କୌଣସି ସରକାରୀ କାର୍ଯ୍ୟାଳୟ ହେଉ କି ଘରୋଇ ଅନୁଷ୍ଠାନ ହେଉ ସେଠାରେ ତେଲମରା ବ୍ଯକ୍ତି ବିଶେଷଙ୍କର ଉପସ୍ଥିତି ଅନୁଭବ କରିବେ। ବଡବଡୁଆଙ୍କୁ ହାତ ମୁଠାରେ ରଖିବା ପାଇଁଁ
ଏହି ଗୋଷ୍ଠୀର ଉତ୍ପତ୍ତି।ତେଲୁଆ ନଥିଲେ କାମଟା ସୁରୁଖୁରୁରେ
ହେବ ନାହିଁ। ସବୁ ସରକାରୀ କାର୍ଯ୍ୟାଳୟରେ ଅଫିସରଙ୍କୁ ମିଠା ମିଠା କଥା କହି ତେଲ ମାରନ୍ତି। ସେ ଅଧିକାରୀ ଜଣଙ୍କ ମଦ୍ଯପ,ଲମ୍ପଟ ବା ଦୁର୍ନୀତି ଗ୍ରସ୍ଥ ହେଲେ ହୁଅନ୍ତି ପଛେ,ତେଲୁଆମାନେ ତାଙ୍କୁ ଅତି ଭଦ୍ର ନମ୍ର ଗୁଣବାନ ଲୋକ ବୋଲି ସର୍ବତ୍ର ଡେଙ୍ଗୁରା ପିଟନ୍ତି। କେବଳ ଯେ ସରକାରୀ କଳରେ ନୁହେଁ, ନେତା, ମନ୍ତ୍ରୀଙ୍କ ପାଖ ଲୋକ ହେବା ପାଇଁ
ତେଲମରା ଗୋଷ୍ଠୀଙ୍କ ଲମ୍ବା ଧାଡା । କିଏ କେତେ ତେଲ ମାରି
ନେତାଙ୍କ ପାଖ ଲୋକ ହେବ। ନେତାମାନେ ମଧ୍ୟ ମିଛ ପ୍ରଶଂସା ଶୁଣି ଛାତି କୁଣ୍ଢେମୋଟ କରନ୍ତି। ଆଜି କାଲିକା ଭାଷାରେ ଫ୍ୟାନ ବୋଲି କହିଲେଣି। ନେତା ପାଖରେ ଯେତେ ମନ୍ଦ ଗୁଣ ଥାଉନା କାହିଁକି ଅନ୍ଯ କୌଣସି ବିରୋଧି ଦଳ ସମାଲୋଚନା କଲେ ,ଫ୍ୟାନ ମାନଙ୍କୁ ଭୀଷଣ ପୋଡେ। ବେଳେ ବେଳେ ପାନ ଦୋକାନ ବା ଚାହା ଖଟିରେ ସବୁ ଚର୍ଚ୍ଚା ହୁଏ । ଘାସ କଟା ଠାରୁ ଚଣ୍ଡୀ ପୁରାଣ ପର୍ଯ୍ୟନ୍ତ ଏଠାରେ ଆଲୋଚନା ସମାଲୋଚନା ହୁଏ। ଯଦି କୌଣସି ନେତା ମନ୍ତ୍ରୀ ବା କୌଣସି ଦଳକୁ ସମର୍ଥକ ସେଠାରେ ଉପସ୍ଥିତ ଥାଏ, ସମାଲୋଚନା ହେଲେ ତାକୁ ବାଧେ। ଆଜି କାଲି ତାଙ୍କୁ ଅନ୍ଧ ଭକ୍ତ ବୋଲି ସମ୍ବୋଧନ କରାଯାଏ। ଆମକୁ ସମ୍ବିଧାନ ବାକ୍ ସ୍ବାଧିନତା ପ୍ରଦାନ କରିଛି ବୋଲି ନିଜର ଅଭିବ୍ୟକ୍ତି କୁ ପ୍ରକାଶ କରି ପାରୁଛୁ। ଭାରତ ସ୍ବାଧୀନ ନ ହେବା ପୂର୍ବରୁ ଏସବୁ ବାକ୍ ସ୍ବାଧିନତା ନଥିଲା।
ପ୍ରତ୍ୟେକ ଧର୍ମ ବା ସଂସ୍କୃତି ଆମକୁ ସତ୍ ମାର୍ଗରେ ଯିବା ପାଇଁ
ନୀତି ଶିକ୍ଷା ପ୍ରଦାନ କରିଥାଏ । ମାତ୍ର ନିଜର ସ୍ବାର୍ଥ ପାଇଁ ଏ ସବୁକୁ ଜଳାଞ୍ଜଳି ଦେଇ କୁ ପଥଗାମୀ ହେଉ।ଆମ ପୂର୍ବଜମାନେ
