ପଦାର୍ଥର ବ୍ୟାପକ ଚୋରି ହେଉଛି । ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଯାଜପୁର ଜିଲ୍ଲାରେ ବିଭିନ୍ନ ନଦୀର ବାଲି, କଳା ପଥର, କ୍ରୋମ, ଲାଟେରାଇଟ ପଥର, ମାଟି ଓ ନାଲିମାଟି ଭଳି ଲଘୁ ଓ ଖଣିଜ ପଦାର୍ଥର ଅବୈଧ ଉତ୍ତୋଳନ ଓ ଚୋରିର ଘଟଣା ବୃଦ୍ଧି ପାଇଛି। ଏହି ଅନଧୂକୃତ କାର୍ଯ୍ୟକଳାପ ଯୋଗୁ ଗୁରୁତ୍ବପୂର୍ଣ୍ଣ ପରିବେଶ ହ୍ରାସ, ସରକାରୀ ଆୟର ବ୍ୟାପକ କ୍ଷତି, ସ୍ଥାନୀୟ ପରିବେଶର ଅସାମଞ୍ଜସ୍ୟ ଓ ସାଧାରଣ ଭୌତିକ ଢାଞ୍ଚା ଉପରେ ବ୍ୟାପକ ପ୍ରଭାବ ପକାଉଛି । ବିଶେଷକରି ସଡକର ବ୍ୟାପକ କ୍ଷତି ହେବା ସହିତ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି । ସ୍ଥାନୀୟ ଲୋକମାନେ ଏହା ଦ୍ବାରା ଦୁର୍ଘଟଣା ଓ ଯାତୟାତ ବିଚ୍ଛିନ୍ନତାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷିରେ ଡ୍ରୋନ୍ ପ୍ରଯୁକ୍ତିର ଉପଯୋଗ କରାଗଲେ ସୀମାର ସଠିକ୍ ମାପ, ଅନଧୂକୃତ ଖନନ ସୁଳ ଗୁଡିକର ପରିଚୟ ସହିତ ଅଧିକ କିମ୍ବା ଅବୈଧ ଖନନର ସଠିକ ମୂଲ୍ୟାଙ୍କନ ହୋଇ ପାରିବ । ତେଣୁ ମୁଖ୍ୟମନ୍ତ୍ରୀ ଖଣି, ରାଜସ୍ବ ଓ ଜଙ୍ଗଲ ବିଭାଗକୁ ଆବଶ୍ୟକ ଡ୍ରୋନ୍ ନିରୀକ୍ଷଣ ପଦ୍ଧତି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଭବିଷ୍ୟତ ପାଇଁ ପ୍ରକୃତିକୁ ସୁରକ୍ଷିତ ରଖୁବା ଏବଂ ଭବିଷ୍ୟତ ପିଢ଼ୀ ପାଇଁ ସରକାରୀ ଆୟ ବୃଦ୍ଧି କରିବାକୁ ଏହି ସମସ୍ୟାଗୁଡ଼ିକୁ ଠିକ କରିବାରେ ଆପଣଙ୍କର ସହାୟତା ଓ ଶୀଘ୍ର କାର୍ଯ୍ୟକର୍ମ ପାଇଁ ଆଶା କରୁଛି ବୋଲି ଇଂ ଘଡାଇ ନିଜ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।