ମାଲକାନଗିରି,୦୧/୦୩(ପିପିଟି):ମାଲକାନଗିରି ଜିଲ୍ଲାରେ ଚଳିତ ମାସରେ ପବିତ୍ର ବଡଯାତ୍ରା-୨୦୨୫ ଗଣ ପର୍ବ ପାଳିତ ହେବାକୁ ଯାଉଥିବା ବେଳେ ଆଜି ସଦରମହକୁମା ସ୍ଥିତ କନ୍ଯାମାଝି ବନ୍ଧ ପୀଠକୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡା, ବରିଷ୍ଠ ବିଜେପି ନେତା କେଶବ ଚନ୍ଦ୍ର ନାୟକ, ଇ.ଭେଙ୍କଟ ରାଓ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ବିଧାୟକ ପ୍ରତିନିଧି ବିଜୟ କୁମାର ମହାରଣା, ହିମାଂଶୁ ସାମଲ,ରତନ ବଣିକ,ଜିଲ୍ଲା ପାଳ ଈଶ୍ୱର ଆଶିଷ ପାଟିଲ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ,ପାଏ ଆଟିଡିଏ ହଳଧର ଶବର ବଡଯାତ୍ରା କମିଟିର ପ୍ରଫୁଲ୍ଲ ପଣ୍ଡା, ଗଣେଶ ମଣ୍ଡଳ,ବାଲା ପଣ୍ଡା,ପି,କେଶୁ ପ୍ରମୁଖ ଯୋଗଦେଇଥିଲେ। ପ୍ରାୟ ୩୫ ଲକ୍ଷ ଏସଡିସି ପାଣ୍ଠି ବିନିଯୋଗରେ କନ୍ଯାମାଝି ବନ୍ଧ ପୀଠର ପ୍ରାଚୀର ନିର୍ମାଣ ସହିତ ସୌନ୍ଦର୍ଯ୍ୟ କରଣ କରାଯାଇଛି।
ମାଲକାନଗିରି ବଡଯାତ୍ରା -୨୦୨୫ ଗତ ୧୧.୨.୨୫ ରୁ ମାନ୍ଯମକୋଣ୍ଡାରୁ ଆରମ୍ଭ ହୋଇ ଚଳିତ ମାସରେ ଅର୍ଥାତ ୧୧.୩.୨୦୨୫ ରେ ମାଲକାନଗିରି ସଦରମହକୁମା ସ୍ଥିତ ମାଉଲୀ ମାଆ ମନ୍ଦିର ଠାରେ ଉଦଯାପିତ ହେବ । ଏହି ବଡ ଯାତ୍ରାରେ ଶ୍ରୀଶ୍ରୀ ଶ୍ରୀ କାନମରାଜ,ବାଲାରାଜ,ପୋତରାଜ ଓ ମୁତ୍ଯାଲୁମ୍ମା ବିମାନରେ ବିଜେ କରି ପଦବ୍ରଜରେ ଶହ ଶହ ଲାଠି
ଓ ଭକ୍ତ ଗହଣରେ ଆସି ମାଲକାନଗିରି ମାଉଲୀ ମାଆ ମନ୍ଦିର ପ୍ରାଙ୍ଗଣରେ ଉପବିଷ୍ଟ ହେବେ। ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ ୩ ତାରିଖ ସୋମବାର ଦିନ ତିନି ଠାକୁରଙ୍କୁ ଆନ୍ଧ୍ରର ପୋଲୁର ସ୍ଥିତ
ତାଡାକା ରେଣୁ ରେ ନୌକା ବିହାରର ସହ ଠାକୁର ମାନଙ୍କୁ ସୁଦ୍ଧ
ସ୍ନାନ କରାଯିବ । ପ୍ରାଚୀନ ଠାକୁର ମାନଙ୍କୁ ବିସର୍ଜନ କଲା ପରେ ନୂତନ ଠାକୁରମାନଙ୍କୁ ପ୍ରାଣ ପ୍ରତିଷ୍ଠା କରାଇ ବିମାନ ଯୋଗେ ମାନ୍ୟକୋଣ୍ଡାକୁ ଅଣା ଯିବ । ଏହି ତାରକା ରେଉରେ