ଯେତେ ଅଗ୍ନି ପରୀକ୍ଷା ହେଉ ନା କାହିଁକି,ଯାହା ଠିକ୍ ତାକୁ ଠିକ୍ ଆଉ ଯାଏ ଭୁଲ୍ ତାକୁ; ଭୁଲ୍ ବୋଲି ନିର୍ଦ୍ବନ୍ଦ୍ବରେ ମତବ୍ୟକ୍ତ କରୁଥିଲେ। ମାତ୍ର ବର୍ତ୍ତମାନ ନିଜର ସ୍ବାର୍ଥ ଚରିତାର୍ଥ ପାଇଁ ତିନି
ତୁଣ୍ଡରେ ଛଳି କୁକୁର ପରି ଆମେ ଶଠତାକୁ ଶ୍ରେଷ୍ଠ ବୋଲି ବିବେଚନା କରୁ । ଆମେ ଅର୍ଥ ସ୍ବାର୍ଥ କୁ ପାଥେୟ କରି ନିଜ ବୁଦ୍ଧି ବିବେକକୁ ବନ୍ଧା ପକାଉ ।
ଅଖ୍ୟାତ ପଲ୍ଲୀ ଜଣେ ଅପାଠୁଆ ଦଲାଲ କିଛି ଦାଦନକୁ ସହରକୁ ଚାଲାଣ କରି କରି ହାତରେ ଦୁଇ ପଇସା ହୋଇ ଗଲା।ପରେ କୋଠା ବାଡି ନିର୍ମାଣ ଲାଗି ଠିକାଦାରୀ କଲା ।। କିଛି ବର୍ଷ ପରେ କୋଟି କୋଟି ଅର୍ଥ ରୋଜଗାର କଲା ପରେ
ସେହି ଲୋକଟି ଅର୍ଥ ବଳରେ ବହୁତ ଲୋକ ତାର ଫ୍ୟାନ ହୋଇ
ଗଲେ। ସେହି ଅପାଠୁଆ ଲୋକଟି କିଛି ଟଙ୍କା ବଳରେ ବିଧାୟକ, ସାଂସଦଙ୍କୁ ମଧ୍ୟ ପକେଟ୍ ପକାଇ ବୁଲୁଛି। ସେ ଲୋକଟି ନିର୍ବାଚନ ବେଳେ ମୋଟା ଅଙ୍କର ଚାନ୍ଦା ବି ଦେଇଛି। ନେତାମାନେ ଏବେ ତା’ର ଫ୍ୟାନ୍ । କେତେ କୁଜି ବ୍ୟବସାୟୀମାନେ ମଧ୍ୟ ତା ଠାରୁ ଋଣ ନେଇ ବ୍ୟବସାୟ କରନ୍ତି। ଦିନେ ସେ ଲୋକର ଜନ୍ମ ଦିନ ପାଳନ ହେଲା। ନିର୍ଦ୍ଧିଷ୍ଟ ଦଳର ଲୋକମାନଙ୍କୁ ଜନ୍ମ ଦିନ ପାଇଁ ନିମନ୍ତ୍ରଣ କରିଥିଲା ।ସେ ଲୋକର ଜନ୍ମ ଦିନରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତା ଠାରୁ କର୍ମୀମାନେ ଅଣନିଃଶ୍ବାସୀ ହୋଇ ଧାଇଁଲେ। ମଞ୍ଚରେ ଠିକାଦାର ବାବୁଙ୍କ ପ୍ରଶଂସା କରିବା ପାଇଁ କିଛି ନେତା ଓ କର୍ମୀମାନଙ୍କୁ ମଞ୍ଚାସୀନ କରାଗଲା। ତାଙ୍କ କାନ୍ଧରେ ଗୋଟିଏ ଗୋଟିଏ ପଚାଶ ଟଙ୍କିଆ କାମୁଛା ପକା ଗଲା। ପରେ ମଞ୍ଚାସୀନ ଭଦ୍ର ମୁଖା ନେତା ଓ କୁଜି ନେତାମାନେ ସେହି ଦାଦନ ଦଲାଲକୁ ଏତେ ତେଲମାରି ଭାଷଣ ଦେଲେ ଯେ ଥରେ ମଧ୍ୟ ତାଙ୍କ ଜନ୍ମ କଲା ବାପ ମା’ଙ୍କୁ ଟିକେ ମଧ୍ୟ ପ୍ରଶଂସା କରି ନଥିବେ । ଏମିତି ତେଲ ମରା ଭାଷଣ ମୁଁ ମୋ ଜୀବନରେ ଶୁଣି ନାହିଁ। ଏହାର କାରଣ ମୁଁ ବୁଝିବାକୁ ଚେଷ୍ଟା କଲି। ଲୋକେ କହିଲେ: ସେ ଗୋଟେ ଗଜ ମୁର୍ଖ। ଦାଦନ ଦଲାଲୀ କରି କିଛି ଅର୍ଥ ପାଇଲା ପରେ ଏବେ ନିଜକୁ କମ୍ପାନୀର ମାଲିକ କହୁଛି। ତେବେ ଯେଉଁ ମାଟିରେ ସେ ଜନ୍ମ ହୋଇଛି,ସେ ମାଟି ପାଇଁ ତା’ର କୌଣସି ଅବଦାନ ନାହିଁ। କୌଣସି ଦୁଃଖୀ ଦରିଦ୍ର ଲୋକମାନଙ୍କ ସେବା ପାଇଁ କିଛି ଦାନ ଧର୍ମ ନାହିଁ। କିମ୍ବା କୌଣସି ଜଳ କ୍ଲୀଷ୍ଟ ଗ୍ରାମକୁ ମାଗଣା ପରେ ନଳକୂପଟିଏ ମଧ୍ୟ ଖନନ କରି ନାହିଁ।କିମ୍ବା କୌଣସି ଅସହାୟ ରୋଗୀର ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ଦେଇ ନାହିଁ। କିନ୍ତୁ ମିଛରେ କିଛି ତେଲ ମରା ଗୋଷ୍ଠୀ ସମାଜସେବୀ ଆଉ ଦାନବୀର କର୍ଣ୍ଣ ବୋଲି ନିଜର ନିର୍ଲଜ ତୁଣ୍ଡ ରେ ପ୍ରଚାର କରୁଛନ୍ତି।
ଏମିତି ଜନ୍ମ ଦିନ ପାଳନ ଦଳର କୌଣସି ବ୍ଯକ୍ତି କରି ଥିବା ନଜର କୁ ଆସିନାହାଁନ୍ତି। ଯଦି କିଏ କରିଥିବ ବହୁ ହାତ ଗଣତି ଦଳୀୟ କର୍ମୀମାନେ ଯୋଗ ଦେଇଥିବେ। ଅନ୍ଯ କାହାର ବିବାହ ଉତ୍ସବରେ ମଧ୍ୟ ଦଳୀୟ ନେତା ଓ କର୍ମୀମାନେ ଯୋଗ ଦେବା
ଦୃଷ୍ଟାନ୍ତ ନାହିଁ। ଲୋକମାନଙ୍କ ମାନସିକ ସ୍ଥିତି କ’ଣ ଏଥୁରୁ ଅନୁମେୟ। ଗୋଟିଏ ବିସ୍କୁଟ ମିଡିଆ ୟୁଟ୍ୟୁବରେ ଯେପରି ଗୁଣ ଗାନ କରିଛି,ଯେ ବି ଶୁଣିବ ଲଜ୍ଜିତ ହେବ। ଯଦି ବାସ୍ତବରେ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ରହିଥାନ୍ତେ, ପ୍ରଥମେ ପ୍ରଶ୍ନ କରିଥାନ୍ତେ ଯେ ତୁମର ଜନ୍ମ ଦିନ ପାଳନରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳୀୟର ଚିହ୍ନ ଓ ରାଷ୍ଟ୍ରୀୟ ନେତାମାନଙ୍କ ଫଟୋ ସହ ମଞ୍ଚରେ ବ୍ଯାନର ଲଗା ଗଲା କାହିଁକି ? ଯାହାର ଜନ୍ମ ଦିନ ପାଳନ କରାଗଲା,ସେ କ’ଣ ସିଲେବ୍ରେଟି କି ? ସେ କ’ଣ ଦଳର
