ଯାଜପୁର,୨୩/୦୪(ପିପିଟି): ଆଜି ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ନଳିନୀ ପ୍ରଭା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯାଜପୁର ସାଂସଦ ଡା. ରବିନ୍ଦ୍ର ନାରାୟଣ ବେହେରା,ରାଜ୍ୟସଭା ସାଂସଦ ସୁଲତା ଦେଓ, ବଡଚଣା ବିଧାୟକ ଅମର କୁମାର ନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପ-ସଭାପତି ଗଣେଶ୍ଵର ବରାଳ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ଉନ୍ନତି କଳ୍ପେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ବୈଠକରେ ପୂର୍ବ ବୈଠକର ବିବରଣୀକୁ ଦୃଢୀକରଣ କରଯାଇଥିଲା । ବିଧାୟକ ବଡ଼ଚଣା ଅମର କୁମାର ନାୟକ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି,ଶୈକ୍ଷିକ ପରିବେଶ,ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଅତ୍ୟାଧୁନିକ ଶ୍ରେଣୀ ଗୃହ ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ।
ପିଏମ୍ ଶ୍ରୀ ଯୋଜନାରେ ପୂର୍ବରୁ ୫ ଟି ବିଦ୍ୟାଳୟ ଅନ୍ତର୍ଭୁକ୍ତ ଥିବା ବେଳେ ଚଳିତ ବର୍ଷ ୯୨ ଟି ବିଦ୍ୟାଳୟ ପି ଏମ ଶ୍ରୀ ଯୋଜନା ଅନ୍ତର୍ଭୁକ୍ତ ହୋଇଥିବାର ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ । ଅତ୍ୟାଧୁନିକ ବିଦ୍ୟାଳୟ ଭିତ୍ତିଭୂମି ପାଇଁ ଯାହା ଆବଶ୍ୟକ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଭୀମଭୋଇ ସାମର୍ଥ୍ୟ ଶିବିର ରେ ସମସ୍ତ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯିବ ଏବଂ ଭୀମଭୋଇ ସାମର୍ଥ୍ୟ ଶିବିର ବର୍ଷକୁ ଦୁଇ ଥର ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଶିଶୁ ବାଟିକା ଯୋଜନା ୨୦୨୫-୨୬ ଅନୁଯାୟୀ ଚଳିତ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଚଳିତ ବର୍ଷ ପିଲାମାନେ ଶିଶୁ ବାଟିକା ଶ୍ରେଣୀରେ ନାମ ଲେଖାଉଛନ୍ତି । ଯେଉଁ ପିଲାମାନଙ୍କର ବୟସ ୧ ସେପ୍ଟେମ୍ବର ୨୦୨୪ ସୁଦ୍ଧା ୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ୬ ବର୍ଷରୁ କମ ଥିବ ସେହି ପିଲାମାନେ ଶିଶୁ ବାଟିକା ଶ୍ରେଣୀରେ ନାମ ଲେଖାଉଛନ୍ତି । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଜିଲ୍ଲାରେ ୪୫୯ ଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୫୧୦୮୧ ଜଣ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଅଛି। ଏହି ସାଧାରଣ ବୈଠକ ରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜନନୀ ସୁରକ୍ଷା ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ, ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ,ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର, ଅନ୍ଧତ୍ବ ଦୂରୀକରଣ, ଇତ୍ୟାଦି ଯୋଜନା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏ ସମର୍କରେ ଜିଲ୍ଲା ସ୍ତରରେ ଜନପ୍ରତିନିଧିଙ୍କୁ ନେଇ ଏକ ସମୀକ୍ଷା ବୈଠକ କରାଯିବ।ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଜନ ପ୍ରତିନିଧିମାନଙ୍କୁ ସାମିଲ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଓ ବ୍ଲକ ହେଡକ୍ଵାର୍ଟରରେ ଡାକ୍ତର ମାନେ ରହି ଜରୁରୀକାଳୀନ ରୋଗୀ ଚିକିତ୍ସା କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୁଷ୍ଠ ନିରାକରଣ,ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ,ସାଧାରଣ ଯୋଗାଣ ବ୍ୟବସ୍ଥା, ରାସନ କାର୍ଡ,ପାନୀୟ ଜଳଯୋଗାଣ ଓ ପରିମଳ,ରାସ୍ତା କୋଠାବାଡ଼ି ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ମନ୍ତ୍ରୀ ଓ ବିଧାୟକଙ୍କ ପ୍ରତିନିଧି,ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ,ଅଧ୍ୟକ୍ଷା, ଗଣମାଧ୍ୟମ ପ୍ରତିନିଧି,ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।