ଭଲ ପାଇ ଯଦି ଭୁଲି ଯାଅ ପ୍ରିୟା
ଅନୁତାପେ ଲାଭ ନାହିଁ…..
ଫେରି କି ଆସିବ ସେ ସମୟ ଆଉ
ନେତ୍ରୁ ଅଶ୍ରୁ ଗଲେ ବହି…!!
ସୁଯୋଗ ଜୀବନେ ଆସିଥାଏ ଥରେ
ଆସେ ନାହିଁ ବାରମ୍ବାର…..
ପଥ ଗଲେ ହୁଡି ପରେ ଅନୁତାପେ
ମରେ ମନେ ଝୁରି ଝୁରି…..!!
ଜୀବନଟା ଦେଖ ଜଳ ସ୍ରୋତ ପରି
ପ୍ରବାହିତ ନିମ୍ନ ନିମ୍ନ….
ଇତିହାସ ହୁଏ ପ୍ରତିଟି ମୁହୂର୍ତ୍ତ
ଯେପରି ନିଦ୍ରାରେ ସ୍ବପ୍ନ…..!!
ସଫଳ ବିଫଳ କର୍ମେ ଫଳାଫଳ
ତଥାପି ସ୍ବଜ୍ଞାନ ବଳେ….
ଭାଗ୍ୟବାଦୀ ହୋଇ ଜୀବନ ଚର୍ଯ୍ଯାରେ
ନ ମିଳେ ସୁଫଳ ତିଳେ….!!
ଏଣୁ ସୁଚିନ୍ତିତ ମତି ଲଗାଇଣ
ପ୍ରାପ୍ତ କର ସୁଧୀ ଜନେ….
ଭଲ ମନ୍ଦ ଚିନ୍ତା ଯାହା ହିତ କାମ୍ଯ
କରୁ ଥାଅ ସଦା ଧ୍ୟାନେ….!!
କର ନାହିଁ ମନ୍ଦ କୁକର୍ମ ସମାଜେ
ସୁକର୍ମେ ବଳାଅ ଚିତ୍ତ….
କାହା ମାନସରେ ଦିଅନା ଯାତନା
ଦୁଃଖ ସିନ୍ଧୁ ଅପ୍ରମିତ….!!
ପଶ୍ଚାତାପ କରି କର ନାହିଁ ଭ୍ରମ
ମାନବ ଜନମ ପାଇଁ…..
ମଙ୍ଗଳ କାମନା କରି ଯଶ କୀର୍ତ୍ତି
ଥାଉ ଏ ଜଗତେ ରହି….!!
ଅନୁତାପ ଆସେ ସବୁ ଅନ୍ତ ପରେ
କି ହେବ ମନ୍ଥନ କରି….
ସମ୍ପର୍କ ଅତୁଟ ରହିବାକୁ ହେଲେ
ଅହଂ ଦିଅ ତ୍ୟାଗ କରି…..!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)