ବୁଡ ପକାଇବା ପାଇଁ ପଡୋଶୀ ରାଜ୍ୟରୁ ହଜାର ହଜାର ଭକ୍ତ
ରୁଣ୍ଡ ହୋଇଥାନ୍ତି। ବୁଡ ପକାଇଲେ ପାପ ଧୈ।ତ ହୋଇ ବହୁ ପୁଣ୍ଯ ପ୍ରାପ୍ତ ହେବାର ବିଶ୍ବାସ କରାଯାଏ।
ମାନ୍ଯମକୋଣ୍ଡାରୁ ପ୍ରଥମ ଭୋଗ ଲାଗି ହେବା ପରେ ମାର୍ଚ୍ଚ ୫ ତାରିଖ ବୁଧବାର ଦିନ ଗୁବଲେରୁ,ବୁଗୁଡ଼ା, ଠାକୁରମାନେ ଅତିକ୍ରମ କରି କାଲିମେଳା ଠାରେ ସନ୍ଧ୍ୟା ରେ ରହଣି କରିବେ। ମାର୍ଚ୍ଚ ୬ ପାଖରେ ଠାକୁରମାନଙ୍କୁ ଧରି ଶ୍ରଦ୍ଧାଳୁମାନେ କାଲିମେଳାରୁ ପ୍ରାତଃ ବାହାରି କାଙ୍ଗୁରକୋଣ୍ଡାରେ ରହଣି କରିବେ । ମାର୍ଚ୍ଚ ୭ ତାରିଖରେ ପ୍ରାତଃ ଠାକୁର ମାନଙ୍କୁ ଧରି ପଟେରୁ, ମଧ୍ୟାହ୍ନ ରେ ଶିଖପଲ୍ଲୀ, ସନ୍ଧ୍ୟା ରେ ତମସା ରେ ପହଞ୍ଚିବେ । ସେଠାରେ ରାତ୍ର ଯାପନ କଲା ପରେ ମାର୍ଚ୍ଚ ୮ ତାରିଖ ଶନିବାର ପ୍ରାତଃ ସମୟରେ ଠାକୁରମାନେ ମାଲକାନଗିରି ସଦରମହକୁମା ସ୍ଥିତ କନ୍ଯାମାଝି ବନ୍ଧ ଠାରେ ପ୍ରବେଶ କରିବେ। ସେଠାରେ ରାତ୍ର ଯାପନ କଲ ପରେ ମାର୍ଚ୍ଚ ୯ ତାରିଖ ରବିବାର ପ୍ରାତଃ ସମୟରେ ଠାକୁରମାନେ ମାଣ୍ଡିଆ ଭଟ୍ଟା ରେ ବିଜେ କରିବେ। ଏଠାରେ ହଜାର ହଜାର ଶ୍ରଦ୍ଧାଳୁମାନେ ପଶୁ ଓ ପକ୍ଷୀଙ୍କୁ ବଳି ଅର୍ପଣ କରିବେ । ଏଠାରେ
ସନ୍ଧ୍ୟା ରେ ଠାକୁରମାନେ ମାଉଲୀ ମାଆ ଙ୍କ ସିଂହ ଦ୍ୱାରେ ବିଜେ
କରିବେ। ମାର୍ଚ୍ଚ ୧୦ ଓ ୧୧ ତାରିଖ ଠାକୁରମାନେ ରହଣି କରିବେ। ୧୨ ତାରିଖ ବ୍ରହ୍ମ ମୁହୂର୍ତ୍ତରୁ ଠାକୁର ମାନଙ୍କୁ ଧରି ପୂଜାରୀମାନେ ପ୍ରତ୍ୟାବର୍ତ୍ତନ କରିବେ। ଏହି ୨ ଦିନ ପଶୁ ଓ ପକ୍ଷୀ ବଳିରେ ଶକ୍ତି ପୀଠ ରକ୍ତ ରଂଜିତ ହୋଇ ଉଠିବ। ବଡ଼ ବଡ ଲାଠିରେ ପତାକା ଆବରଣ କରି ଉତ୍ତୋଳନ କରା ଯିବ। ମାଲକାନଗିରି ର ଗାଁ ଗହଳ ଦେବୀମାନେ ଏକତ୍ରୀତ ହେବେ। ଠାକୁର ଓ ଦେବୀମାନଙ୍କ ମହାମିଳନ ଘଟିବ। ଏହି ଯାତ୍ରା ଏକ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହୋଇଥାଏ। ମାଲକାନଗିରିରେ ହଜାର ହଜାର ଲୋକମାନ ସମାବେଶ ହୋଇ ବଡଯାତ୍ରାକୁ ଉପଭୋଗ କରିଥାନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)