ପୋଲସରା ,୨୨/୦୬(ପିପିଟି) :ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୭ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଆଜି ସ୍ଥାନୀୟ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ସୋଇଥିଲା। “ଗୋପବନ୍ଧୁଙ୍କ ସ୍ବପ୍ନ ର ଓଡ଼ିଶା” ଶୀର୍ଷକ ବକ୍ତୃତା ପ୍ରତିଯୋଗୀତା ରେ ପୋଲସରା ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟରୁ ୧୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ରୁପାଲି ସାହୁ ପ୍ରଥମ ହୋଇଥିବା ବେଳେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ର ଦଶମ ଶେଣୀ ର ଛାତ୍ର ଶ୍ରବଣ କୁମାର ସାହୁ ଦ୍ବିତୀୟ ଏବଂ ସରସ୍ଵତୀ ଶିଶୁ ମନ୍ଦିର ର ଅଷ୍ଟମ ଶ୍ରେଣୀର ଛାତ୍ରୀ ଆରାଧନା ନନ୍ଦ ତୃତୀୟ ସ୍ଥାନରେ ରହିଥିଲେ। ସର୍ବ ଶ୍ରୀ ଅବସରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟନାରାୟଣ ପୃଷ୍ଟି , ହାତିଓଟ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶୁଭକାନ୍ତ ସାହୁ ଏବଂ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅମିୟ ପ୍ରସାଦ ସାହୂ ବିଚାରକ ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ବକ୍ତୃତା ର ମୂଲ୍ୟାୟନ କରିଥିଲେ। ପ୍ରତିଯୋଗିତା ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଡଃ. ଜ୍ୟୋତିର୍ମୟ ପଟନାୟକ , ଅଧ୍ୟାପକ ପ୍ରଭାକର ପାଢ଼ୀ , ହରି ହର ପାତ୍ର ଓ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର , ସିଲ୍ଡ ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଚଳିତ ମାସ ୨୪ ତାରିଖ ଦିନ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ରୁପାଲି ସାହୁ ଯୋଗ୍ୟ ବିବେଚିତ ହୋଇଥିବା ରୁ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦୈନିକ ସମାଜ ର ପୋଲସରା ପ୍ରତିନିଧି ପ୍ରଗତି ବନ୍ଧୁ ଦାସ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା କରିଥିବା ବେଳେ ପପୁନୁ , ରାଜା ଓ ସାଧୁ ପରିଚାଳନା ରେ ସହଯୋଗ କରିଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା