ମାଲକାନଗିରି, ୧୧/୦୬(ପିପିଟି) :ଚିତ୍ରକୋଣ୍ଡା ବ୍ଳକ ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ୧୫୧ ଗାଁର ଲୋକମାନେ ଏକତ୍ରିତ ହୋଇ ବୁଡ଼ି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଗଠନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ବିଡିଓ, ତହସିଲଦାର ଓ ମାଟିବନ୍ଧ ବିଭାଗ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ବାଲିମେଳା ଜଳଭଣ୍ଡାର ନିର୍ମାଣ ସମୟରେ ସେମାନଙ୍କ ଜମି ଏବଂ ଘର ଜଳାର୍ଣ୍ଣବ ହୋଇଯାଇଥିଲା। ସେହି ସମୟରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଥିଲା ବେଳେ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା । କିନ୍ତୁ ୬୦ ବର୍ଷ ବିତିଯାଇଥିଲେ ମଧ୍ୟ ବିସ୍ଥାପିତମାନଙ୍କୁ କୌଣସି କ୍ଷତିପୂରଣ ମିଳିଲା ନାହିଁ। ଅଦ୍ୟାବଧି ବିସ୍ଥାପିତମାନେ ସରକାରଙ୍କ
ର ବିଭିନ୍ନ ଜନହିତକର ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି। ଅନ୍ୟପଟେ ସରକାର ବିଦ୍ୟୁତ୍ ଉତ୍ପାଦନ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ନିଜ ଜମି ଏବଂ ଘର ଦେଇଥିବା ବିସ୍ଥାପିତଙ୍କ ଠାରୁ ବର୍ତ୍ତମାନ ଜୋରଜବରଦସ୍ତି ବିଦ୍ୟୁତ୍ ବିଲ୍ ଆଦାୟ କରାଯାଉଛି। ଅନ୍ୟପଟେ ଆନ୍ଧ୍ର ସରକାର ବିସ୍ଥାପିତ ପରିବାରଙ୍କୁ ମାଗଣାରେ ବିଦ୍ୟୁତ୍ ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ବୈମାତୃକ ମନୋଭାବକୁ ଆଉ ଅଧିକ ଦିନ ସହ୍ୟ କରିପାରିବେନି ବୋଲି ବୁଡ଼ି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ସଭାପତି ଭୀମସେନ ଖିଲ, ଉପସଭାପତି ମହାଦେବ ଶିଶା, ସମ୍ପାଦକ ଅନନ୍ତ ଶିଶା, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଖରା, ସମସ୍ତ ୧୩ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ପ୍ରକାଶ କରିଛନ୍ତି। ତୁରନ୍ତ ସରକାର ନିମ୍ନ ଲିଖିତ ଦାବି ଗୁଡ଼ିକୁ ପୂରଣ କରିବାକୁ ଅନୁରୋଧ କରିଛନ୍ତି । ଦାବି ଗୁଡ଼ିକ ହେଲା ବୁଡ଼ି ଅଞ୍ଚଳର ୧୫୧ ଗାଁର ବାସିନ୍ଦାଙ୍କୁ ମାଗଣାରେ ବିଜୁଳି ଯୋଗାଇଦେବା, ବୁଡ଼ି ଅଞ୍ଚଳର ବେକାର ଯୁବକଯୁବତୀଙ୍କୁ ଜିଲ୍ଲା ଭିତ୍ତିକ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ଦେବା, ପ୍ରତ୍ୟେକ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା,ବାଲିମେଳା ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଞ୍ଚଳରେ ଇଞ୍ଜିନିୟରିଂ କଲେଜ ସ୍ଥାପନ କରିବା, ଜଳଭଣ୍ଡାରକୁ ଲାଗିଥିବା ଜମିରେ ଜଳଭଣ୍ଡାର ଜଳର ସୀମା ନିର୍ଦ୍ଧାରଣ କରିବାକୁ ଦାବି କରାଯାଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)