କୌଣସି ପଦ ପଦବୀରେ ଅଛି କି ? ସେ ଜଣେ ସମର୍ଥକ ଏବଂ ଦାଦନ ଦଲାଲ । ତାକୁ ଏକ ରାଷ୍ଟ୍ରୀୟ ଦଳ ନିଜର ପାର୍ଟିବ୍ଯାନର ବ୍ଯବହାର କରି ଜନ୍ମ ଦିନ ପାଳନ କରିବାଟା, କାହାର କେବେ ଦୃଷ୍ଟିଗୋଚର ହୋଇ ନଥିବ। ଅନ୍ୟ ପକ୍ଷେରେ ପାର୍ଟି ବ୍ୟାନର ଥାଇ କିଛି ସରକାରୀ କର୍ମଚାରୀ ସେହି ଜନ୍ମ ଦିନରେ ପୁଷ୍ପ ଗୁଛ ଦେବାର ନିୟମ ଅଛି କି ? ଏମିତି ଅନେକ ପ୍ରଶ୍ନ ଗଣ ମାଧ୍ୟମ ପ୍ରତିନିଧି କରିବା କଥା। କିନ୍ତୁ ସେ ଦିନ ଭୋଜି ଖାଇ ବୋଧେ ଗୁଣଗାନ କରିବା ପାଇଁ ବିସ୍କୁଟ ମିଡିଆର ଆଭିମୁଖ୍ୟ ଥିଲା। ଯେଉଁମାନେ ଏହି ଖବରକୁ ୟୁଟ୍ୟୁବରେ ପ୍ରଚାର କରୁଛନ୍ତି, ସେମାନେ ମଧ୍ୟ କିଛି ହାତଗୁଞ୍ଜା ନିଶ୍ଚେ ପାଇଥିବେ। ଆଜି କାଲି
କିଛି ବିସ୍କୁଟ ଖିଆ ମିଡ଼ିଆମାନେ ଚୋରକୁ ସାଧୁ ଆଉ ସାଧୁଙ୍କୁ ଚୋର କହିବାରେ ପଶ୍ଚାତପଦ ହୁଅନ୍ତି ନାହିଁ। ଏଥି ପାଇଁ ତ ଅତୀତରେ ଗଣମାଧ୍ୟମକୁ ଯେତେ ବିଶ୍ବାସ ଓ ଭରସା କରାଯାଉଥିଲା, ଆଜି କାଲି ଗଣ ମାଧ୍ୟମ ଉପରେ ଆସ୍ଥା ଓ ବିଶ୍ବାସ ଲୋକଙ୍କ ମନରୁ ଉଭେଇ ଗଲାଣି।
ତେଣୁ ବେଶ୍ଯା ଯେପରି ଅର୍ଥ ଲୋଭରେ କୃତ୍ରିମ ପ୍ରେମ କରେ, ନାଟକୀୟ ରଙ୍ଗରେ ଗ୍ରାହାକୁ ସନ୍ତୁଷ୍ଟ କରେ, ସେଥିରେ ବାସ୍ତବତା ନଥାଏ। ସେହି ଭଲ ପାଇବାରେ ପବିତ୍ରତା ନଥାଏ କି ମାୟା ମମତା ନଥାଏ। ଯଦି ଗ୍ରାହକଟି କୌଣସି ସମୟରେ ଅସୁବିଧାରେ ପଡି ବୈଶ୍ଯାର ସହାୟତା ମାଗିବ, ସେ ଜାଣି ମଧ୍ୟ
ଅଜଣା ଭଳି କହିବ:- ତୁ କିଏ? ମୁଁ ତୋତେ ଜାଣି ନି କି ଚିହ୍ନି ନି !! ସେମାନେ ତେଲ ମରା ଲୋକଙ୍କ ମାନସିକ ଅବସ୍ଥା ସେୟା । କ୍ଷମତା ସଂପନ୍ନ ବ୍ଯକ୍ତି ଠାରୁ ପାଇବା ଲୋଭରେ ଅଯଥାରେ
ଢେଙ୍କିକୁ କୁମ୍ଭୀର କହିବା ଏବଂ କାଉକୁ ବଗ କହିବା ବଡ ବିଚିତ୍ର । ଏଣୁ ସମାଜର ସ୍ଥିତି କିପରି ଏଣ୍ଡୁଅ ପରି ରଙ୍ଗ ବଦଳୁଛି, ସମୀକ୍ଷା କରିବାର ବେଳ ଆସିଛି।
(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)