କେତେ ଖଟିବ
ଏ ରକ୍ତ ମାଂସ ଦେହକୁ ନେଇ
ପ୍ରତି ମୁହୂର୍ତ୍ତରେ ଥକାପଣ
ସୂର୍ଯ୍ୟର ପ୍ରଚଣ୍ଡ ପ୍ରକୋପରେ
ଟାଣ ଖରା ସିଝାଇ ଦେଉଛି ମାଂସ
ପୋଡି ଦେଉଛି ଚର୍ମ ଆବରଣ….
ତଥାପି ମେଣ୍ଟାଇ ପାରୁନି
ଭୋକ ଆଉ ଅଭାବ…..!!
ଏଇ ଭଙ୍ଗା କୁଡିଆରେ ପଡି
କେଉଁ ସ୍ବପ୍ନ ଦେଖିବ ଯେ
ଝଡ ଆଉ ବର୍ଷାରେ
ଚାଳ ଛପର ରୁ ନିଗିଡ଼ି ଯାଉଛି
ଅଭାବି ମଣିଷର ଦୁର୍ଦ୍ଦଶା
ଯେମିତି ଦାରିଦ୍ର୍ୟ ସହ
ତମାମ ଜୀବନ ସଂଘର୍ଷ କରୁ କରୁ
ହାରିଯିବାର ଗ୍ନାନିରେ ମ୍ରିୟମାଣ…..!!
ଆକାଶଟା ଏତେ ଉଚ୍ଚା
ପୁଣି ଅନନ୍ତ – ଅସୀମ ପରି
ଅଭାବ କେଉଁ ଗୁଣରେ କମ୍….
ତୁମେ ଯଦି ଦେଖିବ ଦେଖ
ଯେଉଁମାନେ ମୁଣ୍ଡରେ ତୁଣ୍ଡ ଝାଳ ମାରି
ଡହ ଡହ ଖରାରେ
ମାଟି ପଥର ମୁଣ୍ଡରେ ମୁଣ୍ଡେଇ
ଏଇ ରାସ୍ତା,ଏଇ ପୋଲ
ନିର୍ମାଣ କରୁଛନ୍ତି
ସେମାନେ ହାରିଯାଇଛନ୍ତି
ଭୋକର ଜ୍ୱାଳାରେ ସବୁ ଦିନ…..!!
ଶ୍ରାବଣର ଘନ ଘୋର ବର୍ଷାରେ
ବଜ୍ର ବିଜୁଳିର ନିନାଦରେ
ଯିଏ ଭିଜି ଭିଜି
ଭିଜା ମାଟିକୁ ଲଙ୍ଗଳ ମୁନରେ ଚିରି
ଫଳାଉଛି ଶସ୍ୟ ଶ୍ଯାମଳା ଫସଲ
ସେହି କୃଷକଟିର
ଛାତିରେ ଦୁଇ ଖଣ୍ଡ ହାଡ଼ରେ
ଫୁଟି ଉଠୁଛି: ହାରି ଯିବାର
ସାୟାହ୍ନର କ୍ଳାନ୍ତ ଅବସାଦ…..!!
ଏଡେ ବଡ ପୃଥିବୀରେ
ମୁଣ୍ଡ ଗୁଞ୍ଜିବାକୁ ଯାହାର
ଚାଖଣ୍ଡେ ଜମି ନାହିଁ…
ଯିଏ ରାତିରେ ନିଦ୍ରା ଯାଉଛି
ବସ୍ ଷ୍ଟାଣ୍ଡ ଅବା ରେଲ ଷ୍ଟେସନରେ
ଏଇ ଛଳନା ପୂର୍ଣ୍ଣ ଗଣତନ୍ତ୍ର
ଆଉ ଆମ ନିର୍ଲଜ ନେତାମାନଙ୍କୁ
ଶତଧିକ୍: ଯିଏ ପ୍ରଗତିର ତାଲିକା
ପଢି ଭାଷଣ ଦିଅନ୍ତି:-
ଗଣତନ୍ତ୍ର ଦିବସରେ
ଆବା ସ୍ବାଧୀନତା ଦିବସରେ…!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)