ସଂଧ୍ୟା ଉପଗତ
ସେମିତି ନିଶ୍ଚଳରେ ଠିଆ ହୋଇଛି
ମଲାଳିଆ ବୁଢ଼ା ଥୁଣ୍ଟା ବୃକ୍ଷ
ନାହିଁ ପକ୍ଷୀ କଳରବ
ଏକା ଏକା ନିର୍ଜନତା ଏଠି
ସ୍ଵାର୍ଥ ପର ସବୁ
ବିନା ସ୍ବାର୍ଥରେ ଆପଣର ପର….!!
ଏହି ବୃକ୍ଷକୁ କିଏ ରୋପିଥିଲା
ବନ ମହୋତ୍ସବେ
ଜନ କୋଳାହଳେ
କେତେ କେତେ ବୃକ୍ଷର
ଗୁଣ ଗାଇ….
କିଏ ଟୋପେ ଟୋପେ ପାଣି ସିଞ୍ଚି
ନେଇଥିଲା ଯତ୍ନ….!!
ଗାଈ ଗୋରୁ କବଳରୁ
ସୁରକ୍ଷା ପାଇଁ
କିଏ ଘେରିଥିଲା ବାଡ
ଛୋଟରୁ ବଡ ହେଲା ପରେ
ଫୁଲ ଫଳରେ
ଆକର୍ଷିତ ହେଲେ ସବୁ ପକ୍ଷୀ
ଆଉ ପ୍ରାଣୀ….!!
କିଏ ଗଢିଦେଲା ଚାନ୍ଦିନୀ
ଗଛ ତଳେ ବସି
ନେବ ବୋଲି ଶୀତଳ ଛାୟାର ମଜା
କିଏ ଖାଇଗଲା ଫଳ
ସ୍ବାଦ ଓ ପେଟ ଭରିବାକୁ
କିଏ ଫୁଲେ ଫୁଲେ ବସି
ମହୁ ଶୋଷିନେଲା
ପ୍ରଜାପତି ହୋଇ….!!
ବୃକ୍ଷ ଡାଳରେ ବସି
ନାନା ପକ୍ଷୀ କଲେ ଆପଣାର
ସବୁଜ ଶାଖାକୁ
ଗାଇଗଲେ ଗୀତ କେତେ
ପ୍ରେମର ଆବେଗେ….
ବସାବାନ୍ଧି କିଏ ଅଣ୍ଡା ପାରି
ନୀଡ଼କୁ ଫେରୁଥିଲେ
ପ୍ରତିଟି ସଂଧ୍ୟାରେ….!!
ଗହଳ ପତ୍ର ଉହାଡରେ
ଶାବକ ପକ୍ଷୀ ଭୋକିଲା ଥଣ୍ଡରେ
ମା ପକ୍ଷୀ ଦେଉଥିଲା ଆହାର
କିଛି କଅଁଳ ପତ୍ରକୁ ଖାଉଥିବା
କୀଟକୁ ଚଞ୍ଚୁରୀରେ ସାଉଁଟି….
ଏ ଡାଳରେ ସେମିତି କେତେ କେତେ
ପକ୍ଷୀ ବସା
ଧରିଥିଲା ସମସ୍ତ ଶାବକ
ଡେଣାରେ ପର ଲାଗିବା ପର୍ଯ୍ୟନ୍ତ….!!
ପବନ କେତେ ମୋଡ଼ ମକଚି
ଛିଣ୍ଡାଇଛି ବୃକ୍ଷର
ଜୀବନ ତମାମ କେତେ ଶାଖା ପ୍ରଶାଖା
କିଏ କେତେ କାଠୁରୀଆ ଟାଙ୍ଗିଆ ଚୋଟରେ
ଛେଦି ନେଇଛି
ମନ ପସନ୍ଦର ଖୁଣ୍ଟ ଖମ୍ବ
ତଥାପି ପ୍ରତିବାଦ ନଥିଲା ବୃକ୍ଷର….!!
ଆଜି ମୃତ୍ୟୁ ହେଲା ବୃକ୍ଷର
ଦେଉଥିଲା କେତେ ଅମ୍ଳଜାନ
କେତେ ଛାଇ ଗ୍ରୀଷ୍ମ ଦିନେ
ପଥ କ୍ଳାନ୍ତ ପଥିକକୁ…..
ଆଜି ନାହିଁ କିଛି ତା ପାଖରେ
ଥୁଣ୍ଟା ଗଛଟିଏ
ଭାରି ଅଦରକାରୀ
ହେଲେ ସ୍ମୃତି ତା ଅତୀତ
ପ୍ରସ୍ଫୁଟିତ କରୁଛି କବି
ଗାଇ ତା’ର ଅତିତ ଗୌରବ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)