ବାଘ ବୋଲି କେବେ ମଣିଷ କହୁଛି
ସାଧୁ ବୋଲି କେବେ କହୁନି…..
ମଦ ମାଂସ ଖାଇ ରାକ୍ଷସ କହୁଛି
ନିରାମିଷ କେବେ ଖାଉନି….!!
ଗର୍ବ ଅହଙ୍କାର ମେଞ୍ଚା ମେଞ୍ଚା ଧରି
କୁକର୍ମରେ ନିତ୍ଯ ମଜୁଛି….
ପରସ୍ବ ହରଣ ମହାମନ୍ତ୍ର ଧରି
ମନେ ମନେ ଖାଲି ଜପୁଛି….!!
ହାତେ ହତିଆର ଧାରଣ କରିଣ
ଆତଙ୍କ ଖେଳାଇ ଦେଉଛି….
ଆଇନ୍ କାନୁନ୍ ଖାତିରି ନକରି
ରକ୍ତରେ ହୋଲି ଖେଳୁଛି…!!
କିଏ କହେ ଗୁଣ୍ଡା ବଦମାସ୍ ତାକୁ
ନେତାଙ୍କର ପୋଷା କୁକୁର…
ବିଦ୍ଯା ବୁଦ୍ଧି ନାହିଁ ଗଜ ମୁର୍ଖ କାହିଁ
ଜନ୍ମ ତା’ର ଶତ ଧିକ୍କାର….!!
ଲାଜ ନାହିଁ ଜମା ନିର୍ଲଜ ପଣରେ
ଟାଣ ଟାଣ କଥା କହୁଛି…
ନିଶକୁ ମୋଡିଣ ଛାତିକୁ ପିଟିଣ
କିଳିକିଳା ନାଦ ଛାଡୁଛି….!!
ଗୁଣ୍ଡା ଗୁଣ୍ଡା ମଧ୍ୟେ ହେଲେ ଖଣ୍ଡା ଯୁଦ୍ଧ
ମୁଣ୍ଡ ଗଣ୍ଡି ତଳେ ପଡୁଛି…
ବାଘ ମଣିଷଟା ଛେଳି ପରି ବଳି
ପଡି ବଂଶ ଲୋପ ହେଉଛି….!!
ଗୁଣ୍ଡାର ଆତଙ୍କ ଅଳପ ଦିନିଆ
ଅଳ୍ପାୟୁ କପାଳେ ଲେଖା ତା’ର…
ଦୁଷ୍ଟକୁ ସଂହାର କରିବାକୁ ମର୍ତ୍ତ୍ୟେ
ଜାତ ହୋଇଥାଏ କେଉଁ ନର….!!
ସତ୍ୟ ଧର୍ମ ପଥେ କର ଅଗ୍ରସର
ନଥିବ ଚିତରେ ମନ୍ଦ ଭାବ….
ସଭିଏଁ ଆଦର କରିବେ ସମାଜେ
ମଷିଣକୁ ଭାବି ଦେବ ଦେବ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)