ବ୍ରହ୍ମପୁର,୦୪/୦୬(ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକରେ ମନରେଗା କାର୍ଯ୍ଯରେ ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲସରା ବ୍ଲକରେ ଟ୍ରେଞ୍ଚ୍ ଖୋଳା କାର୍ଯ୍ଯରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଉଠିବା ପରେ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସୂଚନା ତଥ୍ଯରେ ପୋଲସରା ବ୍ଳକ କୁ ଆରଟିଆଇ ରେ ତଥ୍ଯ ମାଗିଥିଲେ ମଧ୍ଯ ତଥ୍ଯ ପ୍ରଦାନ ନକରାଯିବାରୁ ଓଡ଼ିଶା ସୂଚନା ଆୟୋଗଙ୍କ ଠାରେ ଅପିଲ୍ କରିଛନ୍ତି। ଟ୍ରେଞ୍ଚ୍ ଖୋଳା ନାମରେ ଢୁଙ୍କାପଡା ପଞ୍ଚାୟତରେ ୧୬ ଲକ୍ଷ ଟଙ୍କା ହଡପ ହୋଇଥିବା ନେଇ ଆଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଧର୍ମକୁ ଆଖିଠାର ଭଳି କମିଟି ପଠାଇ ତଦନ୍ତ କଲେ । ପୋଲସରା ବ୍ଲକରେ ସୁଚିନ୍ତିତ ଭାବେ ଟ୍ରେଞ୍ଚ୍ ଖୋଳା ନାମରେ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରାଯାଇଛି । ଶ୍ରୀ ମହାନ୍ତି ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନ୍ସ ଏସପି, ବ୍ରହ୍ମପୁର, ମୁଖ୍ୟମନ୍ତ୍ରୀ,ଓଡିଶା, ପଞ୍ଚାୟତ ରାଜ ମନ୍ତ୍ରୀ,ମୁଖ୍ଯ ଶାସନ ସଚିବ, ପଞ୍ଚାୟତିରାଜ ସଚିବ,ଭିଜିଲାନ୍ସ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ଯେ ଏଷ୍ଟିମେଟ ଅନୁଯାଇ କାର୍ଯ୍ଯ ହୋଇଛିକି ନାହିଁ ତଦନ୍ତ ବେଳେ ଏମବି ଓ ବିଲ୍ ଫର୍ମ ଗୁଡିକର ଯାଞ୍ଚ କରିବା ଆବଶ୍ୟକତା ରହିଛି । ଭିଜିଲାନ୍ସ ତଦନ୍ତରେ ଅବହେଳା କଲେ ଆବଶ୍ୟକ ପଡିଲେ ଉଚ୍ଚ ନ୍ୟାୟାଳୟ କିମ୍ବା ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାୟର କରିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଦୁର୍ନୀତିରେ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ବିରୁଦ୍ଧରେ ଆଇନଗତ ଓ ବିଭାଗୀୟ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରାଯାଇଛି।