ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ପିଆରଆଇ ଏକାଦଶକୁ ହରାଇ ମିଡ଼ିଆ ଏକାଦଶ ଚମ୍ପିୟାନ ।

0 198

ବାଲିଆପାଳ,୨୫/୦୨: ସୁବର୍ଣ୍ଣରେଖା ବନ୍ଦର କତ୍ତୃପକ୍ଷ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ମିଳିତ ଆୟୋଜନରେ ବାଲିଆପାଳ ବ୍ଲକ ଡଗରା ବେଳାଭୂମି ନିକଟସ୍ଥ ମକର ପଡ଼ିଆରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରୀକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ପିଆରଆଇ ମେମ୍ବର ଏକାଦଶ ଓ ମିଡ଼ିଆ ଏକାଦଶ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମିଡ଼ିଆ ଏକାଦଶର ଅଧିନାୟକ ପ୍ରତାପ କୁମାର ପାତ୍ର ଟସ ଜିତି ଫିଲଡିଂ ନିଷ୍ପତ୍ତି ନେଇଥିଲା ବେଳେ ଅପରପକ୍ଷ ପିଆରଆଇ ମେମ୍ବର ଏକାଦଶ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ମ୍ଯାଚ ପ୍ରଥମ ବଲରେ ମିଡ଼ିଆ ଏକାଦଶ ଅଧିନାୟକ ପ୍ରତାପ କୁମାର ପାତ୍ର ଓ୍ବିକେଟ ନେଇ ଦଳ ପାଇଁ ସଫଳତା ଆଣିଦେଇଥିଲେ। ତେବେ ପିଆରଆଇ ମେମ୍ବର ଏକାଦଶର ବ୍ଯାଟର ଅଶ୍ବୀନୀ ପାତ୍ରଙ୍କ ଧୁଆଁଧାର ୩୫ରନର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୧୦ଓଭରରେ ସମସ୍ତ ଓ୍ବିକେଟ ହରାଇ ୬୦ରନ ସଂଗ୍ରହ କରିଥିଲେ। ମିଡ଼ିଆ ଏକାଦଶର ବୋଲର ଶମ୍ଭୁନାଥ ଦାସ ୪ଟି ଓ୍ବିକେଟ ନେଇ ଥିଲାବେଳେ, ବୋଲର ଚିନ୍ମୟ ଦାସ, ଅଶୋକ ଜେନା ଓ ଅଧିନାୟକ ପ୍ରତାପ କୁମାର ପାତ୍ର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଦ୍ବିତୀୟ ଇନିଂସରେ ମିଡ଼ିଆ ଏକାଦଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇ ଚାଲିଥିଲା। ତେବେ ଅଧିନାୟକ ପ୍ରତାପ କୁମାର ପାତ୍ର ଗୋଟିଏ ପଟେ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ୧୨ବଲର ସମ୍ମୁଖୀନ ହୋଇ ୬ଟି ଛକ୍କା ସାହାଯ୍ୟରେ ୪୫ରନର ଅଧିନାୟକ ଇନିଙ୍ଗସ ଖେଳି ମିଡ଼ିଆ ଏକାଦଶ କୁ ୪ ଓ୍ବିକେଟରେ ବିଜୟୀ କରାଇଥିଲେ। ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରତାପ କୁମାର ପାତ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବରେ ସୁବର୍ଣ୍ଣରେଖା ବନ୍ଦରର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ସୁଶାନ୍ତ କୁମାର ମିଶ୍ର, ଟାଟା ଷ୍ଟିଲ ଫାଉଣ୍ଡେସନ ବାଲେଶ୍ଵର ୟୁନିଟ ମୁଖ୍ୟ ପ୍ରମୋଦ କୁମାର ପାତ୍ର, ସୁବର୍ଣ୍ଣରେଖା ବନ୍ଦର ପ୍ରସାଶନିକ ମୁଖ୍ୟ ବିରଜା ଶଙ୍କର ଦାସ ଓ ସୁବର୍ଣ୍ଣରେଖା ବନ୍ଦର ସୁରକ୍ଷା ବିଭାଗ ମୁଖ୍ୟ ମନୋଜ ମିଶ୍ର ପ୍ରମୁଖ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ଏକ ଦୁଇ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଅତିଥିମାନେ ଉଦଘାଟନ କରିଥିଲେ।

Leave A Reply

Your email address will not be published.