ବିକାଶମେଳା ମଣ୍ଡପରେ ‘ଗଞ୍ଜାମ ଦଣ୍ଡନାଟ’ ଶୀର୍ଷକ ଏକଦିବସୀୟ କର୍ମଶାଳା ।

0 263

ବ୍ରହ୍ମପୁର,୧୪/୦୬(ପିପିଟି) : ଗଞ୍ଜାମ ଲୋକନାଟ୍ୟ ପରମ୍ପରାରେ ଦଣ୍ଡନାଟର ମୌଳିକତା ବହୁଜନ ବିଦିତ । ଓଡ଼ିଶାର ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ନୟାଗଡ, କନ୍ଧମାଳ ଆଦି ଜିଲ୍ଲାରେ ଦଣ୍ଡନାଟ ଦେଖିବାକୁ ମିଳୁଥିଲେ ମଧ୍ୟ ଗଞ୍ଜାମ ଦଣ୍ଡନାଟ ସ୍ୱତନ୍ତ୍ର ଏବଂ ସମୟ କ୍ରମେ ଏହି କୃଷିଭିତ୍ତିକ ଲୋକନାଟ୍ୟର ବାହ୍ୟିକ ରୂପ ରଚନାରେ କିଛି ପରିବର୍ତ୍ତନ ଘଟିଥିଲେ ମଧ୍ୟ ଅଳ୍ପ କେତେକ ସ୍ଥାନରେ ଦଣ୍ଡନାଟର ଆଧ୍ୟାତ୍ମିକ ମହତ୍ତ୍ୱ ଏ ଯାବତ୍ ଅକ୍ଷୁଣ୍ଣ ରହିଛି ବୋଲି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ‘ଗଞ୍ଜାମର ଦଣ୍ଡନାଟ’ ଶୀର୍ଷକ ଏକଦିବସୀୟ କର୍ମଶାଳାରେ ମତପ୍ରକାଶ ପାଇଛି ।

ଆଜି ପୂର୍ବାହ୍ଣରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କ୍ରୀଡ଼ାଙ୍ଗନ ପରିସରରେ ସପ୍ତାହ ବ୍ୟାପୀ ଆୟୋଜିତ ବିକାଶମେଳା ମଣ୍ଡପରେ ‘ଗଞ୍ଜାମର ଦଣ୍ଡନାଟ’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ପ୍ରବୀଣ ଗବେଷକ ଓ ସମାଲୋଚକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଦଣ୍ଡନାଟ ଗୁରୁ ଓ ସେମାନଙ୍କ ଦଳ ଅଂଶଗ୍ରହଣ କରିଥିଲେ । ଦଣ୍ଡନାଟର କେତେକ ମୁଖ୍ୟ ଅଂଶର ପ୍ରଦର୍ଶନ ପୂର୍ବକ ଏହି ଲୋକନାଟର ବିଭିନ୍ନ ବିନ୍ଦୁ ସଂପର୍କରେ ଚର୍ଚ୍ଚା କରାଯାଇଥିଲା । ପ୍ରଶ୍ନୋତ୍ତର ମାଧ୍ୟମରେ ଦଣ୍ଡନାଟର ଉତ୍ପତ୍ତି, ପାତ୍ରପାତ୍ରୀ, ବେଶ ପୋଷାକ, ଉପାସନା ଧାରା ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା ।

ଜିଲ୍ଲା ସଂସ୍କୃତି, ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଗଞ୍ଜାମ ଲୋକନାଟ୍ୟ ପ୍ରକଳ୍ପର ଆବାହକ ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ ପୌରୋହିତ୍ୟ କରିଥିଲେ । ଭୁବନେଶ୍ୱରରୁ ଆସିଥିବା ବିଶିଷ୍ଟ ଗବେଷକ ଓ ସାହିତ୍ୟ ସମାଲୋଚକ ଡ. ସୁବ୍ରତ କୁମାର ପୃଷ୍ଟି ବିଷୟ ବିଶାରଦ ରୂପେ ଯୋଗଦେଇଥିବା ବେଳେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ, ଗଞ୍ଜାମ ଇତିହାସର ଗବେଷକ ଡ. ଅନନ୍ତରାମ କର (କୌଣ୍ଡିନ୍ୟ), ଲୋକ ସଂସ୍କୃତି ଗବେଷକ ଡ. ବାୟାମନୁ ଚର୍ଚ୍ଚି, ସଂସ୍କୃତି ବିଭାଗର ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ ପ୍ରମୁଖ ଆଲୋଚକ ରୂପେ ଯୋଗ ଦେଇଥିଲେ । ଶିକ୍ଷାବିତ୍ ଓ ସମାଲୋଚକ ଡ. କୁଳମଣି ଓଝା ଏହି କର୍ମଶାଳାର ପ୍ରତିବେଦକ (ରାପୋର୍ଟିଅର୍) ରୂପେ ଦାୟିତ୍ୱ ନିର୍ବାହ କରିଥିଲେ ।

ଉକ୍ତ କର୍ମଶାଳାରେ ଦଣ୍ଡନାଟ ଗୁରୁ ବନମାଳୀ ବେହେରା, ଗୁରୁ ପ୍ରଫୁଲ୍ଲ ମହାପାତ୍ର, ଗୁରୁ ସୁବାସ ଚନ୍ଦ୍ର ଜେନା, ଗୁରୁ ସଇତ ବିଷୋୟୀ, ଗଞ୍ଜାମ ଜିଲ୍ଲା ଦଣ୍ଡନାଟ ସଂଘ ସଭାପତି ଶିବ ପ୍ରଧାନ, ସଂପାଦକ ଶରତ ଚନ୍ଦ୍ର ସାହୁ ଓ ଗାଲେରୀ ଦଣ୍ଡନାଟ ଅଧିକାରୀ ପ୍ରମୁଖ ନିଜ ନିଜ ନାଟଦଳ ସହିତ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ରାଜ୍ୟ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ମାର୍ଗଦର୍ଶନରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ଆସନ୍ତା ଜୁନ୍ ୧୬ ତାରିଖ ପୂର୍ବାହ୍ଣ ସାଢ଼େ ଦଶଟା ସମୟରେ ବିକାଶମେଳା ମଣ୍ଡପରେ ‘ଗଞ୍ଜାମର ରଜା ନାଟକ’ (ପ୍ରହ୍ଲାଦ ନାଟକ) ଶୀର୍ଷକ ପ୍ରସଙ୍ଗରେ ଏକ ବୌଦ୍ଧିକ କର୍ମଶାଳା ଅନୁଷ୍ଠିତ ହେବ ।

Leave A Reply

Your email address will not be published.