କେଏସୟୁବି କଲେଜରେ ବିଶ୍ଵ ରେଡିଓ ଦିବସ ପାଳିତ ।

0 379

ଭଞ୍ଜନଗର, ୧୩/୦୨(ପିପିଟି):ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଗୁରୁବାର ବିଶ୍ଵ ରେଡିଓ ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନ ଅଧିବେଶନରେ ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରେଡିଓ ହିଁ ଖବର ଜାଣିବାରେ ପ୍ରମୁଖ ମାଧ୍ୟମ ବୋଲି କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ୍ ସେବା ଦିନ ଦିନ ଧରି ବ୍ୟାହତ ରହୁଛି। ଗମନା ଗମନ ବ୍ୟାହତ ମଧ୍ୟ ହେଉଛି । ଏହି ସମୟରେ ବିଜୁଳି ସେବା ବାଧାପ୍ରାପ୍ତ ଯୋଗୁଁ ଅନ୍ୟ ମିଡ଼ିଆ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। କିନ୍ତୁ ରେଡିଓ ଏହି ସମୟରେ ଲୋକଙ୍କ ପାଖରେ ଖବର ପହଞ୍ଚାଇଥାଏ। ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ହେଉଛି। ଜଳବାୟୁ ପରିବର୍ତ୍ତନ ର ଅନେକ କାରଣ ରହିଛି।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାନବ ସମାଜ ଉପରେ ବିପଦ ମାଡ଼ି ଆସୁଛି। ଏହି ସମୟରେ ରେଡିଓ ସମେତ ସମସ୍ତ ଗଣମାଧ୍ୟମ ଲୋକଙ୍କୁ ସଚେତନତା କରିବାରେ ଗୁରୁତ୍ବପୁର୍ଣ ଭୂମିକା ନିଭାଇ ଥାଏ । ଜଳବାୟୁ ପରିବର୍ତ୍ତନ କୁ ରୋକିବାରେ ଗଣମାଧ୍ୟମ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ମୁଖ୍ୟବକ୍ତା ଭାବେ ଯୋଗଦେଇ ରେଡିଓ ଏକ ଲୋକପ୍ରିୟ ଗଣମାଧ୍ୟମ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ରେ କ୍ଷମତାକୁ ଆସିବା ପରଠୁ ପ୍ରତ୍ୟେକ ମାସରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି। ଯାହାକି ସବୁଠୁ ଲୋକପ୍ରିୟ କାର୍ଯ୍ୟକ୍ରମ । ଜଳବାୟୁ ପରିବର୍ତ୍ତନ ଏବଂ ତାର ଭୟାବହତା ସମ୍ପର୍କରେ ଲୋକଙ୍କୁ ରେଡିଓ ମାଧ୍ୟମରେ ସଚେତନତା କରାଯାଉଛି ବୋଲି ଶ୍ରୀ ଶତପଥୀ କହିଥିଲେ। ବୈଠକ ରେ କଲେଜ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ପ୍ରଶାସନିକ ଅଧିକାରୀ ବିଭାସ ଦାସ ସଭାକୁ ସଂଯୋଜନା କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ବାବୁଲା ପ୍ରଧାନ ପ ରେଡ଼ିଓ ର ଇତିହାସ ସମ୍ପର୍କରେ କହିଥିଲେ। ୧୯୪୬ ମସିହା ଫେବୃୟାରୀ ମାସ ୧୩ ତାରିଖରେ ୟୁ ଏନ୍ ଓ ପକ୍ଷରୁ ୟୁ ଏନ୍ ଓ ରେଡିଓ ଷ୍ଟେସନ୍ ସ୍ଥାପନ ହୋଇଥିଲା । ଉକ୍ତ ଦିନ କୁ ମନେ ପକାଇବା ପାଇଁ ୨୦୧୨ ଫେବୃୟାରୀ ମାସ ୧୩ ତାରିଖରୁ ବିଶ୍ଵ ରେଡିଓ ଦିବସ ପାଳିତ ହେଉଛି। ପ୍ରତିବର୍ଷ ଆଜିର ଦିନରେ କିଛି ଗୋଟେ ବିଷୟ ବସ୍ତୁ ଉପରେ ଆଲୋଚନା ହେଉଛି। ଚଳିତ ବର୍ଷ ବିଶ୍ଵ ରେଡିଓ ଦିବସରେ ରେଡିଓ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହେଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ସୈଖିକ ପରିଷଦ ସମ୍ପାଦକ ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ, ଏନ୍ ସି ସି ଆର୍ମି ଅଫିସର ଅଧ୍ୟାପକ ରଜନୀ କାନ୍ତ ତ୍ରିପାଠୀ, ରେଡକ୍ରସ ଅଧିକାରୀ ବିଦେଶୀ ରାଉତ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଅଧ୍ୟାପିକା ବାସନ୍ତୀ ଜାନି ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହାପରେ ଅପରାହ୍ନ ଅଧିବେସନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗଣ ଯୋଗାଯୋଗ ବିଭାଗ ର ପ୍ରଫେସର ଗଣେଶ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସ ସମ୍ପର୍କରେ କହିଥିଲେ। ଏଥିସହ ଗଣ ମାଧ୍ୟମ କ୍ଷେତ୍ରରେ ଛାତ୍ରୀ ଛାତ୍ର ମାନେ କିଭଳି ଭବିଷ୍ୟତ ଉଜ୍ଜ୍ୱଳ କରିପାରିବେ ସେ ନେଇ କହିଥିଲେ। ଏହା ପୂର୍ବରୁ ଦୁଇ ଅଧିବେଶନର ସମସ୍ତ ଅତିଥି ଗଣ ଯୋଗାଯୋଗ ବିଭାଗ କ୍ୟାମ୍ପସ ପରିସରରେ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମସ୍ତ ଛାତ୍ରୀ ଛାତ୍ର ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.